ଭୁବନେଶ୍ବର : ଆପଣ ଯାହା ଖାଉଛନ୍ତି ତାହା ଅସଲି ତ! ଏବେ ଏହି ପ୍ରଶ୍ନ ନିଜକୁ ନଜେ ପଚାରନ୍ତୁ, କାରଣ ସାରା ରାଜ୍ୟରେ ମାଡି ଚାଲିଛି ଭେଜାଲ ଖାଦ୍ୟ ପଦାର୍ଥର ବିକ୍ରି। ଅଧିକ ଲାଭ ପାଇବା ଆଶାରେ କିଛି ମୁନାଫାଖୋର ଲୋକ ଏପରି କରୁଛନ୍ତି। ଆଉ ଯାହାକୁ ଖାଇ ଲୋକମାନେ ବହୁ ରୋଗରେ ପଡୁଛନ୍ତି।
ତେବେ ରାଜ୍ୟରେ ଚାଲିଥିବା ଏହି ଭେଜାଲ ଖାଦ୍ୟ ବିକ୍ରିକୁ ନେଇ ଆଜି ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦେଇଥିବା ତଥ୍ୟ ଆପଣଙ୍କ ନିଦ ହଜାଇଦେବ। କାରଣ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଅପମିଶ୍ରିତ ଖାଦ୍ୟ କାରବାର ବହୁ ମାତ୍ରାରେ ରହିଛଇ। ଚା, ବିସ୍କୁଟ, ସସ୍, ଗରମ ମସଲା, ଅଟା, ହରଲିକ୍ସ, ଲଙ୍କାଗୁଣ୍ଡା, ଚାଉମେନ, ଆଇସ କ୍ରିମ, ହଳଦୀ, ରୋଷେଇ ତେଲ, ଚକଲେଟ, ମିକ୍ସଚର, ପାଣି, ମଇଦା, କଷ୍ଟର୍ଡ ପାଉଡ଼ର, ଛତୁଆ ସବୁ ଭେଜାଲ ବିକ୍ରି ଦେଉଥିବା ଅଭିଯୋଗ ରହିଛି।
ଗତ ଦୁଇ ବର୍ଷ ଭିତରେ ଖାଦ୍ୟ ନିରାପତ୍ତା ପରୀକ୍ଷାଗାରରେ ପରୀକ୍ଷା ହେବା ପରେ ମିଳିଛି ଅପମିଶ୍ରିତ ଖାଦ୍ୟର ପ୍ରମାଣ। ବରଗଡ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାକୁ ବାଦ ଦେଲେ ବାକି ସବୁ ଜିଲ୍ଲାରେ ଭେଜାଲ ଖାଦ୍ୟ ମିଳୁଛି ବୋଲି ଗୃହରେ ଲିଖିତ ଉତ୍ତର ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।