ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି: ବିପଦ ସଙ୍କେତ ଟପିଲା ବୈତରଣୀ ଓ ଜଳକା ନଦୀ, ଗଞ୍ଜାମରେ ବନ୍ୟା ଆଶଙ୍କା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ରାଜ୍ୟର ଅନେକ ନଦୀର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏକାଧିକ ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି।

ରିପୋର୍ଟ ଅନୁଯାୟୀ, ଭଦ୍ରକ ଜିଲ୍ଲାର ଆଖୁଆପଦା ଠାରେ ବୈତରଣୀ ନଦୀ ବିପଦ ସଙ୍କେତ ଟପିଛି। ଏଠାରେ ବିପଦ ସଙ୍କେତ ଲେଭଲ୍ ୧୮.୩୩ ମିଟର ଥିବାବେଳେ ବର୍ତ୍ତମାନ ଏହା ୧୮.୩୫ ମିଟରରେ ପ୍ରବାହିତ ହେଉଛି। ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଧାମନଗର ଏବଂ ଭଣ୍ଡାରିପୋଖରୀ ଅଞ୍ଚଳ ପାଇଁ ବନ୍ୟା ସତର୍କତା ଜାରି କରାଯାଇଛି। ସେହିପରି ମଥାନିଠାରେ ଜଳକା ନଦୀ ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏହାର ବିପଦ ସଙ୍କେତ ୬.୫୦ ମିଟର ଥିବା ବେଳେ ଜଳସ୍ତର ଏବେ ୬.୭୬ ମିଟରରେ ପହଞ୍ଚିଛି।

ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ଜୀବନରେଖା କୁହାଯାଉଥିବା ଋଷିକୁଲ୍ୟା ସମେତ ବଡ଼ନଦୀ, ବାଘୁଆ ଏବଂ ଘୋଡ଼ାହାଡ଼ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଛି। ଋଷିକୁଲ୍ୟାର ଉପରମୁଣ୍ଡରେ ଥିବା ଜାନିବିଲି ଆନିକଟ୍ରେ ବିପଦ ସଙ୍କେତ ୧୪ ଫୁଟ ଥିବାବେଳେ ଜଳସ୍ତର ଏବେ ୧୩ ଫୁଟ ୪ ଇଞ୍ଚରେ ପହଞ୍ଚିଛି। ସେହିପରି ଆସିକାଠାରେ ବିପଦ ସଙ୍କେତ ୬ ଫୁଟ ୭ ଇଞ୍ଚ ଥିବା ବେଳେ ବର୍ତ୍ତମାନ ଏହା ୪ ଫୁଟରେ ପ୍ରବାହିତ ହେଉଛି। ଋଷିକୁଲ୍ୟା ନଦୀର ବନ୍ୟା ଜଳ ଇତିମଧ୍ୟରେ ଆସିକାର କିଛି ତଳିଆ ଅଞ୍ଚଳରେ ପ୍ରବେଶ କରିସାରିଛି।

ଅନ୍ୟପକ୍ଷରେ ବଡ଼ନଦୀ, ବାଘୁଆ ଏବଂ ଘୋଡ଼ାହାଡ଼ ନଦୀର ଜଳସ୍ତର ବଢ଼ିବାରୁ ପରିସ୍ଥିତି ଅଧିକ ଜଟିଳ ହୋଇଛି। ବନ୍ୟା ଜଳ ଶେରଗଡ଼ କୁମାରପାଣି ବିଦ୍ୟାଳୟ ପରିସରରେ ପଶିଯାଇଥିବା ବେଳେ ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ଗୁରୁତ୍ୱର ସହ ତୀକ୍ଷ୍ଣ ନଜର ରଖିଛି ଏବଂ ବିପଦପୂର୍ଣ୍ଣ ଅଞ୍ଚଳର ବାସିନ୍ଦାମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

About The Author: Madhusudan Das