ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଉତ୍କଟ ଅବ୍ୟବସ୍ଥାକୁ ନେଇ ଆଜି ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ପ୍ରାୟ ୫୦୦ ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ରାଜରାସ୍ତାକୁ ଓହ୍ଲାଇଛନ୍ତି।
ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଛାତ୍ରଛାତ୍ରୀମାନେ ଶ୍ୟାମସୁନ୍ଦରପୁରରୁ ବାଙ୍ଗିରିପୋଷି ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ପ୍ରାୟ ୧୦ କିଲୋମିଟର ପାଦରେ ଚାଲି ଚାଲି ବାହାରିଥିଲେ। ଜିଲ୍ଲାପାଳଙ୍କ ନିକଟରେ ନିଜ ଦାବି ଉପସ୍ଥାପନ କରିବା ପାଇଁ ଆବଶ୍ୟକ ପଡ଼ିଲେ ମୋଟ ୫୦ କିଲୋମିଟର ପଦଯାତ୍ରା କରିବେ ବୋଲି ଛାତ୍ରଛାତ୍ରୀମାନେ ଜିଦ୍ ଧରିଛନ୍ତି। ଏହି ପଦଯାତ୍ରା ବାଙ୍ଗିରିପୋଷି ନିକଟରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀମାନେ ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି କଲିକତା ଛକ ନିକଟରେ ରାସ୍ତା ଅବରୋଧ କରି ଧାରଣାରେ ବସି ରହିଥିଲେ।
ରାସ୍ତାରୋକ ଯୋଗୁଁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ିମଟର ଅଟକି ରହି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଥିଲା। ଛାତ୍ରଛାତ୍ରୀଙ୍କ ଏଭଳି ପ୍ରତିବାଦ ଦେଖି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଖବର ପାଇ ପୁଲିସ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା ଜାରି ରଖିଥିବା ବେଳେ ପିଲାମାନେ ନିଜ ଜିଦ୍ରେ ଅଟଳ ରହିଛନ୍ତି।