କଟକ: ଆଜିଠୁ ଐତିହାସିକ କଟକ ବାଲିଯାତ୍ରା। ମହାନଦୀ କୂଳର ଏକ ବିଶାଳ ମହୋତ୍ସବ। ଉତ୍କଳୀୟ ପରମ୍ପରାର ମୂକସାକ୍ଷୀ। ସାଧବପୁଅଙ୍କ ବୋଇତ ଯାତ୍ରାର ନିରବ ନିଦର୍ଶନ। ଆବାହମାନ କାଳରୁ ଅୟୋଜିତ ହୋଇ ଆସୁଛି ବାଲିଯାତ୍ରା। ବାଲିରେ ଯାତ୍ରା ଆରମ୍ଭ ହୋଇଥିବାରୁ ଏହାର ନାଁ ବୋଧେ ବାଲିଯାତ୍ରା। ପୁଣି କୁହାଯାଏ ଯେ ବାଲି ଦ୍ୱୀପକୁ ଏଠାରୁ ସାଧବପୁଅମାନେ ଯାତ୍ରା କରୁଥିବାରୁ ଏହା ବାଲିଯାତ୍ରା ନାମରେ ଖ୍ୟାତ। ହଜାରବର୍ଷର ସହର କଟକରେ କେବେ ଠାରୁ ଏହା ଆୟୋଜନ ହେଉଛି ତାହାର କୌଣସି ସ୍ପଷ୍ଟ ପ୍ରମାଣ ନାହିଁ। କିଲ୍ଲା ପଡ଼ିଆରୁ ଆରମ୍ଭ ହୋଇଥିବା ଯାତ୍ରା ଏବେ ବିଶାଳ ରୂପ ନେଇ ସାରିଛି। ଦୁଇଟି ପଡ଼ିଆରେ ମେଳା ଆୟୋଜିତ ହୋଇଛି। କରୋନା ମହାମାରୀ ଯୋଗୁଁ ବିଗତ ଦୁଇବର୍ଷ ବାଲିଯାତ୍ରା ଆୟୋଜନ ହୋଇ ପାରି ନଥିଲା। ଏଥରକୁ ସମସ୍ତେ ଅପେକ୍ଷା କରି ରହିଥିଲେ । ୯ଦିନ ଧରି ହେବାକୁ ଥିବା ଏହି ଯାତ୍ରା ଚଳିତଥର ବେଶ୍ ଆକର୍ଷଣୀୟ ହେବ।
ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇ ସାରିଛି । ମେଳା ପଡ଼ିଆ ଷ୍ଟଲ ମେଳରେ ପରିପୂର୍ଣ୍ଣ ଦେଖାଗଲାଣି । ବ୍ୟବସାୟୀମାନେ ପସରା ମେଲି ସାରିଲେଣି। କେବଳ ଲୋକଙ୍କୁ ଅପେକ୍ଷା। ପ୍ରଥମ ଦିନରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଚନ୍ଦ୍ରଗ୍ରହଣ ହେତୁ ପାକତ୍ୟାଗ ହେବ। ସନ୍ଧ୍ୟା ୬.୧୮ ପରେ ଦେବନୀତି ଆରମ୍ଭ ହେବା ସହ ରୋଷେଇ କରିହେବ । ତଥାପି ସଞ୍ଜ ବୁଡ଼ିବା ଆଗରୁ ମେଳା ପଡ଼ିଆକୁ ଲୋକେ ଛୁଟିବେ ବୋଲି ଆଶା କରାଯାଉଛି।
ଧୂଳି ଉଡ଼ିବନି ବୋଲି..
ବାଲିଯାତ୍ରାରେ ପ୍ରବଳ ଧୂଳି ଉଡେ। ମୁହଁରେ ରୁମାଲ କିମ୍ବା କପଡ଼ା ନବାନ୍ଧିଲେ ମେଳା ପଡ଼ିଆରେ ପାଦ ପକାଇ ହୁଏନି। ଧୂଳି ନଉଡିବା ପାଇଁ କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରତ୍ୟେକ ଦିନ ପଡ଼ିଆରେ ସିଞ୍ଚନ କରାଯିବ ୪୪ହଜାର ଲିଟର ପାଣି। ୧୧ଟି ଟ୍ୟାଙ୍କର ବ୍ୟବହାର କରାଯିବ। ଏତଦବ୍ୟତୀତ କିଛି ସ୍ଥାନ ଉପରେ ସିଏମସି ଅଧିକ ଗୁରୁତ୍ୱ ଦେଇଛି। ଯେଉଁଠାରେ ପାଣି ସିଞ୍ଚନ ଦ୍ୱାରା ଧୂଳି ଉଡିବାକୁ ରୋକିହେବ ନାହିଁ । ଏଭଳି ୧୦ ଏକର ଯାଗାରେ ସ୍ୱତନ୍ତ୍ର ଧରଣର କେମିକାଲ ସିଞ୍ଚନ ହେବ ବୋଲି ସିଏମସି ପକ୍ଷରୁ କୁହାଯାଇଛି।
ଘୋଡା ସବାରୀର ଦର ବଢ଼ିଛି
ବାଲିଯାତ୍ରାକୁ ଘୋଡା ଏବଂ ଓଟ ଧରି ଆସିଛନ୍ତି ବେପାରୀ। ହେଲେ ମହଙ୍ଗା ଯୁଗ ହେତୁ ଘୋଡା ସବାରୀର ଦର ମଧ୍ୟ ବଢ଼ି ଯାଇଛି । ପୁରୀରୁ ପ୍ରାୟ ୧୫ ଜଣିଆ ଦଳ ବାଲିଯାତ୍ରା ପଡିଆକୁ ଆସିଛନ୍ତି ସେମାନେ ସାଙ୍ଗରେ ଆଣିଛନ୍ତି ୯ଟି ଘୋଡା ଆଉ ୭ଟି ଓଟ। ତେବେ ଗତ ବର୍ଷ ଠାରୁ ଚଳିତ ବର୍ଷ ଏହାର ଦର ବୃଦ୍ଧି ପାଇଛି। ୨ଶହ ମିଟର ଓଟ କିମ୍ବା ଘୋଡା ଉପରେ ସବାରୀ ପାଇଁ ୫୦ ଏବଂ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ବଡଙ୍କ ପାଇଁ ୧୦୦ ଟଙ୍କା ରହିଥିବା ବେଳେ ଛୋଟ ପିଲାଙ୍କ ପାଇଁ ୫୦ ଟଙ୍କା ମୂଲ୍ୟ ଧାର୍ଯ୍ୟ ହୋଇଛି।
ମୋବାଇଲ୍ ଆପ୍ ରେ ମେଳା ପଡ଼ିଆର ନକ୍ସା
ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ପ୍ରଶାସନ ଦ୍ୱାରା ପ୍ରଥମ ଥର ପାଇଁ ଏକ ସ୍ୱତନ୍ତ୍ର ମୋବାଇଲ ଆପ୍ର ବ୍ୟବସ୍ଥା କରାଯାଇଛି। ଏହି ଆପ ଜରିଆରେ ଜନସାଧାରଣମାନେ ସମସ୍ତ ପ୍ରକାର ସୁବିଧା ପାଇବା ସହ ଏହାର ଉପଯୁକ୍ତ ବ୍ୟବହାର ମଧ୍ୟ ପାଇପାରିବେ। ବିଶେଷ କରି ବ୍ୟବସାୟ ସଂସ୍ଥାଗୁଡିକର ଲୋକେସନ ଚିହ୍ନଟ ପାଇଁ ସେମାନଙ୍କୁ ଜିପିଆରଏସରେ ଅନ୍ତର୍ଭୁକ୍ତ କରାଯିବ। ଯାହାଫଳରେ ବାଲିଯାତ୍ରାକୁ ଆସୁଥିବା ଲୋକମାନେ ସେମାନଙ୍କର ଆବଶ୍ୟକ ସଂସ୍ଥାଗୁଡିକୁ ସହଜରେ ଠାବ କରି ପାରିବେ। ଏହି ବ୍ୟବସ୍ଥା ଜରିଆରେ ବ୍ୟବାସାୟୀ ବିକ୍ରି ପାଇଁ ରଖିଥିବା ସାମଗ୍ରୀଗୁଡିକୁ ତାଲିକାଭୁକ୍ତ କରିପାରିବେ। କମିଶନରେଟ ପୋଲିସ ସହାୟତାରେ ଜନସାଧାରଣ ନିୟମିତ ଭାବେ ପାର୍କିଂ ବ୍ୟବସ୍ଥା ଓ ଟ୍ରାଫିକ ପରିଚାଳନା ସମ୍ପର୍କରେ ସୂଚନା ପାଇପାରିବେ।
ବାଲିଯାତ୍ରାର ମୁଖ୍ୟସ୍ଥାନ ଯଥା ସରକାରୀ ବିକ୍ରି କେନ୍ଦ୍ର, ପାର୍କିଂସ୍ଥଳ, ଶୌଚାଳୟ, ସୂଚନାକେନ୍ଦ୍ର ଓ ସବୁଜ ଅଞ୍ଚଳ ପ୍ରଭୃତି ସ୍ୱତନ୍ତ୍ର ସ୍ଥାନଭାବେ ଚିହ୍ନଟ କରାଯାଇଛି। ଗୁଗୁଲ ମ୍ୟାପ ଜରିଆରେ ସେସବୁ ସହଜରେ ଖୋଜି ପାଇବା ପାଇଁସୁବିଧା ଉପଲବ୍ଧ କରାଯାଇଛି। ବାଲିଯାତ୍ରାରେ ହେଉଥିବା ବିଭିନ୍ନ ସାଂସ୍କୃତିକ ଓ ସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଏହି ଆପରେ ସୂଚନା ଦିଆଯିବ। ସେଥିରେ କୌଣସି ପରିବର୍ତ୍ତନ ହେଲେ ତାହା ମଧ୍ୟ ପ୍ରତିଫଳିତ ହେବ। ହେଲ୍ପ ଡେସ୍କର ନମ୍ବର ସମ୍ପର୍କରେ ଗୁରତ୍ୱପୂର୍ଣ୍ଣ ସୂଚନା ଏହି ଆପରେ ରହିବା ସହ କ୍ଲିକ କଲ ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ବ୍ୟବସାୟୀ ସେମାନଙ୍କ ବିକ୍ରି ସାମଗ୍ରୀ ସହ ବିଭିନ୍ନ ବ୍ରାଣ୍ଡର ଜିନିଷ ସମ୍ପର୍କରେ ଏହି ଆପରେ ବିଜ୍ଞାପନ ଦେଇପାରିବେ ବୋଲି ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ସୂଚନା ଦେଇଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଏହି ମୋବାଇଲ ଆପ୍ ମେଳା ପଡ଼ିଆର ଏକ ନକ୍ସା ଭାବେ ବ୍ୟବହାର କରିହେବ।
କଟକ-ଇନ୍-କଟକରେ ୪୦ଟି ସେଲଫି ଜୋନ୍
ରଙ୍ଗବେରଙ୍ଗ ଆଲୋକ ସହ ବିଭିନ୍ନ କଳାକୃତିରେ ସଜେଇ ହୋଇଛି ବାଲିଯାତ୍ରା ପଡିଆ। କଟକର ବିଭିନ୍ନ ଐତିହ୍ୟ ଲୋକଙ୍କ ମନ ମୋହୁଛି। ଅନୁଷ୍ଠାନିକ ଭାବରେ ବାଲିଯାତ୍ରା ମଙ୍ଗଳବାର ଉଦଘାଟନ ହେବାକୁଥିବା ବେଳେ ସୋମବାର ସନ୍ଧ୍ୟାରେ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି। ତଳପଡ଼ିଆରେ ରହିଛି କଟକ-ଇନ-କଟକ ପ୍ୟାଭିଲିୟନ ସିଏମସି ପକ୍ଷରୁ କରାଯାଇଛି। ଏହା ଭିତରେ କଟକ ଜିଲ୍ଲାର ବିଭିନ୍ନ ଐତିହ୍ୟ ସ୍ଥାନ ପାଇଛି। ଏହାଛଡ଼ା ୪୦ଟି ସ୍ୱତନ୍ତ୍ର ସେଲଫି ଜୋନ୍ କରାଯାଇଛି। ଯାହା ଅତ୍ୟନ୍ତ ଆକର୍ଷଣୀୟ ହୋଇଛି।