ଜଳେଶ୍ଵର: ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ବାରମାଇଲ ଓ ଏହାର ଆଖପାଖ ଅଞ୍ଚଳରୁ ଏକ ଟାଟା ମେଜିକ ଗାଡ଼ିରେ ୪୫ ଜଣ କୃଷି ଶ୍ରମିକ ଜଳେଶ୍ଵର ଅଞ୍ଚଳକୁ ଆସୁଥିବାବେଳେ ରାସ୍ତାରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହେବାରୁ ୨୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣାରୁ ପ୍ରକାଶ ଯେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳର ୪୦ ମହିଳା ଓ ୫ ଜଣ ପୁରୁଷଙ୍କୁ ମିଶାଇ ମୋଟ ୪୫ ଜଣ କୃଷି ଶ୍ରମିକ ଓଡି୧୧ଆର୮୩୭୧ ନମ୍ବରର ଏକ ଟାଟା ମେଜିକ ଗାଡ଼ିରେ ଜଳେଶ୍ଵର ଆମ୍ବିଳିଅଠା ଓ ଚୁଡାମଣିପୁରୁ ଗାଁ କୁ ଆସୁଥିଲେ। ତେବେ ୧୬ ନମ୍ବର ଜାତୀୟ ରାଜପଥର ସାଇରାମ ହୋଟେଲ ନିକଟରେ ଏହି ଗାଡିର ଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ଗାଡି ଓଲଟି ପଡିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ବ୍ୟବସାୟୀ, ହୋଟେଲର କର୍ମଚାରୀମାନେ ଗୁରୁତର ମାନଙ୍କୁ ଉଦ୍ଧାର କରି ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିବା ବେଳେ ୨୫ ଜଣକ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ସମସ୍ତ କୃଷି ଶ୍ରମିକ ବେତନଟୀ ଥାନା ୫/୬ ଟି ଗ୍ରାମର ହୋଇଥିବା ବେଳେ ଗୁରୁତରମାନେ ବାରମାଇଲ,ମୋହନପୁର ଓ ଡାକୋଇ ଗ୍ରାମର ବୋଲି ପୁଲିସ ସୂତ୍ରରୁ ଜଣାପଡିଛି।