ସତ ହେଲା ଦ୍ବିତୀୟ ସାଲବେଗଙ୍କ ସ୍ବପ୍ନ : ସାମ୍‍ ଚାଚା ଗାଇଲେ ଜଗନ୍ନାଥ ଭଜନ

କଟକ : ‘ନୀଳାଦ୍ରି କନ୍ଦର ମନ୍ଦିର ନିବାସୀ, ଆହେ ଚକାଆଖି ଭାବର ସରସୀ, ତୁମେ ଦୀନବନ୍ଧୁ ଭକତ ବତ୍ସଳ, ମୁଁ ତୁମ କରୁଣା ସିନ୍ଧୁର ମରାଳ…। ସିଡିଏ ସେକ୍ଟର-୯ସ୍ଥିତ ପ୍ରତିଭା ଷ୍ଟୁଡ଼ିଓରେ ଏହି ଗୀତର ରେକର୍ଡିଂ କରାଯାଇଛି। ଭାବରେ ଭରପୂର ଏହି ଜଗନ୍ନାଥ ଭଜନକୁ ଆବେଗଭରା କଣ୍ଠରେ ଗାନ କରିଥିଲେ କିଶୋରନଗର ଥାନା ଅନ୍ତର୍ଗତ ପ୍ରହରାଜପୁର ଗ୍ରାମର ସାମ୍‍ ଚାଚା ଓରଫ ସମଦ୍‍ ନିଜାମୀ। ବର୍ତ୍ତମାନ ସମୟରେ ସାଲବେଗ ଭାବେ ଜଣାଶୁଣା, ସାମ୍‍ ଚାଚା। ତାଙ୍କୁ ଗୀତ ଗାଇବାର […]

କଟକ : ‘ନୀଳାଦ୍ରି କନ୍ଦର ମନ୍ଦିର ନିବାସୀ, ଆହେ ଚକାଆଖି ଭାବର ସରସୀ, ତୁମେ ଦୀନବନ୍ଧୁ ଭକତ ବତ୍ସଳ, ମୁଁ ତୁମ କରୁଣା ସିନ୍ଧୁର ମରାଳ…। ସିଡିଏ ସେକ୍ଟର-୯ସ୍ଥିତ ପ୍ରତିଭା ଷ୍ଟୁଡ଼ିଓରେ ଏହି ଗୀତର ରେକର୍ଡିଂ କରାଯାଇଛି। ଭାବରେ ଭରପୂର ଏହି ଜଗନ୍ନାଥ ଭଜନକୁ ଆବେଗଭରା କଣ୍ଠରେ ଗାନ କରିଥିଲେ କିଶୋରନଗର ଥାନା ଅନ୍ତର୍ଗତ ପ୍ରହରାଜପୁର ଗ୍ରାମର ସାମ୍‍ ଚାଚା ଓରଫ ସମଦ୍‍ ନିଜାମୀ। ବର୍ତ୍ତମାନ ସମୟରେ ସାଲବେଗ ଭାବେ ଜଣାଶୁଣା, ସାମ୍‍ ଚାଚା। ତାଙ୍କୁ ଗୀତ ଗାଇବାର ସୁଯୋଗ ଦେବେ ବୋଲି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପ୍ରତିଶ୍ରୁତି ଦେଇଥିଲେ। ଏହାକୁ ଆଜି ବର୍ଷା ପୂରଣ କରିଛନ୍ତି। ଏହି ଭଜନକୁ ‘ନନ୍ଦିଘୋଷ’ ଚ୍ୟାନେଲର ମୁଖ୍ୟ ସମ୍ପାଦକ ଶିଶିର କୁମାର ଭଟ୍ଟମିଶ୍ର ରଚନା କରିଥିବା ବେଳେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲେ।

ସାମ ଚାଚା, ପିଲାଟି ଦିନରୁ ଦୃଷ୍ଟିହୀନ। ୪/୫ ମାସ ବୟସ ହୋଇଥିବା ବେଳେ ଏକ ଅଜଣା ରୋଗରେ ତାଙ୍କ ଦୁଇଟି ଯାକ ଆଖି ନଷ୍ଟ ହୋଇଯାଇଥିଲା। ଜାତିରେ ଯବନ, ଅଭାବ ଅନଟନ ଭିତରେ ବଡ଼ ହୋଇଥିବା ସାମ ଚାଚା ଜଗନ୍ନାଥ ଭଜନ ଓ ଜଣାଣ ପ୍ରତି ଆକୃଷ୍ଟ ହୋଇଥିଲେ। ୧୯୭୪ରେ କଳାବିକାଶ କେନ୍ଦ୍ରରେ ଆରମ୍ଭ କରିଥିଲେ ସଙ୍ଗୀତ ଶିକ୍ଷା। ହେଲେ ଆର୍ଥିକ ସମସ୍ୟା ତାଙ୍କ ଶିକ୍ଷାକୁ ସମ୍ପୂର୍ଣ୍ଣ କରିଦେଲାନି। ତେବେ ଗୀତ ଗାଇବା ଥିଲା ତାଙ୍କ ନିଶା। ଭଜନ ସମ୍ରାଟ ଭିକାରୀ ବଳଙ୍କ ଗୀତକୁ ପ୍ରାଣଭରି ଭଲ ପାଉଥିଲେ ସେ। ତାଙ୍କରି ଗୀତକୁ ଗାଇ ସେ ପାଆନ୍ତି ଅତୃପ୍ତ ଆନନ୍ଦ। କେବଳ ଜଣେ ଭଲ କଣ୍ଠଶିଳ୍ପୀ ନୁହନ୍ତି, ହାରମୋନିୟମ, ତବଲା, ଢ଼ୋଲକ, ଗିଟାର ବଜାଇବାରେ ମଧ୍ୟ ସେ ସିଦ୍ଧହସ୍ତ। ଏଭଳି ଜଣେ କଳାକାରଙ୍କୁ କିଛି ଦିନ ତଳେ ପ୍ରହରାଜପୁର ଗ୍ରାମକୁ ଯାଇ ଭେଟିଥିଲେ ଓଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ବର୍ଷା।

ଏହି ଅବସରରେ ଖୁବଶୀଘ୍ର ସେ ଷ୍ଟୁଡ଼ିଓକୁ ଆସି ଏକ ଗୀତ ଗାଇବେ ବୋଲି ବର୍ଷା କହିଥିଲେ। ଏହି କଥା, ସତ ହୋଇଛି। ଆଜି ସାମ୍‍ ଚାଚା, ଷ୍ଟୁଡ଼ିଓରେ ପାଦ ପକାଇଛନ୍ତି। ଏକ ଘଣ୍ଟା ଧରି ତାଙ୍କ ଦ୍ୱାରା ଗୀତ ରେକର୍ଡ କରାଯାଇଛି। ଏକ ନିଚ୍ଛକ ଓଡ଼ିଆ ଭାଷା ଓ ଜଗନ୍ନାଥ ଭାବରେ ଛନ୍ଦି ହୋଇଥିବା ଗୀତଟିଏ ପ୍ରସ୍ତୁତ ହୋଇଛି। ‘ନନ୍ଦିଘୋଷ’ ଚ୍ୟାନେଲର ମୁଖ୍ୟ ସମ୍ପାଦକ ଶିଶିର ସ୍ୱତନ୍ତ୍ର ଭାବେ ଉକ୍ତ ଗୀତ ପାଇଁ ଗୀତିକାର ଦାୟିତ୍ୱ ବହନ କରିଥିଲେ। ‘ଉଡିବାବା ମ୍ୟୁଜିକ’ ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଥିଲା। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ପ୍ରେମାନନ୍ଦ କୁହନ୍ତି, ସାମ୍‍ ଚାଚାଙ୍କ ସ୍ୱରରେ ଭାବ ଭରି ହୋଇଥିଲା। ଗୀତକୁ ଗାଇବା ବେଳେ ବେଶ୍‍ ଖୁସି ଅନୁଭବ କରୁଥିଲେ ବୋଲି ବାରି ହୋଇ ପଡ଼ୁଥିଲା। ମାତ୍ର ୧ ଘଣ୍ଟା ଭିତରେ ଗୀତକୁ ଭଲଭାବେ ସେ ଗାଇଥିଲେ ବୋଲି ପ୍ରେମାନନ୍ଦ କହିଛନ୍ତି। ଏ ସମ୍ପର୍କରେ ଅଭିନେତ୍ରୀ ବର୍ଷା କୁହନ୍ତି ଯେ ତାଙ୍କୁ ଷ୍ଟୁଡିଓରେ ଆଣି ଗୀତ ବୋଲାଇବି ବୋଲି କଥା ଦେଇଥିଲି। କଥା ରଖିଲି। ତାଙ୍କ ସ୍ୱରରେ ଯେଉଁ ଯାଦୁ ରହିଛି, ତାହାକୁ କିପରି ସମଗ୍ର ଓଡ଼ିଶାବାସୀ ଶୁଣି ପାରିବେ, ତାହା ପାଇଁ ଏହା ଏକ ଛୋଟ ପ୍ରୟାସ ମାତ୍ର।

About The Author: The Sakala