ଓଡ଼ିଶାରେ ଲଗାଣ ବର୍ଷା: ଫୁଲୁଛି ବୈତରଣୀ ଓ ବ୍ରାହ୍ମଣୀ ନଦୀ, ବନ୍ୟା ପରିସ୍ଥିତି ଉପରେ ସରକାରଙ୍କ ନଜର

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା କାରଣରୁ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି କ୍ୟାଚମେଣ୍ଟ ଅଞ୍ଚଳରେ ବର୍ଷା ଯୋଗୁଁ ବୈତରଣୀ ଏବଂ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ବନ୍ୟା ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ (ଇଞ୍ଜିନିୟର-ଇନ୍-ଚିଫ୍) ଦିଲ୍ଲୀପ କୁମାର ରାଉତ ସୋମବାର ସୂଚନା ଦେଇଛନ୍ତି।

ଶ୍ରୀ ରାଉତଙ୍କ ସୂଚନା ଅନୁଯାୟୀ, ସୋମବାର ସକାଳେ ଆଖୁଆପଦା ଠାରେ ବୈତରଣୀ ନଦୀର ଜଳସ୍ତର ୧୮.୧୫ ମିଟର ଥିଲା, ଯେତେବେଳେ କି ଏଠାରେ ବିପଦ ସଙ୍କେତ ୧୮.୩୩ ମିଟର ରହିଛି। ସନ୍ଧ୍ୟା ସୁଦ୍ଧା ଜଳସ୍ତର ଆହୁରି ବଢ଼ିବା ପରେ ଖସିବାର ସମ୍ଭାବନା ରହିଛି। ଗତକାଲି ଏହା ପ୍ରାୟ ୧୯ ମିଟର ଛୁଇଁବା ପରେ କମିଥିଲା, କିନ୍ତୁ ଗତ ରାତିରେ ସ୍ଥାନୀୟ କ୍ୟାଚମେଣ୍ଟ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଜଳସ୍ତର ପୁଣି ବୃଦ୍ଧି ପାଇଛି। ବିଭାଗ ପକ୍ଷରୁ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତି ରହିଛି।

ସେହିପରି ବ୍ରାହ୍ମଣୀ ନଦୀର ସ୍ଥିତି ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ଜେନାପୁର ଠାରେ ଜଳସ୍ତର ସୋମବାର ପ୍ରାୟ ୨୦.୯ ମିଟର ରହିଥିଲା। ଏଠାରେ ସତର୍କ ସଙ୍କେତ ୨୨ ମିଟର ଥିବା ବେଳେ ବିପଦ ସଙ୍କେତ ୨୩ ମିଟର ରହିଛି। ଜଳସ୍ତର କମୁଥିଲେ ମଧ୍ୟ ବର୍ଷା କାରଣରୁ ଏହା ପୁଣି ବଢ଼ିଛି, ତେବେ ଏହା ବିଶେଷ ଭାବେ ବୃଦ୍ଧି ପାଇବାର ଆଶଙ୍କା ନାହିଁ। ତଳମୁଣ୍ଡରେ ବନ୍ୟା ଆଶଙ୍କାକୁ ଏଡ଼ାଇବା ପାଇଁ ରେଙ୍ଗାଳି ଡ୍ୟାମ୍ ଦେଇ ଜଳ ନିଷ୍କାସନକୁ ନିୟନ୍ତ୍ରଣ କରାଯାଉଛି। ବର୍ତ୍ତମାନ ଡ୍ୟାମ୍‌ର କେବଳ ଗୋଟିଏ ଗେଟ୍ ଖୋଲାଯାଇଛି।

ଯଦି ନଦୀର ଜଳସ୍ତର ଆହୁରି ବୃଦ୍ଧି ପାଏ, ତେବେ କେନ୍ଦ୍ରାପଡ଼ା, ଆଳି ଏବଂ ରାଜନଗର ଭଳି ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇପାରେ। ତେବେ ଏହାର ପ୍ରଭାବ କିପରି କମ୍ କରାଯାଇପାରିବ, ସେନେଇ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି। ଶ୍ରୀ ରାଉତ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଏବଂ ଲୋକଙ୍କ ସମସ୍ୟା ଲାଘବ କରିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଅଛି।

About The Author: Madhusudan Das