ପୁରୀ: ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାବାହୁ । ପୁରୀରେ ଚାଲିଛି ପହଣ୍ଡି ନୀତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଛି । 'ଜୟ ଜଗନ୍ନାଥ' ଧ୍ୱନୀରେ ପ୍ରକମ୍ପିତ ହେଉଛି ପରିବେଶ । ଘଣ୍ଟ, ଶଙ୍ଖ ଓ ହରିବୋଲରେ କମ୍ପୁଛି ଶ୍ରୀକ୍ଷେତ୍ର । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଭଦ୍ର ପହଣ୍ଡିରେ ଗୁଣ୍ଡିଚା ମନ୍ଦିରରୁ ଆସି ରଥାରୁଢ଼ ହୋଇଥିଲେ । ଏହାପରେ ଭଉଣୀ ସୁଭଦ୍ରାଙ୍କୁ ଶୂନ୍ୟ ପହଣ୍ଡିରେ ରଥାରୁଢ କରାଯାଇଛି । ଭାଇ ଭଉଣୀଙ୍କ ପହଣ୍ଡି ବିଜେ ପରେ ଶେଷରେ ବିଶ୍ୱବ୍ରମହାଣ୍ଡ ଗୋସାଇଁ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି ।
ଭାବ ବିନୋଦିଆ କାଳିଆ ସାଆନ୍ତକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଛି ଭକ୍ତ । ରଥ, ପ୍ରସ୍ତୁତ, ପଥ ବି ପ୍ରସ୍ତୁତ କେବଳ ଅପେକ୍ଷା ତିନି ରଥକୁ ବିରାଜମାନ । ଆଉ ଗୁଣ୍ଡିଚା ଦିନ ପରି ମହାପ୍ରଭୁଙ୍କ ପରମ ସେବକ ଗଜପତି ମହାରାଜ ତିନି ରଥକୁ ଛେରା ପହଁରା ଶେଷ କରିବା ପରେ ରଥ ନିର୍ଦ୍ଦେଶକଙ୍କ ପରାମର୍ଶ କର୍ମେ ରଥଟଣା ଆରମ୍ଭ ହେବ । ଶ୍ରୀମନ୍ଦିର ପ୍ରଶାସନ ପୁସ୍ତିକା ମୁତାବକ ଅପରାହ୍ଣ ସାଢ଼େ ୨ଟା ସୁଦ୍ଧା ପହଣ୍ଡି ଶେଷ ହୋଇ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ସାରିବା ଲକ୍ଷ୍ୟ ରହିଛି। ପରେ ଚାରମାଳ ଫିଟି, ଘୋଡ଼ା ଲାଗି ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ମହାପ୍ରଭୁ ରଥରେ ଶ୍ରୀନଅର ନିକଟରେ ପହଞ୍ଚିବା ପରେ ବାହୁଡ଼ା ଦଶମୀରେ ଲକ୍ଷ୍ମୀନାରାୟଣ ଭେଟ ନୀତିକାନ୍ତି ରହିଥିବାରୁ ସନ୍ଧ୍ୟା ସାଢ଼େ ୭ଟା ପୂର୍ବରୁ ରଥ ପହଞ୍ଚିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।