ଭୁବନେଶ୍ୱର : କମ୍ ବେତନଧାରୀ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଇଏସ୍ଆଇ ଡାକ୍ତରଖାନା ପ୍ରତିଷ୍ଠା କରାଯାଇଛି। କିନ୍ତୁ ରାଜ୍ୟର ଇଏସ୍ଆଇ ଡାକ୍ତରଖାନାରେ ରୋଗୀ ସେବା ଗୁରୁତର ସ୍ଥିତି ଦେଇ ଗତି କରୁଛି। ରାଜ୍ୟରେ ଥିବା ଇଏସ୍ଡି ଡାକ୍ତରଖାନାରେ ପ୍ରାୟ ୮୦% ଡାକ୍ତର ପଦ ଖାଲି ପଡ଼ିଛି। ବିଧାନସଭାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତରରେ ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ ଭୁବନେଶ୍ୱର, କଟକ ଜିଲ୍ଲାର ଚୌଦ୍ୱାର, ରାୟଗଡ଼ାର ଜେକେପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାର କାଂଶବାହାଲଠାରେ ଗୋଟିଏ ଲେଖାଏଁ ଇଏସ୍ଆଇ ଡାକ୍ତରଖାନା ଅଛି। ଏସବୁ ଡାକ୍ତରଖାନାରେ ମୋଟ ୫୩୮ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ରହଛି। କିନ୍ତୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ନିୟୋଜିତ ଅଛନ୍ତି ମାତ୍ର ୧୬୦ ଜଣ ଡାକ୍ତର।
ମନ୍ତ୍ରୀଙ୍କ ଉତ୍ତର ଅନୁସାରେ, ଭୁବନେଶ୍ୱର ଇଏସ୍ଆଇ ଡାକ୍ତରଖାନାରେ ରହିଛି ୨୧୨ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦ ଥିବା ବେଳେ ୧୪୬ଟି ଡାକ୍ତର ପଦ ଖାଲି ଅଛି। ଗ୍ରୁପ୍ ଏ’ ପାହ୍ୟାର ୬୯ଟି ଡାକ୍ତର ପଦବୀ ମଧ୍ୟରୁ ୪୬ଟି ଖାଲି ପଡ଼ିଥିବା ବେଳେ ଗ୍ରୁପ୍-ବି’ରେ ୨୬ଟି ପଦବୀ ମଧ୍ୟରୁ ୨୪ଟି ଖାଲି ପଡ଼ିଛି। ସେହିଭଳି ଗ୍ରୁପ୍-ସି’ରେ ଥିବା ୯୪ଟି ଡାକ୍ତର ପଦବୀ ମଧ୍ୟରୁ ୬୩ଟି ଖାଲି ପଡ଼ିଥିବା ବେଳେ ଗ୍ରୁପ୍-ଡି’ରେ ଥିବା ୨୩ଟି ଡାକ୍ତର ପଦବୀ ମଧ୍ୟରୁ ୧୩ଟି ଖାଲି ରହିଛି। ସେହିପରି କଟକ ଜିଲ୍ଲାର ଚୌଦ୍ୱାର ସ୍ଥିତ ଇଏସ୍ଆଇ ଡାକ୍ତରଖାନରେ ମୋଟ୍ ୧୬୪ଟି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ୧୧୧ ଟି ଖାଲି ପଡ଼ିଛି। ଏଠାରେ ମାତ୍ର ୫୩ ଜଣ ଡାକ୍ତରଙ୍କୁ ନେଇ କାମ ଚଳାଯାଉଛି। ଏଠାରେ ଗ୍ରୁପ୍-ଡି’ ପାହ୍ୟାରେ ୬୯ଟି ଡାକ୍ତର ପଦବୀ ଥିବାବେଳେ ସେଥିରୁ ୫୯ଟି ଖାଲି ପଡ଼ିଛି।
ସେହିପରି ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଜେକେପୁରଠାରେ ଥିବା ଇଏସ୍ଆଇ ଡାକ୍ତରଖାନରେ ୬୭ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବା ବେଳେ ଏଠାରେ ମାତ୍ର ୧୯ ଜଣ ଡାକ୍ତର ଏବେ କାମ କରୁଛନ୍ତି ଏବଂ ୪୮ଟି ପଦବୀ ଖାଲି ରହିଛି। ଏଥିସହ ଗ୍ରୁପ୍-ଡି’ ବର୍ଗରେ ୨୪ଟି ଡାକ୍ତର ପଦବୀ ଥିବା ବେଳେ ସେଥିରୁ ୨୦ଟି ଖାଲି ପଡ଼ିଛି। ସେହଭଳି ଗ୍ରୁପ୍ ଏ ପାହ୍ୟାରେ ୧୭ଟି ଡାକ୍ତର ପଦବୀ ଥିବା ବେଳେ ସେଥିରୁ ୧୦ ଡାକ୍ତର ପଦବୀରେ କେହି ନାହାନ୍ତି। ଅପରପକ୍ଷେ ସୁନ୍ଦରଗଡ଼ ଜିଲ୍ଲାର କାଂଶବାହାଲଠାରେ ଥିବା ଇଏସ୍ଆଇ ଡାକ୍ତରଖାନାରେ ମୋଟ୍ ୯୫ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବା ବେଳେ ଏଥିରୁ ୭୩ଟି ଡାକ୍ତର ପଦବୀ ଖାଲି ପଡ଼ିଛି। ଅଛନ୍ତି ମାତ୍ର ୨୨ ଜଣ। ସେଠାରେ ଗ୍ରୁପ୍ ଏ ପାହ୍ୟାରେ ୧୭ଟି ଡାକ୍ତର ପଦବୀ ଥିବା ବେଳେ ୧୧ଟି ପଦବୀ ଖାଲି ପଡ଼ିଛି। ସେହଭଭଳି ଗ୍ରୁପ୍-ଡି’ ପାହ୍ୟାରେ ୩୯ଟି ଡାକ୍ତର ପଦବୀ ଥିବା ବେଳେ ଅଛନ୍ତି ମାତ୍ର ୩ଜଣ। ଖାଲି ଥିବା ପଦବୀ ପୂରଣ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି।
ରାଜ୍ୟରେ ଇଏସ୍ଆଇ ହିତାଧିକାରୀଙ୍କ ବର୍ଦ୍ଧିତ ସଂଖ୍ୟା ଦୃଷ୍ଟିରୁ ୬ଟି ନୂଆ ଡାକ୍ତରଖାନା ସ୍ଥାପନ ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି। ବ୍ରହ୍ମପୁର, ପାରାଦୀପ, ବାଲେଶ୍ୱର, ଝାରସୁଗୁଡ଼ାରେ ୧୦୦ ଶଯ୍ୟା ବିଶିଷ୍ଟ ଇଏସ୍ଆଇ ଡାକ୍ତରଖାନା ପ୍ରତିଷ୍ଠା ହେବାର ଅଛି। ସେହିପରି ଯାଜପୁରର ଡୁବୁରୀ ଏବଂ ଝାରସୁଗୁଡ଼ାରେ ଡାକ୍ତରଖାନା ପ୍ରତିଷ୍ଠା ହେବ। ବାଲେଶ୍ୱର ଓ ଝାରସୁଗୁଡ଼ାରେ ଏଥିପାଇଁ ଜମି ଅଧିଗ୍ରହଣ ଶେଷ ହୋଇଛି। ରାଜ୍ୟରେ ଲକ୍ଷାଧିକ ଇଏସ୍ଆଇ ବୀମାଧାରୀ ଥିବା ବେଳେ ଡାକ୍ତରଖାନାରେ ଭିତ୍ତିଭୂମି ଅଭାବ ସ୍ୱାସ୍ଥ୍ୟସେବାରେ ଅନ୍ତରାୟ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି। ତେବେ କେନ୍ଦ୍ର ଶ୍ରମ ଓ ନିୟୋଜନ ବିଭାଗର ଉଦାସୀନତା ପାଇଁ ହିତାଧିକାରୀ ହନ୍ତସନ୍ତ ହେଉଛନ୍ତି। ଦୀର୍ଘ ଦିନ ହେଲା ଇଏସ୍ଆଇ ଡାକ୍ତରଖାନା ପ୍ରତି ଅବହେଳା ଲାଗି ରହିଥିବା ଅଭିଯୋଗ ହେଉଛି।