କଟକ: ଦୀର୍ଘ ୧୮ ବର୍ଷ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରିବା ପରେ ଜନୈକ ଅଧ୍ୟାପକଙ୍କୁ କାର୍ଯ୍ୟରୁ ଅନ୍ତର ନିର୍ଦ୍ଦେଶକୁ ଚାଲେଞ୍ଜ କରି ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ୱର ସହିତ ଗ୍ରହଣ କରିଛନ୍ତି। ମାମଲାର ଶୁଣାଣି କରି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ଗଣିଆସ୍ଥିତ ଶ୍ରୀ ଶ୍ରୀ ରଘୁନାଥଜିଉ ଉଚ୍ଚ ମାଧ୍ୟମିକ ସ୍କୁଲର ପରିଚାଳନା ପରିଷଦ ସଭାପତି ତଥା ନୟାଗଡ଼ ଉପ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ଏଥିସହ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
ମାମଲାରୁ ପ୍ରକାଶ ଯେ ୨୦୦୭, ମାର୍ଚ୍ଚ ୨୦ର ବିଜ୍ଞପ୍ତି ଅଧାରରେ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାରେ ଚୟନ ପରେ ୨୦୦୭ଏପ୍ରିଲ ୩୦ରେ ଆବେଦନକାରୀ ଓଡ଼ିଆ ଅଧ୍ୟାପକ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ଅନୁଷ୍ଠାନର ପରିଚାଳନା ପରିଷଦ ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲା। ପରବର୍ତ୍ତୀ ସମୟରେ ଓଡ଼ିଆ ଅଧ୍ୟାପକ ଭାବେ ଆବେଦନକାରୀଙ୍କୁ ବ୍ଲକ ଗ୍ରାଣ୍ଟ ପ୍ରଦାନ ପାଇଁ ଅଧ୍ୟକ୍ଷଙ୍କ ତରଫରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ବ୍ଲକ ଗ୍ରାଣ୍ଟ ପ୍ରଦାନ ପ୍ରସଂଗ ସରକାରଙ୍କ ନିକଟରେ ବିଚାରାଧୀନ ଥିବା ବେଳେ ଆବେଦନକାରୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିଲା। ୨୦୨୫, ମାର୍ଚ୍ଚ ୩୧ ତାଙ୍କ ଶେଷ କାର୍ଯ୍ୟଦିବସ ବୋଲି ୨୦୨୪, ମାର୍ଚ୍ଚ ୧୮ରେ ଅଧ୍ୟକ୍ଷ ଜାରି କରିଥିବା ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଥିଲା। ବିନା କାରଣରେ ତାଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ଦର୍ଶାଇ ହାଇକୋର୍ଟରେ ଏହି ମାମଲା ଦାୟର ହୋଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଡକ୍ଟର ପୁରୁଷୋତ୍ତମ ଚୁଳି ମାମଲା ପରିଚାଳନା କରୁଛନ୍ତି ।