ଭୁବନେଶ୍ୱର: ବିମାନ ବନ୍ଦରରେ ଚାକିରି କରାଇ ଦେବାକୁ କିଛି ମେସେଜ୍ ଆପଣଙ୍କ ମୋବାଇଲ୍କୁ ଆସୁଛି କି? ଯଦି ଆସୁଛି ତେବେ ଏଥିପ୍ରତି ସାବଧାନ ହୋଇଯାଆନ୍ତୁ। କାରଣ ସାଇବର ଠକ ଏଭଳି ନୂଆ ଯୋଜନା କରି ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଏହିଭଳି ରାଜଧାନୀର ଏକାଧିକ ଯୁବକଙ୍କୁ ସାଇବର ଠକ ଠକିବା ପରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ସାଇବର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
ସୂଚନା ଅନୁସାରେ, ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ରହିଥିବା ବିକାଶ ନାମକ ଯୁବକଙ୍କ ମୋବାଇଲ୍କୁ ଏକ ମେସେଜ୍ ଆସିଥିଲା। ଯେଉଁଥିରେ ବିମାନ ବନ୍ଦରରେ ବିଭିନ୍ନ ପ୍ରୋ ଫାଙ୍କା ଥିବା କହିଥିଲେ। ଚାକିରି କରିବାକୁ ଇଚ୍ଛା ଥିଲେ ଯୋଗାଯୋଗ କରିବାକୁ ମଧ୍ୟ କୁହାଯାଇଥିଲା। ଏହି ମେସେଜ୍ ଦେଖିବା ପରେ ବିକାଶ ତୁରନ୍ତ ଦିଆଯାଇଥିବା ଫୋନ୍ ନମ୍ବରକୁ କଲ୍ କରିଥିଲେ। ଏହାପରେ ସାଇବର ଠକ ତାଙ୍କୁ ସମସ୍ତ ଦସ୍ତାବିଜ୍ ଦେବାକୁ କହିଥିଲେ। ବିକାଶ ଦେବା ପରେ ଚାକିରି ପାଇଁ ସିକ୍ୟୁରିଟ୍ ବାବଦକୁ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ। ପ୍ରଥମ ମାସ ଦରମା ମିଳିବା ସମୟରେ ଏହି ଟଙ୍କା ଫେରାଇ ଦେବାକୁ କହିଥିଲେ। ଚାକିରି ଲୋଭରେ ପଡ଼ି ବିକାଶ ୫୦ ହଜାର ଟଙ୍କା ଦେଇଥିଲେ। ଠକ ଟଙ୍କାନେବା ପରେ ବିଭିନ୍ନ ଫିସ୍ ବାବଦକୁ କହି ପ୍ରାୟ ୭ ଲକ୍ଷ ଟଙ୍କା ଠକି ନେଇଥିଲେ। ଶେଷରେ ବିକାଶ ଠକାମିର ଶିକାର ହୋଇଥିବା ଜାଣି ସାଇବର ଥାନାରେ ଅଭିଯୋଗ କରିଛନ୍ତି।