ସୁବର୍ଣ୍ଣରେଖା ନଦୀରେ ଗାଧୋଇବା ବେଳେ ଭାସିଗଲେ ଉତ୍ତରପ୍ରଦେଶର ତୀର୍ଥଯାତ୍ରୀ

ବାଲେଶ୍ୱର: ଗାଧୋଇବା ହେଲା କାଳ । ସୁବର୍ଣ୍ଣରେଖା ନଦୀରେ ଭାସିଗଲେ ଉତ୍ତରପ୍ରଦେଶର ତୀର୍ଥଯାତ୍ରୀ । ବାଲେଶ୍ୱର ଜିଲ୍ଲା ବସ୍ତା ନିକଟସ୍ଥ ସୁବର୍ଣ୍ଣରେଖା ନଦୀରେ ଆଜି ସକାଳେ ଏହି ଅଘଟଣ ଘଟିଛି। ଅଯୋଧ୍ୟାରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନରେ ଯାଉଥିବା ଜଣେ ତୀର୍ଥଯାତ୍ରୀ ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ନିଖୋଜ ହୋଇଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ନିଖୋଜ ତୀର୍ଥଯାତ୍ରୀ ଜଣକ ହେଲେ ଉତ୍ତରପ୍ରଦେଶର ଅଶୋକ ପାଠକ। ସେ ନିଜ ପରିବାର ଲୋକଙ୍କ ସହ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରୁଥିବା ବେଳେ ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ଅଟକିଥିଲେ।

ପରିବାରର କିଛି ସଦସ୍ୟ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିଲେ। ଏହି ସମୟରେ ନଦୀର ପ୍ରଖର ସ୍ରୋତ ଯୋଗୁଁ ଅଶୋକଙ୍କ ଗୋଡ଼ ଖସିଯାଇଥିଲା ଏବଂ ସେ ଗଭୀର ଜଳ ମଧ୍ୟକୁ ଭାସିଯାଇଥିଲେ। ଏହା ଦେଖି ପରିବାର ଲୋକେ ଚିତ୍କାର କରିବା ସହ ସ୍ଥାନୀୟ ଲୋକଙ୍କୁ ଡାକିଥିଲେ।

ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ (ODRAF) ଟିମ୍ ଘଟଣାସ୍ଥଳରେ ପହଞ୍ଚି ଡଙ୍ଗା ସାହାଯ୍ୟରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ତେବେ ନଦୀରେ ପ୍ରଖର ସ୍ରୋତ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ନିଖୋଜ ତୀର୍ଥଯାତ୍ରୀଙ୍କ ପରିବାର ଲୋକେ ନଦୀ କୂଳରେ ଉପସ୍ଥିତ ଅଛନ୍ତି ଏବଂ ଶେଷ ଖବର ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

About The Author: Madhusudan Das