ବାଲେଶ୍ୱରରେ ବନ୍ୟା ପରିସ୍ଥିତି ଜଟିଳ: ୧.୪୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ, ବିପଦ ସଙ୍କେତ ଉପରେ ଜଳକା ଓ ବୁଢ଼ାବଳଙ୍ଗ

ବାଲେଶ୍ୱର: ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଜିଲ୍ଲାର ଭୋଗରାଇ, ବସ୍ତା, ବାଲିଆପାଳ, ଜଳେଶ୍ୱର, ବାଲେଶ୍ୱର, ରେମୁଣା, ନୀଳଗିରି, ସୋର, ବାହାନଗା, ସିମୁଳିଆ, ଖାଇରା ଏବଂ ଉପଡ଼ା ଆଦି ପ୍ରାୟ ସମସ୍ତ ବ୍ଲକର ୧୫୧ଟି ଗ୍ରାମ ପଞ୍ଚାୟତ ଓ ୪୧୨ଟି ଗ୍ରାମ ବନ୍ୟା ଜଳ ଦ୍ୱାରା ପ୍ରଭାବିତ ହୋଇଛି। ଏହାସହ ୫ଟି ପୌରାଞ୍ଚଳର ୧୩୫ଟି ୱାର୍ଡ ମଧ୍ୟ ଜଳବନ୍ଦୀ ହୋଇପଡ଼ିଛି। ସରକାରୀ ଆକଳନ ଅନୁଯାୟୀ, ଜିଲ୍ଲାର ମୋଟ ୧,୪୨,୩୮୦ ଜଣ ଜନସାଧାରଣ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି।

ଜଳକା ଓ ବୁଢ଼ାବଳଙ୍ଗରେ ଜଳସ୍ତର ବୃଦ୍ଧି:
ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ମୁଖ୍ୟ ନଦୀ ଜଳକା ଏବଂ ବୁଢ଼ାବଳଙ୍ଗର ଜଳସ୍ତର ବିପଦ ସଙ୍କେତ ଡେଇଁ ବୃଦ୍ଧି ପାଉଛି। ଜଳକା ନଦୀର ବିପଦ ସଙ୍କେତ ୬.୫୦ ମିଟର ଥିବା ବେଳେ ଅପରାହ୍ନ ୨ ଟା ସୁଦ୍ଧା ଏହାର ଜଳସ୍ତର ୬.୮୪ ମିଟରରେ ବୃଦ୍ଧି ହୋଇ ସ୍ଥିର ରହିଛି। ସେହିପରି ବୁଢ଼ାବଳଙ୍ଗ ନଦୀର ବିପଦ ସଙ୍କେତ ୮.୧୩ ମିଟର ଥିବା ଦିନ ୨ଟା ସୁଦ୍ଧା ଏହା ୮.୬୦ ମିଟରରେ ପହଞ୍ଚି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ସ୍ଥାନାନ୍ତର ଓ ରିଲିଫ୍ ବ୍ୟବସ୍ଥା:
ବନ୍ୟା ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ବ୍ୟାପକ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ମୋଟ ୨୬,୪୫୫ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିବା ବେଳେ ଆଜି ସୁଦ୍ଧା ୧୩,୭୮୩ ଜଣ (୬,୧୬୪ ଜଣ ପୁରୁଷ, ୬,୩୩୮ ଜଣ ମହିଳା ଓ ୧,୨୮୧ ଜଣ ଶିଶୁ) ବିଭିନ୍ନ ଆଶ୍ରୟସ୍ଥଳୀରେ ରହିଛନ୍ତି। ପ୍ରଶାସନ ପକ୍ଷରୁ ୧୩୮ଟି ମାଗଣା ରନ୍ଧା ଖାଦ୍ୟ କେନ୍ଦ୍ର/ରିଲିଫ୍ କେନ୍ଦ୍ର ଖୋଲାଯାଇଛି, ଯେଉଁଥିରେ ଆଜି ୧୦,୧୦୭ ଜଣ ହିତାଧିକାରୀଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି। ଏତଦ୍‌ବ୍ୟତୀତ ତୁରନ୍ତ ରିଲିଫ୍ ଭାବେ ୩୩.୫ କ୍ୱିଣ୍ଟାଲ ଚାଉଳ, ୪୫.୧ କ୍ୱିଣ୍ଟାଲ ଚୁଡ଼ା, ୯.୧୦ କ୍ୱିଣ୍ଟାଲ ମୁଢ଼ି, ୪.୫ କ୍ୱିଣ୍ଟାଲ ଗୁଡ଼/ଚିନି, ୧୪୩ଟି ପଲିଥିନ୍ ରୋଲ୍, ବିସ୍କୁଟ୍ ଓ ପାନୀୟ ଜଳ ବୋତଲ ବଣ୍ଟନ କରାଯାଇଛି।

ଘରଦ୍ୱାର ଓ ଗୋସମ୍ପଦ କ୍ଷତି:
ବନ୍ୟା ଯୋଗୁଁ ପ୍ରାୟ ୬୫୪ଟି ଘର କ୍ଷତିଗ୍ରସ୍ତ ହୋଇଛି। ଏଥିମଧ୍ୟରୁ ୮୪ଟି ପକ୍କା ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ୧୧୦ଟି ପକ୍କା ଘର ଗୁରୁତର, ୩୪୪ଟି କଚ୍ଛା ଘର ଆଂଶିକ ଏବଂ ୮୭ଟି ଗୋଶାଳା କ୍ଷତିଗ୍ରସ୍ତ ହୋଇଛି। ଗୋସମ୍ପଦ ମଧ୍ୟରେ ୨୦ଟି ପ୍ରାଣୀ ପ୍ରଭାବିତ ହୋଇଥିବା ବେଳେ ୯ଟି ପଶୁ (୧ଟି ବଡ଼ ଓ ୮ଟି ଛୋଟ)ଙ୍କର ମୃତ୍ୟୁ ଘଟିଛି। ପ୍ରାଣୀସମ୍ପଦ ସୁରକ୍ଷା ପାଇଁ ୨ଟି ଭ୍ରାମ୍ୟମାଣ ପଶୁଚିକିତ୍ସା ଦଳ ନିୟୋଜିତ ହେବା ସହ ୧୦ ଟନ୍ ଗୋ-ଖାଦ୍ୟ ବଣ୍ଟନ କରାଯାଇଛି। ତେବେ ସୌଭାଗ୍ୟବଶାତଃ କୌଣସି ମାନବୀୟ ଜୀବନହାନି ଘଟିନାହିଁ।

ଉଦ୍ଧାର, ଚିକିତ୍ସା ଓ ଯୋଗାଯୋଗ:
ଉଦ୍ଧାର କାର୍ଯ୍ୟ ପାଇଁ ମୋଟ ୨୧ଟି ଟିମ୍— ୯ଟି ଓଡ୍ରାଫ୍, ୧୨ଟି ଅଗ୍ନିଶମ ବାହିନୀ ଓ ୨ଟି ଏନଡିଆରଏଫ ଟିମ୍ ମୋତୟନ ଅଛନ୍ତି। ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ୫ଟି ମେଡିକାଲ ଟିମ୍ ନିୟୋଜିତ କରାଯାଇଛି। ରାସ୍ତାଘାଟ ବୁଡ଼ିଯିବା ଯୋଗୁଁ ୩୦ଟି ରାସ୍ତା ବାଧାପ୍ରାପ୍ତ ହୋଇଛି ଏବଂ ୧୫ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ବାଟରେ ପଡ଼ିଥିବା ୧୫ଟି ଉପୁଡ଼ା ଗଛ ଓ ଜଳବନ୍ଦୀ ରାସ୍ତା ସଫା କରି ଯାତାୟାତ ସ୍ୱାଭାବିକ କରିବା ପାଇଁ ୪ଟି ଜେସିବି ମେସିନ୍ ନିୟୋଜିତ କରାଯାଇ ସମ୍ପ୍ରତି ୧୦ଟି ରାସ୍ତା ଚଳାଚଳ ଉପଯୋଗୀ କରାଯାଇଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

About The Author: Madhusudan Das