ଢେଙ୍କାନାଳ: ଶ୍ରେଣୀ ଗୃହରେ ଅଣନିଃଶ୍ୱାସୀ ହୋଇ ୬ ଛାତ୍ରୀ ଅସୁସ୍ଥ । ଶ୍ରେଣୀ ଗୃହ କ୍ଷମତା ୪୦, ବସୁଛନ୍ତି ୮୦ରୁ ଉର୍ଦ୍ଧ୍ଵ । ଅତ୍ୟଧିକ ଭିଡ଼ ଯୋଗୁଁ ଅଣନିଃଶ୍ୱାସୀ ହୋଇ ୬ ଛାତ୍ରୀ ଅସୁସ୍ଥ ହୋଇପଡିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଢେଙ୍କାନାଳ ଜିଲ୍ଲା ଗଁଦିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏପରି ଅଭାବନୀୟ ଘଟଣା । ଶ୍ରେଣୀଗୃହରେ ଅତ୍ୟଧିକ ଭିଡ଼ ଏବଂ ବାୟୁ ଚଳାଚଳର ଅଭାବ କାରଣରୁ ଅଷ୍ଟମ ଶ୍ରେଣୀର ୬ ଜଣ ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡିଛନ୍ତି।
ଶ୍ରେଣୀରେ ପାଠପଢ଼ା ଚାଲିଥିବା ସମୟରେ ଛାତ୍ରୀମାନେ ହଠାତ୍ ଅସ୍ୱାଭାବିକ ଅନୁଭବ କରିଥିଲେ ଏବଂ ଅସୁସ୍ଥ ହୋଇପଡିଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସେଠାରେ ସେମାନଙ୍କର ଚିକିତ୍ସା ଚାଲିଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ଉକ୍ତ ଶ୍ରେଣୀଗୃହରେ କେବଳ ୪୦ ରୁ ୫୦ ଜଣ ଛାତ୍ରଛାତ୍ରୀ ବସିବା ପାଇଁ ବ୍ୟବସ୍ଥା ଥିଲା। କିନ୍ତୁ ଘଟଣା ସମୟରେ ସେଠାରେ ୮୦ରୁ ଅଧିକ ପିଲା ଉପସ୍ଥିତ ଥିଲେ। ଅତ୍ୟଧିକ ଭିଡ଼ ଯୋଗୁଁ ବାୟୁ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା, ଯାହା ଫଳରେ ରୁମ୍ ଭିତରେ ଅଣନିଶ୍ୱାସୀ ପରିବେଶ ସୃଷ୍ଟି ହୋଇଥିଲା। ଏହି କାରଣରୁ ହିଁ ଛାତ୍ରୀମାନେ ଅସୁସ୍ଥ ହୋଇଥିବା ସନ୍ଦେହ କରାଯାଉଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ବିଦ୍ୟାଳୟର ଭିତ୍ତିଭୂମି ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।