କୋଟିଆରେ ପୁଣି ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶାର ଯୋଜନାକୁ ବିରୋଧ, ଭାଙ୍ଗିଦେଲେ ନାମଫଳକ

ପଟ୍ଟାଙ୍ଗି: ବିବାଦୀୟ କୋଟିଆ ପଞ୍ଚାୟତରେ ପୁଣି ଓଡ଼ିଶା ବିରୋଧରେ ଷଡ଼୍‌ଯନ୍ତ୍ର ଆରମ୍ଭ ହୋଇଯାଇଛି। ଆନ୍ଧ୍ରର କିଛି ଜନପ୍ରତିନିଧି ଗରିବ, ନିରୀହ ଲୋକଙ୍କୁ ମତେଇ ଫାଟୁସିନେରି ଅଞ୍ଚଳରେ ଲାଗିଥିବା ଓଡ଼ିଶା ସରକାରଙ୍କ ନାମ ଫଳକଗୁଡ଼ିକୁ ଭାଙ୍ଗି ଦେଇଛନ୍ତି। 

ସୂଚନାନୁଯାୟୀ, ଆନ୍ଧ୍ରପ୍ରଦେଶ କରିଥିବା ପଞ୍ଚାୟତ ତଥା ଫଗୁଣସିନେରି ଏବଂ ଫାଟୁସିନେରି ପଞ୍ଚାୟତର ଜନପ୍ରତିନିଧି ବେଶୁ ପାଙ୍ଗି ଏବଂ ସେମି ହିମେରିକଙ୍କ ନେତୃତ୍ୱରେ ରବିବାର ଏକ ବୈଠକ ବସିଥିଲା। ଏଥିରେ ଡୋଲିଆମ୍ୱା, ଫଗୁଣସିନେରି, ଫାଟୁସିନେରି, ହରମାଣ୍ଡେଙ୍ଗି, ମାଡକାର, ଡୋଲିଆମ୍ୱା ଆଦି ଗ୍ରାମବାସୀମାନେ ଯୋଗ ଦେଇଥିଲେ। ପରେ ସେମାନେ ଓଡ଼ିଶା ସରକାରଙ୍କ ଦ୍ୱାରା ହରମାଣ୍ଡେଙ୍ଗି ଛକ, ଡୋଲିଆମ୍ୱା ଛକ ଆଦି ସ୍ଥାନର ଲଗାଯାଇଥିବା ନାମ ଫଳକଗୁଡ଼ିକୁ ଚିରିବା ସହ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଆଜି ପୁଣି ହରମାଣ୍ଡେଙ୍ଗି ଛକରେ ଆନ୍ଧ୍ର ଜନପ୍ରତିନିଧି ତଥା ବେଶୁ ପାଙ୍ଗି ଏବଂ ସେମି ହିମେରିକଙ୍କ ନେତୃତ୍ୱରେ ବିଭିନ୍ନ ଗ୍ରାମବାସୀ ଏକତ୍ରିତ ହୋଇ ପୁଣିଥରେ ବୈଠକ କରିଥିଲେ। ଆଗାମୀ ଦିନରେ ଓଡ଼ିଶା ସରକାରଙ୍କ ସମସ୍ତ ଯୋଜନାଗୁଡ଼ିକୁ ବିରୋଧ କରିବା ନିମନ୍ତେ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଓଡ଼ିଶା ସରକାର ଏହି ଷଡ଼ଯନ୍ତ୍ରକୁ ଭଣ୍ଡୁର ନକଲେ ଆଗାମୀ ଦିନରେ କୋଟିଆ ଉପରେ ଆନ୍ଧ୍ରର କର୍ତ୍ତୃତ୍ବ ବଢ଼ିବାର ଆଶଙ୍କା ରହିଛି ବୋଲି କୁହାଯାଉଛି।

About The Author: Madhusudan Das