ଖୁବ୍ ଶୀଘ୍ର ଗର୍ଭବତୀଙ୍କୁ ମିଳିବ କରୋନା ଟିକା। ଜୁଲାଇ ୧୫ ତାରିଖ ପରେ ଗର୍ଭବତୀ ମାନଙ୍କୁ ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଆଜି ଏ ନେଇ ଜାରି ହେବ ଗାଇଡଲାଇନ୍ । ଯେଉଁ ଜିଲ୍ଲାରେ ପୂର୍ବରୁ ଯେଉଁ ଟିକା ଦିଆ ଯାଉଛି ସେହି ଟିକା ଦିଆଯିବ । ୧୫ ତାରିଖ ପୂର୍ବରୁ ଏଏନଏମ, ଆଶା, ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ତାଲିମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗର୍ଭବତୀଙ୍କୁ କୋଭିଡ୍ ହେଲେ, ଅଧିକ ବିପଦ ଆଶଙ୍କା ଥିବାରୁ ବିଶେଷଜ୍ଞମାନେ ଗର୍ଭବତୀଙ୍କୁ ଟିକା ଦେବାକୁ ପରାମର୍ଶ ଦେଇଛନ୍ତି । ଆଜି ସକାଳେ ୧ ଲକ୍ଷ ୭୩ ହଜାର କୋଭାକ୍ସିନ ଟିକା ପହଞ୍ଚିଛି । ଟିକା ଅଭାବରୁ ୫ ଜିଲ୍ଲାରେ ଆଜି ଟିକାକରଣ ବନ୍ଦ ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ସେପଟେ ଯେଉଁଠି କରୋନା ଅଧିକ ପରିମାଣରେ ଚିହ୍ନଟ ହୋଇଛି, ତାକୁ ସ୍ୱତନ୍ତ୍ର ଫୋକସ୍ କରିଛନ୍ତି ସରକାର । ସଂକ୍ରମଣ ବଢ଼ିବା ଓ କମିବା ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି । ୫ଟି ଉପକୂଳ ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ୪ ମାସ ଧରି ଡୋର୍ ଟୁ ଡୋର୍ ସର୍ଭେ କରୁଛନ୍ତି ସରକାର । ରୋଗୀ ଚିହ୍ନଟ ସହ ସଂଗରୋଧର ବ୍ୟବସ୍ଥା କରାଯାଉଛି ।