ଭୁବନେଶ୍ୱର: ବିଏମ୍ସି ଅଞ୍ଚଳରେ ଥିବା ଡ୍ରେନ୍ଗୁଡ଼ିକର ପଙ୍କୋଦ୍ଧାର କାର୍ଯ୍ୟ ଶେଷ ହେବାକୁ ବସିଛି। ମୌସୁମୀ ଆସିବା ପୂର୍ବରୁ ସବୁ ଡ୍ରେନ୍ରୁ ପଙ୍କୋଦ୍ଧାର କାମ ଶେଷ କରିବାକୁ ଲକ୍ଷ୍ୟ ରଖି ବିଏମ୍ସି ଏହି କାମ ଜାରି ରଖିଛି। ମାତ୍ର ପଙ୍କୋଦ୍ଧାର ସମୟରେ ଯେଉଁ ଡ୍ରେନ୍ଗୁଡ଼ିକରେ ସ୍ଲାବ୍ କଢ଼ାଯାଇଥିଲା ସେଥି ମଧ୍ୟରୁ ବହୁ ଡ୍ରେନ୍ ଏବେ ମୁକୁଳା ପଡ଼ିରହିଛି। ଫଳରେ ବର୍ଷା ହେଲେ ଅନେକ ଡ୍ରେନ୍ରେ ଲୋକେ ଗଳିପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ବଡ଼ ବଡ଼ ଡ୍ରେନ୍ର ଗୋଟିଏ ଦୁଇଟି ସ୍ଲାବ୍ ହଟାଯାଇ ଏଠାରୁ ପୂରା ଡ୍ରେନ୍ର ପଙ୍କ କଢ଼ାଯାଏ। ପରବର୍ତ୍ତୀ ସମୟରେ ଡ୍ରେନ ସ୍ଲାବକୁ ପୁନର୍ବାର ଦେଇ ଦିଆଯାଏ। ମାତ୍ର ଚଳିତ ବର୍ଷ ଅନେକ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିବା ବେଳେ ଏହି ଅବହେଳା ଯୋଗୁଁ ଡ୍ରେନ୍ଗୁଡ଼ିକ ବିପଦସଂକୁଳ ଅବସ୍ଥାରେ ରହିଛି।
ବର୍ତ୍ତମାନ ମୁଖ୍ୟତଃ ୟୁନିଟ୍-୧, ଖାରବେଳ ନଗର, ପିଏମ୍ଜି ରୋଡ ଭଳି ଅଞ୍ଚଳରେ ଏହି ସମସ୍ୟା ହୋଇଥିବା ବେଳେ ଅନ୍ୟ ଲେନ୍ଗୁଡ଼ିକରେ ଏହି ସ୍ଥିତି ଦେଖିବାକୁ ମିଳିଛି। ତେବେ ମୌସୁମୀ ଆସିବାକୁ ଦିନ କେଇଟା ବାକି ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସ୍ଲାବ୍ ନ ପଡ଼ିଥିବାରୁ ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅବସ୍ଥାରେ ଅଛନ୍ତି। କାରଣ ବର୍ଷା ହେଲେ ସମ୍ପୂର୍ଣ୍ଣ ଅଞ୍ଚଳରେ ଜଳାର୍ଣ୍ଣବ ସ୍ଥିତି ସୃଷ୍ଟି ହୁଏ। କେଉଁଟା ରାସ୍ତା କେଉଁଟା ଡ୍ରେନ୍ ତାହା ଜଣାପଡ଼ି ନ ଥାଏ। ତେଣୁ ବର୍ଷା ପୂର୍ବରୁ ତୁରନ୍ତ ଡ୍ରେନ୍ର ସ୍ଲାବ୍ ପକାଇବା ପାଇଁ ଦାବି ହୋଇଛି। ଅନ୍ୟପଟେ କିଛି ସ୍ଥାନରେ ସ୍ଲାବଗୁଡ଼ିକ ଭାଙ୍ଗିଯାଇଥିବାରୁ ଏହାର ମରାମତି ମଧ୍ୟ ଆବଶ୍ୟକ ହେଉଛି। ହେଲେ ବିଏମ୍ସି ଡ୍ରେନ୍ ଡିଭିଜନ ଠିକା ସଂସ୍ଥା ଉପରେ କାମ ଛାଡ଼ି ଦେଇ ଚୁପ୍ ବସିଯାଇଥିବା ଲୋକେ ଅଭିଯୋଗ କରିଛନ୍ତି।
ମୁକୁଳା ଡ୍ରେନ୍ରେ ବ୍ୟାରିକେଡ୍ କରିବ ବିଏମ୍ସି
ଆସନ୍ତା ୭ ଦିନ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ଥିବା ସମସ୍ତ ମୁଖ୍ୟ ଡ୍ରେନ୍ ସହ ଶାଖା ଡ୍ରେନ୍ଗୁଡ଼ିକ ସଫା କରିବାକୁ ସମସ୍ତ ଏଜେନ୍ସିଙ୍କୁ ବିଏମ୍ସି ମେୟର ସୁଲୋଚନା ଦାସ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ବିଏମ୍ସି ମୁଖ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ଡ୍ରେନେଜ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। କେତେକ ୱାର୍ଡରେ ଶତପ୍ରତିଶତ ଡ୍ରେନ୍ ସଫା ହୋଇସାରିଥିବା ବେଳେ କେତେକ ୱାର୍ଡରେ ୯୦ ଓ ଆଉ କେତେକ ୱାର୍ଡରେ ୬୦ରୁ ୮୦ ପ୍ରତିଶତ ଡ୍ରେନ୍ ସଫା ହୋଇସାରିଛି ବୋଲି ମେୟରଙ୍କୁ ଅବଗତ କରାଯାଇଛି। ମୌସୁମୀ ବର୍ଷା ଆସିବା ପୂବରୁ ଏହି କାର୍ଯ୍ୟ ତୁରନ୍ତ ସାରିବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି। ଏଜେନ୍ସିଗୁଡ଼ିକ ଆସନ୍ତା ୭ ଦିନ ମଧ୍ୟରେ ଅଧିକ ଲୋକ ଲଗାଇ ଡ୍ରେନଗୁଡ଼ିକୁ ସଫା କରିବା ପାଇଁ ବୈଠକରେ ପ୍ରତିଶ୍ରୁତି ଦେଇଛନ୍ତି।
ବର୍ତ୍ତମାନ ବିଏମ୍ସି ଅଞ୍ଚଳରେ ୭୭ କିଲୋମିଟର ବିଶିଷ୍ଟ ୧୦ଟି ମୁଖ୍ୟ ଡ୍ରେନ ରହିଛି। ସେହିପରି ମହାନଗର ନିଗମ ଅଞ୍ଚଳର ବିଭିନ୍ନ ୱାର୍ଡରେ ପ୍ରାୟ ୯୨୫ କିଲୋମିଟର ଶାଖା ଡ୍ରେନ ରହିଛି। ସେଗୁଡିକ ମଧ୍ୟରୁ ଅନେକ ସଫା ହୋଇସାରିଛି। ବାକିଥିବା ଡ୍ରେନଗୁଡ଼ିକରୁ ପଙ୍କୋଦ୍ଧାର କରିବା ସହ ବାହାରୁଥିବା ପଙ୍କକୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ମେୟର ନିର୍ଦେଶ ଦେଇଛନ୍ତି। ସାତ ଦିନ ମଧ୍ୟରେ ଡ୍ରେନ ସଫା ନ କଲେ ସମ୍ପୃକ୍ତ ଏଜେନ୍ସି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। କେତେକ ମୁକୁଳା ଡ୍ରେନ ପାର୍ଶ୍ବରେ ବ୍ୟାରିକେଡ ହୋଇ ନାହିଁ, ବ୍ୟାରିକେଡ ହୋଇ ନ ଥିବା ଡ୍ରେନ୍ ପାର୍ଶ୍ବରେ ବ୍ୟାରିକେଡ ନିର୍ମାଣ କରିବାକୁ କୁହାଯାଇଛି। ବର୍ଷା ଦିନେ ଯେପରି କୌଣସି ଦୁର୍ଘଟଣା ନ ଘଟେ ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ମଧ୍ୟ କୁହାଯାଇଛି।
ଆସନ୍ତା କାଲିଠାରୁ କେଉଁ ୱାର୍ଡରେ କେତେ କିଲୋମିଟର ଡ୍ରେନ୍ ଓ ରାସ୍ତା ରହିଛି, ତାହାକୁ ମାପିବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରତ୍ୟେକ ୱାର୍ଡର କର୍ପୋରେଟର, ସମ୍ପୃକ୍ତ ଏଜେନ୍ସି ଏବଂ ସାନିଟାରୀ ଇନ୍ସପେକ୍ଟର ମିଳିତ ଭାବେ ଏହି ମାପ କରିବେ। ଦୁଇ ଦିନ ମଧ୍ୟରେ ରାସ୍ତା ଓ ଡ୍ରେନ୍ ମାପ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ମୌସୁମୀ ଆସିବା ପୂର୍ବରୁ ଜାତୀୟ ରାଜପଥ ପ୍ରାଧିକରଣ ଓ ବିଏମ୍ସି ତୁରନ୍ତ କାମ ଶେଷ କରିବା ପାଇଁ ପଦକ୍ଷେପ ନେଇଥିବା ବେଳେ ପୂର୍ତ୍ତ ବିଭାଗ କାର୍ଯ୍ୟ କରିବାରେ ବିଳମ୍ବ କରୁଛି ବୋଲି ବୈଠକରେ କୁହାଯାଇଛି। ବିଏମ୍ସି କାମ ଶେଷ ହେବା ପରେ ଆବଶ୍ୟକ ପଡ଼ିଲେ, ବିଏମ୍ସି ଡ୍ରେନ୍ ସଫେଇ କାର୍ଯ୍ୟରେ ପୂର୍ତ୍ତ ବିଭାଗକୁ ସହାୟତା କରିବ ବୋଲି ମେୟର କହିଛନ୍ତି।