ବାରଙ୍ଗ : ପୁଣି ଜୀବନ ନେଇଛି ‘ଆମ ବସ୍’। ରାସ୍ତାରେ ବାଇକ ନେଇ ଯାଉଥିବା ବେଳେ ପଛ ପଟୁ ଚଢାଇଦେଲା ଆମ ବସ। ଯାହା ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ଚାଲିଗଲା ଜୀବନ। ଏପରି ଘଟଣା ସୋମବାର ସନ୍ଧ୍ୟା ସମୟରେ ବାରଙ୍ଗ ବ୍ଲକ ଛକ ନିକଟରେ ଘଟିଛି।
ମିଳିଥିବା ସୂଚନା ଅନୁସାରେ ବାରଙ୍ଗ ବ୍ଲକ ଛକ ନିକଟରେ ଭୁବନେଶ୍ୱର ରୁ କଟକ ଯାଉଥିବା ୧୮ ନଂ ଆମ ବସ କଟକ ରାଣୀ ହାଟ ବେହେରା ସାହିର ଶୁଭେନ୍ଦୁ କୁମାର ପରିଡାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ହିଁ ଶୁଭେନ୍ଦୁଙ୍କ ଜୀବନ ଚାଲିଯାଇଥିଲା। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇବା ସହ କଟକ ଭୁବନେଶ୍ୱର ଯାତାୟତ ଠପ ହୋଇଯାଇଛି। ଆମ ବସ ଏଭଳି ବାରମ୍ବାର ଲୋକଙ୍କ ଉପରେ ଚଢ଼ାଇ ଜୀବନ ନେଉଥିବା କାରଣରୁ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ବସର କାଚ ଭାଙ୍ଗିବା ସହ ଗାଡ଼ି ଅଟକାଇ ରାସ୍ତା ରୋକ କରିଛନ୍ତି। ତେବେ ଏହି ଘଟଣା ନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ବାରଙ୍ଗ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି।