ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ଏନ୍ଏସିରେ ମତଦାତା ତାଲିକାର ଯାଞ୍ଚ ପ୍ରକ୍ରିୟା ସମୟରେ ଫର୍ମ-୭ ଆବେଦନର ଅପବ୍ୟବହାର ଅଭିଯୋଗ ଆଣି ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ ଦାବି କରିଛି ବିଜେଡି। ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହି ପ୍ରସଙ୍ଗ ଉତ୍ଥାପନ କରିବା ସହ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ନିକଟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଫର୍ମ-୭ର ଅପବ୍ୟବହାର ନେଇ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ବିଜେଡି। ଏହି ପରିପ୍ରେକ୍ଷୀରେ ଯାଞ୍ଚ ପ୍ରକ୍ରିୟାରେ ନିୟୋଜିତ ବୁଥ୍ସ୍ତରୀୟ ଅଧିକାରୀମାନଙ୍କ ପକ୍ଷରୁ ଧାମନଗର ଏନ୍ଏସି ସମ୍ପର୍କରେ ଧାମନଗର ଥାନାରେ ଦାଖଲ ହୋଇଥିବା ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗରେ ଥିବା ତଥ୍ୟ ଅନୁଯାୟୀ ଧାମନଗର ଏନ୍ଏସିର ନିର୍ବାହୀ ଅଧିକାରୀ-ସହକାରୀ ସହାୟକ ନିର୍ବାଚନ ଅଧିକାରୀ ସନ୍ତୋଷ କୁମାର ନାୟକ ଫର୍ମ-୭ ସମ୍ପର୍କିତ କାର୍ଯ୍ୟକଳାପରେ ବୁଥସ୍ତରୀୟ ଅଧିକାରୀମାନଙ୍କ ଉପରେ ଚାପ ପକାଉଛନ୍ତି। ଏଥିରେ ଏକକାଳୀନ ପାସ୍ୱାର୍ଡ ହାସଲ କରିବା ଏବଂ ନିର୍ଦ୍ଧାରିତ ନିର୍ବାଚନୀ ପ୍ରକ୍ରିୟା ଓ ସୁରକ୍ଷା ବ୍ୟବସ୍ଥା ପାଳନ ନକରି ମତଦାତାମାନଙ୍କ ନାମ ବାଦ୍ ଦେବା ପାଇଁ ପ୍ରୟାସ କରାଯାଇଛି। ଏପରି ନିର୍ଦ୍ଦେଶ ପାଳନ କରିବାକୁ ଅମଙ୍ଗ ହୋଇଥିବା ବୁଥସ୍ତରୀୟ ଅଧିକାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ସହ ଧମକ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜିଲ୍ଲା ପ୍ରଶାସନର ଜଣେ ଉପଯୁକ୍ତ ଅଧିକାରୀଙ୍କ ଦ୍ୱାରା ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ କରାଇବାକୁ ଦାବି କରିଛି ବିଜେଡି। ତଦନ୍ତରେ ବୁଥସ୍ତରୀୟ ଅଧିକାରୀମାନଙ୍କୁ ଫର୍ମ-୭ ଆବେଦନ ସମ୍ପର୍କରେ କୌଣସି ମୌଖିକ କିମ୍ୱା ଲିଖିତ ନିର୍ଦ୍ଦେଶ ଦିଆଯାଇଥିଲା କି ନାହିଁ, ସେହି ନିର୍ଦ୍ଦେଶ ପ୍ରଚଳିତ ନିର୍ବାଚନୀ ପ୍ରକ୍ରିୟା ସହ ସମନ୍ୱିତ ଥିଲା କି ନାହିଁ ଏବଂ ସ୍ୱାଧୀନ ଭାବେ ନିଜ ଦାୟିତ୍ୱ ନିର୍ବାହ କରିବାରେ ବୁଥ୍ସ୍ତରୀୟ ଅଧିକାରୀମାନଙ୍କ ଉପରେ କୌଣସି ପ୍ରକାର ଚାପ ପକାଇବାକୁ ଚେଷ୍ଟା କରାଯାଇଥିଲା କି ନାହିଁ, ତାହା ଯାଞ୍ଚ କରାଯିବା ଉଚିତ। ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ସନ୍ତୋଷ କୁମାର ନାୟକଙ୍କୁ ଫର୍ମ-୭ ସମ୍ପର୍କିତ ଦାୟିତ୍ୱରୁ ଅବ୍ୟାହତି ଦିଆଯାଉ। ଧାମନଗର ଏନ୍ଏସି ସମ୍ପର୍କିତ ଫର୍ମ-୭ ଆବେଦନ, ଏକକାଳୀନ ପାସ୍ୱାର୍ଡ ସମ୍ପର୍କିତ ରେକର୍ଡ, ଡିଜିଟାଲ ଓ ବୈଦ୍ୟୁତିକ ତଥ୍ୟ, ସ୍ୱୀକୃତିପତ୍ର, ସହାୟକ ଦଲିଲ, ବୁଥସ୍ତରୀୟ ଅଧିକାରୀଙ୍କ ରିପୋର୍ଟ, ସରକାରୀ ନିର୍ଦ୍ଦେଶ, ଯୋଗାଯୋଗ ଏବଂ ବୈଠକ ସମ୍ପର୍କିତ ରେକର୍ଡ ଅନ୍ତର୍ଭୁକ୍ତ ହେବା ଉଚିତ। ଫର୍ମ-୭ ମାଧ୍ୟମରେ ଯେଉଁ ସମସ୍ତ ମତଦାତାଙ୍କ ନାମ ବାଦ୍ ଦେବା ପାଇଁ ପ୍ରସ୍ତାବ ରହିଛି କିମ୍ୱା ବାଦ୍ ଦିଆଯାଇଛି, ସେମାନଙ୍କୁ ଚିହ୍ନଟ କରି ଉପଯୁକ୍ତ ଭାବେ ପୁନଃ ଯାଞ୍ଚ କରାଯିବା ଉଚିତ। ବିଶେଷକରି ଯେଉଁଠାରେ ସମ୍ପୃକ୍ତ ମତଦାତା ନିଜ ନାମ ବାଦ୍ ଦିଆଯିବାକୁ ନେଇ ଆପତ୍ତି ଉଠାଇଛନ୍ତି କିମ୍ୱା କୌଣସି ପ୍ରକ୍ରିୟାଗତ ଅନିୟମିତତା ଚିହ୍ନଟ ହୋଇଛି, ସେଠାରେ ପୁନଃ ଯାଞ୍ଚ କରାଯାଉ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି।
ଦଳର ଦାବି ଅନୁଯାୟୀ ନିର୍ବାଚନୀ ପ୍ରକ୍ରିୟାର ସ୍ୱଚ୍ଛତା ଓ ଅଖଣ୍ଡତା ପାଇଁ ବୁଥ୍ସ୍ତରୀୟ ଅଧିକାରୀମାନଙ୍କ ସ୍ୱାଧୀନତା ଓ ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ। ଅଧିକାରୀମାନଙ୍କୁ ତଦନ୍ତ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ସ୍ୱାଧୀନ ଭାବେ ନିଜ ବୟାନ ଦେବାର ସୁଯୋଗ ଦିଆଯାଉ। କେବଳ ତଦନ୍ତରେ ଅଂଶଗ୍ରହଣ କରିଥିବା କାରଣରୁ ସେମାନଙ୍କ ବିରୋଧରେ ପ୍ରତିଶୋଧମୂଳକ କିମ୍ୱା ଚାପମୂଳକ ପ୍ରଶାସନିକ ପଦକ୍ଷେପ ନିଆଯିବା ଉଚିତ ନୁହେଁ। ଧାମାୃନଗର ଘଟଣାରେ ଯଦି ଏକ ନିରପେକ୍ଷ ଓ ନ୍ୟାୟସଂଗତ ତଦନ୍ତ ପରେ ଏହି ଅଭିଯୋଗଗୁଡ଼ିକ ପ୍ରମାଣିତ ହୁଏ, ଦାୟୀ ବ୍ୟକ୍ତିମାନଙ୍କ ବିରୋଧରେ ପ୍ରଚଳିତ ଆଇନ, ନିର୍ବାଚନୀ ନିୟମ ଓ ସେବା ନିୟମାବଳୀ ଅନୁଯାୟୀ ଉପଯୁକ୍ତ ଶୃଙ୍ଖଳାଗତ ଓ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି। ଏହି ପ୍ରତିନିଧିମଣ୍ଡଳୀରେ ପ୍ରତାପ ଜେନା, ବିଜୟ ନାୟକ, ଡ. ଲେନିନ ମହାନ୍ତି, ଶେଖ୍ ନିଜାମୁଦ୍ଦିନ, ରିଜୱାନା ବେଗମ, ନିବେଦିତା ଜେନା, ବିଜୟ କେତନ ସାହୁ, ରହିମା ଖାତୁନ, ସୁଶାନ୍ତ କୁମାର ରାଉତ, ନଜମା ଖାତୁନ, ମହମ୍ମଦ ଫକିରଉଦ୍ଦିନ, ୟାସିନ ୟାସନ୍ତାନି କାଦିର, ଜଇନୁର ହକ୍ ପ୍ରମୁଖ ସାମିଲ ଥିଲେ।