ପୁରୀ : ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାବିଗ୍ରହ । ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦକ୍ଷିଣ ମୋଡ଼ ହୋଇ ଅପେକ୍ଷା କରିଛି ତିନି ରଥ । ଏହି ପବିତ୍ର ମୁହୂର୍ତ୍ତକୁ ସାକ୍ଷୀ ରଖିବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।
ଶ୍ରୀବିଗ୍ରହ ଆଡପମଣ୍ଡପରୁ ଧାଡି ପହଣ୍ଡିରେ ଆସି ରଥରେ ବିଜେ କରିବେ । ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବା ବେଳେ ମାଉସୀ ମା’ ହାତରୁ ପୋଡ଼ପିଠା ଖାଇବେ ବିଶ୍ବ ନିୟନ୍ତା । ଏଥିପାଇଁ ମାଉସୀ ମା’ଙ୍କ ମନ୍ଦିରରେ ପୋଡ଼ପିଠା ତିଆରି ଶେଷ ହୋଇଛି ।
ଆଜି ଭୋର ୪ଟାରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ ୪:୧୫, ତଡପଲାଗି ୪:୩୦, ରୋଷହୋମ ୪:୩୦, ଅବକାଶ 5ଟା, ସୂର୍ଯ୍ୟପୂଜା ୫:୧୫, ଦ୍ବାରପାଳ ପୂଜା ୫:୩୦ ବେଶ ଶେଷ, ଗୋପାଳବଲ୍ଲଭ ଓ ସକାଳ ଧୂପ ୫.୪୫ରୁ ୬.୪୫ରେ ଶେଷ ହୋଇଛି । ସେହିପରି ସେନାପଟା ଲାଗି ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ପୂର୍ବାହ୍ନ ୧୧:୩୦ ପର୍ଯ୍ୟନ୍ତ ଜାରି ରହିବ । ମଙ୍ଗଳ ଅପର୍ଣ ୧୧: ୪୫, ବାହୁଡା ପହଣ୍ଡି ମଧ୍ୟାହ୍ନ ୧୨ଟାରୁ ୨ଟା୩୦, ବେଶ ଶେଷ ୧ଟାରୁ ୨ଟା୩୦, ଛେରା ପହଁରା ୨:୩୦ରୁ ୩:୩୦, ଚାରମାଳ ଫିଟା, ଘୋଡା ଓ ସାରଥି ଲାଗି ୩ଟାରୁ ୪ଟା, ଅପରାହ୍ନ ୪ଟାରୁ ଆରମ୍ଭ ହେବ ରଥଟଣା ।