ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ଫାଟକ ସାମ୍ନାରେ ଫୁଟ୍ପାଥ୍। ଫାଟକର ବାମକୁ ଲାଗି ଡିଭାଇଡର୍ ଅଛି। ମୁଖ୍ୟରାସ୍ତାକୁ ଯିବା ପାଇଁ ହେଲେ ଫାଟକରୁ ବାହାରୁ ବାହାରୁ ବାମକୁ ବୁଲି ରୁପାଲି-ବାଣୀବିହାର ରାସ୍ତା ବୁଲି ଯିବାକୁ ପଡ଼ୁଛି। ସେହିପରି ରାସ୍ତାରୁ ଭିତରକୁ ଯିବାକୁ ହେଲେ ମୁଖ୍ୟ ଫାଟକ ଅତିକ୍ରମ କରି ବାମକୁ ୟୁ ଟର୍ଣ୍ଣ କରି ଭିତରକୁ ବୁଲି ଯିବାକୁ ପଡ଼ୁଛି। ଫଳରେ ବହୁ ସମୟରେ ଏଠାରେ ଛୋଟବଡ଼ ଦୁର୍ଘଟଣା ହେଉଛି।
ସୂଚନା ଅନୁଯାୟୀ, ବିଶ୍ୱବିଦ୍ୟାଳୟ ଫାଟକ ନିର୍ମାଣ ପୂର୍ବରୁ ରାସ୍ତା ଓ ଡିଭାଇଡର୍ ନିର୍ମାଣ କରାଯାଇଛି। ଫାଟକ ନିର୍ମାଣ କରିବା ପରେ ଏହାର ବାମପାର୍ଶ୍ବରେ ଡିଭାଇଡର୍ ରହିଛି। ଭିତରୁ ବାହାରିବା ବେଳେ ରାସ୍ତାରୁ ଆସୁଥିବା ଯାନବାହାନ ସଠିକ ଭାବେ ଦେଖାଯାଉ ନ ଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ସେହିପରି ରାସ୍ତାରୁ ଭିତରକୁ ଯାଉଥିବା ଯାନବାହନ ଫାଟକର ପ୍ରବେଶ ବଦଳରେ ପ୍ରସ୍ଥାନ ବାଟଦେଇ ବାହାରକୁ ଯାଉଛି। ପ୍ରବେଶ ପଥ ଦେଇ ଭିତରକୁ ଯିବାକୁ ହେଲେ ଅଧିକ ବାମକୁ ଯିବାକୁ ପଡ଼ୁଛି। ଏପରିକି ବଡ଼ ଗାଡ଼ି ଏକାଥରେ ବୁଲିପାରୁ ନ ଥିବା ମଧ୍ୟ ଦେଖାଯାଉଛି। ତେଣୁ ଫାଟକର ପ୍ରବେଶ ପଥ ଏକରକମ ବନ୍ଦ ହୋଇଯାଇଛି। ପ୍ରସ୍ଥାନ ପଥରେ ଉଭୟ ଯିବା ଆସିବା ହେଉଛି।
ଏନେଇ ଫାଟକରୁ ରାସ୍ତାକୁ ସଳଖ ରାସ୍ତା କରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ), ଭୁବନେଶ୍ୱର ମହାନଗର ନିଗମ (ବିଏମସି), ସ୍ମାର୍ଟ ସିଟି ଅଥରିଟି ଓ ଉଚ୍ଚଶିକ୍ଷା ବିଭାଗକୁ ବାରମ୍ବାର ଅବଗତ କରାଯାଇଛି। ହେଲେ ଦୀର୍ଘ ୩ ବର୍ଷ ବିତିଯିବା ପରେ ମଧ୍ୟ କୋଣସି ସଂସ୍ଥା ପଦକ୍ଷେପ କରି ନାହାନ୍ତି ବୋଲି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ଅପରାଜିତା ଚୌଧୁରୀ କହିଛନ୍ତି। ଫଳରେ ବିପଦପୂର୍ଣ୍ଣ ଭାବେ ସମସ୍ତେ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି। ଉକ୍ତ ଅଞ୍ଚଳ ବିଶ୍ୱବିଦ୍ୟାଳୟ ଅଧୀନରେ ଆସୁ ନ ଥିବାରୁ ସଳଖ ରାସ୍ତା ସେମାନେ କରିପାରୁ ନ ଥିବା ମଧ୍ୟ କ୍ଷୋଭର ସହ ପ୍ରକାଶ କରିଛନ୍ତି।