ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବୁଧବାର ଦିନ ପ୍ରବଳ ବନ୍ୟା ସ୍ରୋତରେ ଜଣେ ଉଠା ଦୋକାନୀ ବା ବ୍ୟବସାୟୀ ଭାସିଯାଉଥିବା ବେଳେ ସ୍ଥାନୀୟ ଯୁବକମାନେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।
ସୂଚନା ଅନୁଯାୟୀ, ଏହି ଘଟଣାଟି ସୋର ବ୍ଲକ ଅନ୍ତର୍ଗତ ତାଳନଗର ପଞ୍ଚାୟତର ପଦନପଡ଼ା ଗାଁରେ ଘଟିଛି। ବନ୍ୟା ଜଳର ପ୍ରବଳ ସ୍ରୋତରେ ଉକ୍ତ ବ୍ୟବସାୟୀ ଜଣକ ହଠାତ୍ ଭାସି ଯାଇଥିଲେ। ପ୍ରାୟ ୨୫ ମିଟର ପର୍ଯ୍ୟନ୍ତ ଭାସିଯିବା ପରେ ସେ ଏକ ଗଛର ଡାଳକୁ ଧରି ନିଜ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ। ତେବେ ତାଙ୍କ ସହ ଥିବା ଯାନବାହାନ ଏବଂ ସମସ୍ତ ବିକ୍ରି ସାମଗ୍ରୀ ବନ୍ୟା ଜଳରେ ଭାସି ଯାଇଥିଲା।
ବ୍ୟବସାୟୀ ଜଣକ ଗଛ ଡାଳରେ ଆଶ୍ରୟ ନେଇଥିବା ଦେଖି ପଦନପଡ଼ା ଗାଁର କିଛି ଯୁବକ ତୁରନ୍ତ ସେଠାରେ ପହଞ୍ଚିଥିଲେ। ସେମାନେ ନିଜ ଜୀବନକୁ ବାଜି ଲଗାଇ ତାଙ୍କୁ ପାଣିରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ବ୍ୟବସାୟୀ ଜଣକ ସୁରକ୍ଷିତ ଥିଲେ ମଧ୍ୟ ବନ୍ୟା ପାଣିରେ ତାଙ୍କର ଅଧିକାଂଶ ସାମଗ୍ରୀ ନଷ୍ଟ ହୋଇଯାଇଥିବା ଜଣାପଡିଛି।