ଭୁବନେଶ୍ୱର: ବାଲିଅନ୍ତା ବର୍ବର କାଣ୍ଡ ଓ ଭିଡ଼ ହିଂସା ମାମଲା । ବାଲିଅନ୍ତାର ଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଛି ଆଉ ଏକ ବଡ଼ ସଫଳତା । ଆଉ ଜଣେ ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଟିମ୍ । ଅଭିଯୁକ୍ତ ଜଣକ ହେଲା ଅଶୋକ ଜେନା ଓରଫ ଗେଡ଼ । ଅଶୋକର ଘର କଟକ ସଦର ଥାନା ଅନ୍ତର୍ଗତ ଗଙ୍ଗେଶ୍ୱରଗଡା । ବୟସ ୪୫ ବର୍ଷ। ପଟିଆ ସ୍ଥିତ ହୋଟେଲ 'ରିଗାଲ ଷ୍ଟେ'ରେ ଲୁଚିଥିବା ବେଳେ କାବୁ କରିଛି କ୍ରାଇମବ୍ରାଞ୍ଚ। ଗିରଫ ପରେ ସାମ୍ନାକୁ ଆସିଛି ଅଭିଯୁକ୍ତର ବର୍ବର କାରନାମା ।
ତଦନ୍ତରୁ ଜଣାପଡ଼ିଛି ଯେ, ସୋମ୍ୟଙ୍କୁ ନିର୍ମମ ଭାବେ ମାଡ଼ ମାରାଯାଉଥିବା ସମୟରେ ଅଭିଯୁକ୍ତଙ୍କୁ ଅନେକ ଥର ତାଗିଦ୍ କରାଯାଇଥିଲା । ଏଭଳି ମାଡ଼ ମାରିଲେ ଫସିବ ବୋଲି ସତର୍କ କରାଯାଇଥିଲେ ମଧ୍ୟ ସେ କାହାର କଥା ଶୁଣିନଥିଲା । ବରଂ ଗାଳିଗୁଲଜ କରି ଅଧିକ ଉତ୍ତ୍ୟକ୍ତ ହୋଇ ସୋମ୍ୟଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମାରିଚାଲିଥିଲା ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ସେ ନିଜର ଜଣେ ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିବା ବେଳେ କ୍ରାଇମବ୍ରାଞ୍ଚ ଟିମ୍ ଚଢ଼ାଉ କରି ତାକୁ ଗିରଫ କରିଥିଲା । ସୋମ୍ୟ ହତ୍ୟାକାଣ୍ଡକୁ ନେଇ ସମଗ୍ର ଅଞ୍ଚଳରେ ଏବେବି ଉତ୍ତେଜନା ଲାଗି ରହିଥିବା ବେଳେ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିଛି । ଏହି ଘଟଣାରେ ସମୁଦାୟ ୧୭ ଜଣଙ୍କୁ ଗିରଫ କରିଛି । ପୂର୍ବରୁ କମିଶନରେଟ ପୋଲିସ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ କ୍ରାଇମବ୍ରାଞ୍ଚ ଅନ୍ୟ ୬ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।