ଭୁବନେଶ୍ବର : ସୋସିଆଲ ମିଡିଆରେ ଭାଇରାଲ ହେଉଛି ବଳଙ୍ଗା ପୀଡ଼ିତାଙ୍କ ଶେଷ ବୟାନ । ଭିଡିଓଟି ତଦନ୍ତ ସମୟର ବୋଲି ଜଣାପଡୁଛି । ଏଥିରେ ଜଣେ ମହିଳା ଅଧିକାରୀ ପୀଡ଼ିତାଙ୍କଠାରୁ ବୟାନ ରେକର୍ଡ କରୁଛନ୍ତି । ସେ ପୀଡ଼ିତାଙ୍କୁ ବିଭିନ୍ନ ପ୍ରଶ୍ନ କରୁଛନ୍ତି , ଆଉ ପୀଡ଼ିତା ମଧ୍ୟ ତାର ଉତ୍ତର ରଖୁଛନ୍ତି। ତେବେ ଏହି ବୟାନ ରେକର୍ଡ କରି କୋର୍ଟରେ ଉପସ୍ଥାପନ କରିବାର ଥିଲା । ତାହା କେମିତି ସାମାଜିକ ଗଣମାଧ୍ୟମକୁ ଆସିଲା ? ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସେପଟେ ବଳଙ୍ଗା ପୀଡ଼ିତାଙ୍କ ଶେଷ ବୟାନରେ ତାଙ୍କୁ ୩ ଜଣ ଉଠାଇ ନେଇ ନିଆଁ ଲଗାଇଥିବା କହୁଛନ୍ତି। ହେଲେ ପୁଲିସ କେମିତି ମନା କରୁଛି ତାହା ମଧ୍ୟ ସନ୍ଦେହ ସୃଷ୍ଟି କରୁଛି। ଯାହାକୁ ନେଇ ଆଜି ସରକାରଙ୍କ ଉପରେ ବର୍ଷିଛି ବିଜେଡି। ରବିବାର ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି, ମୁଖପାତ୍ର ଇପ୍ସିତା ସାହୁ ଓ ସୁବ୍ରତ ଛାଟୋଇ ବଳଙ୍ଗା ଘଟଣାକୁ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି କହିଛନ୍ତି ‘ବଳଙ୍ଗାର ନାବାଳିକା ପୀଡିତା ଯିଏ ସଂଖ୍ୟାଲଘୁ ଥିଲେ, ତାଙ୍କୁ ଆଗ ପୋଡି ଦିଆଗଲା। ଏହପରେ ଭୁବନେଶ୍ୱରରୁ ଦିଲ୍ଲୀ AIIMS ସ୍ଥାନାନ୍ତର ପାଇଁ ବିଜେଡି ଦାବି କରିବା ପରେ ତାଙ୍କୁ ନିଆଗଲା। ତିନି ଥର ପୀଡ଼ିତାଙ୍କ ବୟାନ ରେକର୍ଡ କାହା ସ୍ୱାର୍ଥରେ କରାଗଲା। କେତେ ଥର ବିଚାରପତି ବୟାନ ରେକର୍ଡ ସମୟରେ ଥିଲେ? ତାଙ୍କ ମୃତ୍ୟୁର ୧୦ ମିନିଟ ପରେ ପୋଲିସ ଟ୍ୱିଟ କଲେ ଯାହା ଆଜି ଯାଏଁ କେବେ କେହି ଦେଖି ନଥିଲେ। ଟ୍ୱିଟରେ ପୁଲିସ ଲେଖିଲା ଯେ ଦୁଃଖିତ, ନିଷ୍ଠା ସହ ତଦନ୍ତ ହୋଇଛି। ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ। ପୋଲିସ ପ୍ରଶାସନ ଇଙ୍ଗିତରେ ନା କିଛି ନିଜତ୍ୱ ନ ରଖି ଏହା କଲେ। ଡିଜିପି ଘଟଣା ସ୍ଥଳକୁ ଯାଇଥିଲେ, ମୃତ୍ୟୁ ପରେ କାହା ଇଙ୍ଗିତରେ କହିଲେ ବାହାର ଲୋକଙ୍କ ସମ୍ପୃକ୍ତି ନାହିଁ।
ତେବେ ଘଟଣାକୁ ଆଜି ୧୫ ଦିନ ପରେ ପୀଡ଼ିତାଙ୍କ ବୟାନ ରେକର୍ଡ ଭିଡିଓ ଭାଇରାଲ ହେଉଛି। ଯାହା ସମସ୍ତଙ୍କୁ ଦୋହଲାଇ ଦେଉଛି। ଅନେକ ଥର ଝିଅ ଜଣଙ୍କ ହସ୍ପିଟାଲ ବେଡ଼ରେ ଥିଲେ, ତାଙ୍କ ବୟାନ ରେକର୍ଡ କରାଗଲା। ହେଲେ ଆଜିର ଭିଡିଓରେ କହି ହେଉନି ଯେ ବିଚାରପତି ଥିଲେ ନା ନାହିଁ। ଏହା ଓଡ଼ିଶା ପୁଲିସ ନା କିଏ ଭାଇରଲ କରିଛି, ତାହା ତଦନ୍ତ ସାପେକ୍ଷ। ଏ ଯାଏଁ ପୋଲିସ କିଛି ବି କହିନି ଯେ ଏହା ଶତ ଭିଡିଓ କି ଜାଲ ଭିଡିଓ। ପୁଲିସ ଏହା ନିଶ୍ଚିତ ଜାଣିଥିବ। ପୁରୀ SP କହୁଛନ୍ତି, ଝିଅ ଭିନ୍ନ ଭିନ୍ନ ବୟାନ ଦେଇଛି, ଜଣେ SP କେତେ ହାଲୁକା ଭାବେ ଏହି ଘଟଣାକୁ ନେଉଛନ୍ତି। ଏହା କଣ ପ୍ରଭାତୀ ପରିଡା କି ସରକାରଙ୍କୁ ରକ୍ଷା କରିବାକୁ ବିବୃତି ଦିଆଯାଇଛି କି? ତିନି ଅଭିଯୁକ୍ତ ଗଲେ କୁଆଡ଼େ? ଦକ୍ଷ ପୁଲିସ ଯିଏ କହିଥିଲା ଯେ ବାହାର ଲୋକ ସମ୍ପୃକ୍ତ ନୁହଁନ୍ତି,ତାହାଲେ ସମ୍ପୃକ୍ତ କିଏ? ସରକାରଙ୍କ କି ମାନସିକତା? ପ୍ରତିଦିନ ଆତ୍ମହତ୍ୟା ହେଉଛି, ଏହା ତଦନ୍ତ ସାପେକ୍ଷ। ଓଡ଼ିଶା ପୁଲିସ ତତକ୍ଷଣତ ଆକ୍ସନ ନେଉଥିବା କହୁଛି, ମୃତ୍ୟୁ ପୂର୍ଵ ବିବୃତି କଣ ମିଛ? ବିଜେପି ବିରୋଧୀ ଦଳରେ ଥିବା ବେଳେ CBI CBI ଚିତ୍କାର କରୁଥିଲା, ଏବେ CBI କୁ କାହିଁକି ତଦନ୍ତ କରିବାକୁ ଦିଆଯାଉନି ବୋଲି ଲେନିନ ମହାନ୍ତି ପ୍ରଶ୍ନ କରିଛନ୍ତି।
ସେପଟେ ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି ମଣିଷମରା ବିଜେପି ସରକାର ଶବ ଉପରେ ରାଜନୀତି କରୁଛି। ପୀଡିତାଙ୍କ ବାୟାନ ଯଦି ସତ, ଏହା ସାଙ୍ଘାତିକ, ନିଜ ନେତାଙ୍କୁ ବଞ୍ଚାଇବାକୁ ସରକାର କେତେ ତଳକୁ ଖସି ପାରେ, ଏହା ତାହାର ଜ୍ୱଳନ୍ତ ଉଦାହରଣ। ନିଆଁ ଲାଗିବା ପରେ ପୀଡିତା ତିନି ଜଣ ଅଭିଯୁକ୍ତଙ୍କ ସମ୍ପର୍କରେ କହିଛନ୍ତି, ପୁଲିସ ଅନେକ ସାମଗ୍ରୀ ଘଟଣାସ୍ଥଳରୁ ଜବତ କଲା। ହେଲେ ଏବେ କହୁଛି କେହି ଅଭିଯୁକ୍ତ ନାହାନ୍ତି। ପୁଲିସର ଦୋମୁହାଁ ନୀତି ପଦାରେ ପଡ଼ିଲାଣି, କାଲି ସରକାର କି ପୋଲିସ ଭାଇରାଲ ହେଉଥିବା ପୀଡ଼ିତାଙ୍କ ଭିଡିଓକୁ AI ଭିଡିଓ ନ କୁହନ୍ତୁ,ଏହା ତାଗିଦ କରୁଛୁ। ଝିଅ ଅବସ୍ଥା ଠିକ ଥିବା ସମୟର ଏହି ଭିଡିଓ। SP ଭିନ୍ନ ଭିନ୍ନ ବୟାନ କଥା କେମିତି କହିଲେ? ସରକାର ଦୁର୍ବୃତ କି ହତ୍ୟାକାରୀଙ୍କୁ ଖସାଇବାକୁ କାହିଁକି ଚେଷ୍ଟା ହେଉଛି? ପ୍ରଭାତୀ ପରିଡାଙ୍କୁ ବଞ୍ଚାଇବା ଉଦ୍ୟମ କି? ପୁରୀ ଜିଲ୍ଲା ଝିଅ, ଜଗନ୍ନାଥ ଧାମର ଝିଅ, ତାକୁ ନେଇ ଡାହା ମିଛ କୁହାଯାଉଛି। ଏହା ଭସ୍ମାସୁର ସରକାର, ଦୁର୍ଯ୍ୟୋଧନ ସରକାର. ସୁଶାସନ ନାହିଁ. ମର୍ଡର ମ୍ୟାନେଜମେଣ୍ଟ କରୁଛି ସରକାର। ଏହି ଭିଡିଓ ଭାଇରାଲ ହେବା ପରେ ଘରୁ ବାହାରିବାକୁ ଝିଅଙ୍କୁ ଡରିଲେଣି। ବେଟି ପଢ଼ାଓ ବେଟି ବଞ୍ଚାଓ ଯଦି ଠିକ, ତେବେ ବେଟି ଜଳାଅ ନ କରାନ୍ତୁ ଏ ସରକାର।
ଅନ୍ୟପଟେ ବିଜେଡି ନେତା ସୁବ୍ରତ ଛାଟୋଇ କହିଛନ୍ତି ପୀଡିତା ନିଆଁ ଲାଗିଥିବା ଅବସ୍ଥାରେ ଜଣଙ୍କ ଘରକୁ ଦୌଡ଼ି ଯାଇଥିଲେ। ସେ ବୟାନ ବି ଦେଲେ କଣ ସବୁ ହୋଇଛି। ସମସ୍ତେ ଜାଣିବା ପରେ ଆମେ ଦିଲ୍ଲୀ AIIMS ପାଇଁ ଦାବି କରିଥିଲୁ, ଦିଲ୍ଲୀରେ ମୁଁ ଓ ସାଂସଦ ପ୍ରତିନିଧି ଯାଇଥିଲୁ। ଉପମୁଖ୍ୟମନ୍ତ୍ରୀଙ୍କ ପାଞ୍ଚ ଦିନ ଯାଏଁ ଭେଟିବାକୁ ସମୟ ହେଲାନି. ତା ପରେ ସେ ଯାଇ କହିଲେ ପୀଡିତା ସୁସ୍ଥ ହେଉଛି। ପୁଲିସ ତଦନ୍ତ କଲା, କଣ ହେଲା ଯେ ପୀଡିତାଙ୍କ ଦେହାନ୍ତ ହେଲା। ସେପଟେ ଏବେ ପୀଡିତା ବୟାନ ରେକର୍ଡ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଆଉ ସୋସିଆଲ ମିଡ଼ିଆ କମେଣ୍ଟରୁ ଲୋକଙ୍କ ସନ୍ଦେହ ଏହି ପ୍ରଶାସନ ଓ ସରକାର ଉପରେ ଆସୁଛି। ଘଟଣା ଚପାଇବାକୁ ଚେଷ୍ଟା ହୋଇଛି। ଏହି ଘଟଣାରେ ସରକାର ନ୍ୟାୟିକ ତଦନ୍ତ କରିବା ସହ ଖୁବଶୀଘ୍ର ଦୋଷୀଙ୍କୁ ଗିରଫ କରନ୍ତୁ, ନ ହେଲେ ନିମାପଡାରେ ବିଜେଡି ରାଜରାସ୍ତାକୁ ଓଲ୍ହାଇବ।