ଭୁବନେଶ୍ୱର: ଭାରତରେ ବୃଦ୍ଧି ପାଉଥିବା ଦୁଷ୍କର୍ମ, ଅପରାଧ ଓ ଆତଙ୍କବାଦ କାର୍ଯ୍ୟକଳାପକୁ ନେଇ ଚିନ୍ତା ପ୍ରକଟ କରିଛି ଯୁକ୍ତରାଷ୍ଟ୍ର ଆମେରିକା। ଭାରତ ଗସ୍ତରେ ଆସୁଥିବା ନିଜ ଦେଶର ପର୍ଯ୍ୟଟକ ଓ ଭାରତରେ ରହୁଥିବା ଆମେରିକୀୟଙ୍କ ସୁରକ୍ଷା ନିମନ୍ତେ ଟ୍ରମ୍ପ ପ୍ରଶାସନ ଚିନ୍ତାପ୍ରକଟ କରିବା ସହ ମାର୍ଗଦର୍ଶିକା ଜାରି କରିଛି। ବିଡ଼ମ୍ବନା ହେଉଛି ଯେ ଭାରତର ଯେଉଁ ୬ ରାଜ୍ୟକୁ ଆମେରିକା ଅସୁରକ୍ଷିତ ମନେ କରୁଛି, ସେହି ରାଜ୍ୟଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶା। ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା, ବିହାର, ଛତିଶଗଡ଼, ମେଘାଳୟ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଗସ୍ତ ନିମନ୍ତେ ନିଜ ନାଗରିକଙ୍କ ପାଇଁ ଦ୍ୱିତୀୟ ବର୍ଗ (ଲେଭଲ-୨) ସତର୍କସୂଚନା ଜାରି କରିଛି। ଓଡ଼ିଶାରେ ଆଇନଶୃଙ୍ଖଳା ଅବସ୍ଥାର ସାଂଘାତିକ ଅବନତିକୁ ଏହା ସୂଚାଉଛି ଓ ରାଜ୍ୟ ପାଇଁ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି। ସମ୍ଭବତଃ ପ୍ରଥମଥର ପାଇଁ ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶା ବିଶ୍ୱସ୍ତରରେ ଅଶାନ୍ତ ଓ ଅସୁରକ୍ଷିତ ରାଜ୍ୟ ରୂପେ କୁଖ୍ୟାତି ଅର୍ଜନ କରିଛି। ଆମେରିକାର ବୈଦେଶିକ ମନ୍ତ୍ରଣାଳୟର ଏପରି ସତର୍କ ସୂଚନା ପରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି କ’ଣ ତାହା ସ୍ୱତଃ ପ୍ରମାଣିତ ହୋଇଛି।
ଭାରତରେ ବଢ଼ୁଥିବା ଅପରାଧ, ଦୁଷ୍କର୍ମ ଓ ଆତଙ୍କବାଦକୁ ଦୃଷ୍ଟିରେ ରଖି ଆମେରିକା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ଭାରତର ପର୍ଯ୍ୟଟନସ୍ଥଳଗୁଡ଼ିକରେ ପର୍ଯ୍ୟଟକଙ୍କ ପ୍ରତି ବଢ଼ୁଥିବା ଅସଦାଚରଣ ଏବଂ ଅପରାଧକୁ ସର୍ବାଧିକ ସ୍ପର୍ଶକାତର ବୋଲି କୁହାଯାଇଛି। ଭାରତରେ ଆତଙ୍କବାଦ ଓ ଦୁଷ୍କର୍ମ ସର୍ବାଧିକ ବୃଦ୍ଧି ପାଇଛି। ତେଣୁ ଓଡ଼ିଶା, ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ, ମେଘାଳୟ ଓ ଛତିଶଗଡ଼ ଏକାକୀ ନ ଯିବାପାଇଁ ମହିଳାମାନଙ୍କୁ ପରାମର୍ଶ ଦିଆଯାଇଛି। ଏହା ସହ ପୂର୍ବ ମହାରାଷ୍ଟ୍ର, ଉତ୍ତର ତେଲଙ୍ଗାନା, ମଧ୍ୟପ୍ରଦେଶର ପୂର୍ବାଞ୍ଚଳକୁ ଯାତ୍ରା ପୂର୍ବରୁ ଆମେରିକୀୟ ପ୍ରଶାସନର ଅନୁମତି ନେବାକୁ କୁହାଯାଇଛି। ସେହିପରି ଭାରତରେ କାର୍ଯ୍ୟରତ ଆମେରିକୀୟ ସରକାର ସରକାରୀ କର୍ମଚାରୀଙ୍କୁ ମଧ୍ୟ ଏହି ମାର୍ଗଦର୍ଶିକା ଜାରି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ମଣିପୁର ଓ ଅନ୍ୟ ଉତ୍ତରପୂର୍ବ ରାଜ୍ୟଗୁଡ଼ିକୁ ମଧ୍ୟ ଯାତାୟତ ଉପରେ ନିଷେଧାଦେଶ ଜାରି କରାଯାଇଛି।
ବିଡ଼ମ୍ବନା ହେଉଛି ହିଂସା, ଦୁଷ୍କର୍ମ ଓ ଆତଙ୍କବାଦ କାର୍ଯ୍ୟକଳାପ ବୃଦ୍ଧିରେ ଅନ୍ୟ ରାଜ୍ୟଗୁଡ଼ିକ ସହ ଓଡ଼ିଶାକୁ ପର୍ଯ୍ୟଟକଙ୍କ ଯାତ୍ରା ଉପରେ ଆମେରିକା ପ୍ରଶାସନର ନିଷେଧାଦେଶ ରାଜ୍ୟକୁ ଆନ୍ତର୍ଜାତୀୟସ୍ତରରେ ଲଜ୍ଜିତ କରିଛି। ଦୀର୍ଘ ବର୍ଷ ହେଲା ସାରା ଦେଶରେ ଓଡ଼ିଶା ସବୁଠାରୁ ସୁରକ୍ଷିତ ଓ ଶାନ୍ତିପ୍ରିୟ ରାଜ୍ୟ ଭାବରେ ପରିଚିତି ପାଇ ଆସିଛି । ଜାତୀୟ ଓ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ଓଡ଼ିଶାକୁ ବୃଦ୍ଧି ପାଇଥିବା ଦୃଷ୍ଟାନ୍ତ ରହିଛି। ମାତ୍ର ଗତ ଏକ ବର୍ଷ ମଧ୍ୟରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିର ଅଧୋଗତି ଓ ଦୁଷ୍କର୍ମ ସଂଖ୍ୟା ବହୁଗୁଣ ବୃଦ୍ଧି ପାଇଛି। ହାରାହାରି ଦୈନିକ ଓଡ଼ିଶାରେ ୧୫ଟି ଦୁଷ୍କର୍ମ ଘଟଣା ଉଭୟ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଓଡ଼ିଶାର ଛବିକୁ ମଳିନ କରିଛି। ନିକଟରେ ଗୋପାଳପୁର ଗଣଧର୍ଷଣ ଘଟଣା ଜାତୀୟସ୍ତରରେ ଆଲୋଡ଼ନ ସୃଷ୍ଟି କରିଛି। ଅନୁରୂପ ଭାବରେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିର ଅବନତି ଓ ଅପରାଧ ବୃଦ୍ଧି ମଧ୍ୟ ଉଦ୍ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ମାତ୍ର ରାଜ୍ୟ ସରକାର ଏହାକୁ ସ୍ୱୀକାର କରୁନାହାନ୍ତି।
ଏପରି ସ୍ଥିତିରେ ଆମେରିକୀୟ ପ୍ରଶାସନର ସତର୍କ ସୂଚନା ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ସ୍ପଷ୍ଟ କରି ଦେଇଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ସରକାର ପରିବର୍ତ୍ତନ ପରେ ରାଜ୍ୟରେ ମହିଳା ବିରୋଧୀ ହିଂସା ଓ ଦୁଷ୍କର୍ମ ବୃଦ୍ଧି ପାଇଥିବା ଏବଂ ଆଇନଶୃଙ୍ଖଳାର ଚରମ ଅଧୋଗତି ଘଟିଥିବା ଏଥିରୁ ସ୍ପଷ୍ଟ ହୋଇଯାଇଛି।