କ୍ଷମତାକୁ ଆସିଲେ ସମସ୍ତଙ୍କୁ ସ୍ୱାସ୍ଥ୍ୟ ବୀମାରେ ସାମିଲ କରିବେ କହିଥିଲେ, ଏବେ କହୁଛନ୍ତି………

ଭୁବନେଶ୍ୱର : ଯାହା ଆଶଙ୍କା କରାଯାଉଥିଲା, ତାହା ସତ୍ୟରେ ପରିଣତ ହେଲା। ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ସମସ୍ତଙ୍କୁ ମିଳିବ ନାହିଁ। କେବଳ ଖାଦ୍ୟ ସୁରକ୍ଷାରେ ସାମିଲ ଥିବା ହିତାଧିକାରୀ ହିଁ ଏହି କାର୍ଡ ପାଇବେ। ଖୋଦ୍‌ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହା ସ୍ୱୀକାର କରିଛନ୍ତି । ଏହା ସହିତ କେବଳ ୭୦ ବର୍ଷରୁ ଉର୍ଦ୍ଧ୍ବ ୬ ଲକ୍ଷ ବରିଷ୍ଠ ନାଗରିକ ଆୟୁଷ୍ମାନ ବୟୋବନ୍ଦନ ଯୋଜନା ପାଇଁ ଆବେଦନ କରିପାରିବେ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। […]

ଭୁବନେଶ୍ୱର : ଯାହା ଆଶଙ୍କା କରାଯାଉଥିଲା, ତାହା ସତ୍ୟରେ ପରିଣତ ହେଲା। ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ସମସ୍ତଙ୍କୁ ମିଳିବ ନାହିଁ। କେବଳ ଖାଦ୍ୟ ସୁରକ୍ଷାରେ ସାମିଲ ଥିବା ହିତାଧିକାରୀ ହିଁ ଏହି କାର୍ଡ ପାଇବେ। ଖୋଦ୍‌ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହା ସ୍ୱୀକାର କରିଛନ୍ତି । ଏହା ସହିତ କେବଳ ୭୦ ବର୍ଷରୁ ଉର୍ଦ୍ଧ୍ବ ୬ ଲକ୍ଷ ବରିଷ୍ଠ ନାଗରିକ ଆୟୁଷ୍ମାନ ବୟୋବନ୍ଦନ ଯୋଜନା ପାଇଁ ଆବେଦନ କରିପାରିବେ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀଙ୍କ ଏହି ଘୋଷଣା ପରେ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି ଉଭୟ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରୁ ବଞ୍ଚିତ ଜନସାଧାରଣ। ସେହିପରି ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀମାନେ ନୂତନ ପ୍ରଚଳିତ ଆୟୁଷ୍ମାନରେ ସାମିଲ ହୋଇ ପାରିବେ ବୋଲି କୁହାଯାଉଥିଲେ ହେଁ ସମସ୍ତେ ଉପକୃତ ହେବେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ।

ନିର୍ବାଚନ ପ୍ରଚାର ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ଆସିଥିବା ବିଜେପି ନେତା ଆୟୁଷ୍ମାନ ଭାରତ ଲାଗୁ ନ କରିବା ନେଇ ବିଜେଡି ସରକାରଙ୍କୁ ସମାଲୋଚନା କରିବା ସହ ବିଜେପି କ୍ଷମତାକୁ ଆସିଲେ ସମସ୍ତଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରାଯିବ ବୋଲି କହିଥିଲେ। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଲାଗୁ ହେଲେ ଓଡ଼ିଶାର ପ୍ରତ୍ୟେକ ପରିବାର ଏଥିରୁ ଉପକୃତ ହେବେ। ସରକାର ଗଢ଼ିବାର ୧୦ ମାସ ପରେ ରାଜ୍ୟରେ ଆୟୁଷ୍ମାନ ଲାଗୁ କରାଯାଇଥିବାବେଳେ ପୂର୍ବ ହିତାଧିକାରୀଙ୍କ ମଧ୍ୟରୁ ୫ ଲକ୍ଷ ହିତାଧିକାରୀଙ୍କୁ କାଟି ଦିଆଗଲା। ଏବେ ଅନ୍ୟମାନେ ମଧ୍ୟ ଏହାଦ୍ୱାରା ଲାଭାନ୍ୱିତ ହେବେ କି ନାହିଁ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବିଏସ୍‌କେୱାଇରେ ୩ କୋଟି ୫୬ ଲକ୍ଷ ହିତାଧିକାରୀ ଉପକ୍ରୁତ ହୋଇଥିଲା ବେଳେ ଆୟୁଷ୍ମାନ ଭାରତରେ ମାତ୍ର ୩ କୋଟି ୫୧ ଲକ୍ଷ ହିତାଧିକାରୀ ସାମିଲ ହୋଇଛନ୍ତି। କେଉଁ ଆଧାରରେ ଓ କେଉଁ ହିତାଧିକାରୀମାନଙ୍କୁ ଯୋଜନାରୁ ବଞ୍ଚିତ କରାଗଲା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି।

୨୦୧୩-୧୪ରେ ଓଡିଶାରେ ବିଜୁ କୃଷକ କଲ୍ୟାଣ ଯୋଜନା ଦେଶର ପ୍ରଥମ ସ୍ୱାସ୍ଥ୍ୟ ବୀମା ଯୋଜନା ପ୍ରଣୟନ କରି ନବୀନ ପଟ୍ଟନାୟକ ଉଦାହରଣ ସୃଷ୍ଟି କରିଥିଲେ। ପରବର୍ତ୍ତୀ ସମୟରେ ୨୦୧୮ ଅଗଷ୍ଟ ମାସରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଆସ୍ୟୁରାନ୍ସ ମୋଡ୍‌ରେ ଓଡିଶାରେ ଲାଗୁ କରିଥିଲେ। ବିଜେଡି ୬ଷ୍ଠ ଥର କ୍ଷମତାକୁ ଆସିଲେ, ସରକାରୀ ଚାକିରିଆଙ୍କ ସମେତ ସମସ୍ତଙ୍କୁ ଏଥିରେ ସାମିଲ କରିବା ପାଇଁ ଘୋଷଣା ହୋଇଥିଲା। ମାତ୍ର ବିଜେପି କ୍ଷମତାକୁ ଆସିବା ପରେ ବିଏସ୍‌କେୱାଇ ନାମ ପରିବର୍ତ୍ତନ କରି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କରିଛନ୍ତି ଓ ଏହା ସହ ଆୟୁଷ୍ମାନକୁ ସଂଯୋଗ କରାଯାଇ ଏକକ ଯୋଜନା ହୋଇଛି ।

ଅନ୍ୟପକ୍ଷରେ ଆୟୁଷ୍ମାନ ଭାରତରେ ଏପରି ସର୍ତ୍ତ ରଖାଯାଇଛି ଯେ ସାଧାରଣ ପରିବାର ଏଥିପାଇଁ ଆବେଦନ କରିପାରିବେ ନାହିଁ। ଆୟୁଷ୍ମାନ ଭାରତ ଓଡ଼ିଶାରେ ଲାଗୁ ହେବା ପରଠାରୁ ସରକାରୀ ଚାକିରୀଆ, ସେବାୟତ ଗୋଷ୍ଠୀ ଏବଂ ଅନ୍ୟ ଜନସାଧାରଣ ସେଥିରେ ସାମିଲ ପାଇଁ ସ୍ୱର ଉଠାଇଛନ୍ତି। ସେହିପରି ଆଗକୁ ଆହୁରି ଅନେକ ସଂଗଠନ ମଧ୍ୟ ସମାନ ଦାବି ନିମନ୍ତେ ସଜବାଜ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ସାମିଲ ଲୋକ, ନବୀନ କାର୍ଡ ପାଇଥିବା ଲୋକେ ଏବଂ ରାସନ କାର୍ଡରୁ ବାଦ ପଡିଥିବା ଲୋକଙ୍କୁ ଆୟୁଷ୍ମାନ କାର୍ଡ ମିଳିବ। ଏପରି ଭାବେ ୧ କୋଟି ୩ ଲକ୍ଷ ପରିବାରର ୩ କୋଟି ୫୦ ଲକ୍ଷ ଲୋକ ବ୍ୟକ୍ତିଗତ ଭାବେ ଉପକୃତ ହେବେ। ମାତ୍ର ଅନ୍ୟମାନେ କାଡର଼୍ ପାଇବେ କି ନାହିଁ, ସେ ସମ୍ପର୍କରେ ମନ୍ତ୍ରୀ ସମ୍ପୂର୍ଣ୍ଣ ନିରବ ରହିଛନ୍ତି।

About The Author: The Sakala