କଟକ: ଆସନ୍ତାକାଲି ଠାରୁ ଦୁର୍ଗାପୂଜା ଆରମ୍ଭ ହେଉ ଥିବା ବେଳେ ପୂଜା ତଥା ଭସାଣି ଉତ୍ସବକୁ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏ ନେଇ ଆଜି କଟକ ଇଣ୍ଡୋର ଷ୍ଟାଡିଅମରେ ଏକ ପୁଲିସ ବ୍ରିଫିଙ୍ଗର ଆୟୋଜନ କରାଯାଇ ଥିଲା । ଏହି ବ୍ରିଫିଙ୍ଗରେ ପୁଲିସ କମିଶନରଙ୍କ ସହ କଟକ ଡିସିପି, ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଏବଂ ଦଶହରାରେ ନିୟୋଜିତ ହେବାକୁ ଥିବା ସମସ୍ତ ପୁଲିସ କର୍ମଚାରୀମାନେ ଯୋଗ ଦେଇଥିଲେ।
ଏହି ବ୍ରିଫିଙ୍ଗରେ ଚଳିତ ବର୍ଷ କଟକ ଦୁର୍ଗା ପୂଜା ପାଇଁ ସହରରେ ମୋଟ ୫୫ ପ୍ଲାଟୁନ ପୁଲିସ ଫୋର୍ସ, ୬୩୬ ହୋମଗାର୍ଡ, ୮ ଶହରୁ ଉର୍ଦ୍ଧ୍ବ କନେଷ୍ଟବଳ, ୧୪୦ ଜଣ ହାବିଲଦାର, ୩୫୦ ସବ ଇନେସ୍ପେକ୍ଟର, ୫୦ରୁ ଉର୍ଦ୍ଧ୍ବ ଇନିସପେକଟର, ୩୪ ଜଣ DSP, ୮ ଜଣ ଅତିରିକ୍ତ ଡିସିପି ନିୟୋଜିତ ହେବେ ବୋଲି ସୂଚନା ଦିଆ ଯାଇଛି । ଏହା ସହିତ ୬ ଶହ ସିସିଟିଭିକୁ ନିୟୋଜିତ କରାଯାଇଛି। ଏହା ବ୍ୟତୀତ ସହରର ୩୨ଟି ସ୍ଥାନରେ ପୁଲିସ ଏଡ଼ ପୋଷ୍ଟ କରାଯାଇଛି।
ବିଶେଷକରି ସୁନା ଓ ରୁପା ମେଢ ମଣ୍ଡପ ଗୁଡିକରେ ସଶସ୍ତ୍ର ପୁଲିସ ମୁତୟନ ସହ ପୂଜା ମଣ୍ଡପର କର୍ମକର୍ତ୍ତା ସହିତ ସମନ୍ୱୟ ରଖିବା । ଦଶହରା ବୁଲିବାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା, ମଣ୍ଡପ ତଥା ମଣ୍ଡପ ବାହାରେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱ ଦେବା ପାଇଁ ନିର୍ଦେଶ ଦେଇଛନ୍ତି ପୁଲିସ କମିଶନର ସୋମେନ୍ଦ୍ର ପ୍ରିୟଦର୍ଶୀ ।