ଭୁବନେଶ୍ୱର : କେରଳର ୱାଏନାଡ଼ ଭୂସ୍ଖଳନ ସାରା ଦେଶକୁ ସ୍ତବ୍ଧ କରି ଦେଇଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ଶହେ ଅତିକ୍ରମ କରିଛି। ଭୂସ୍ଖଳନର ଭୟାବହତାକୁ ନେଇ ସାରା ଦେଶରେ ଚିନ୍ତା ବଢ଼଼ିଛି। କେରଳ ସମେତ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଉତ୍ତରପୂର୍ବ ରାଜ୍ୟ ସମୂହରେ ଭୂସ୍ଖଳନ ବଢ଼଼ିବଢ଼଼ି ଚାଲିଛି। ଓଡ଼ିଶାର ଗଜପତି, ମାଲକାନଗିରି, ରାୟଗଡ଼ା ଆଦି ପାହାଡ଼ିଆ ଅଞ୍ଚଳରେ ପୂର୍ବରୁ ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି। ୨୦୧୮ ମସିହାରେ ବାତ୍ୟ ‘ତିତଲି’ରେ ଗଜପତି ଜିଲ୍ଲାରେ ଭୟଙ୍କର ଭୂସ୍ଖଳନ ଘଟି ୬୦ରୁ ଊର୍ଦ୍ଧ୍ବ ଲୋକଙ୍କର ଜୀବନ ଯାଇଥିଲା। ତେଣୁ ଓଡ଼ିଶାରେ ଭୂସ୍ଖଳନ ପରି ବିପର୍ଯ୍ୟୟକୁ ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନେବା ଜରୁରୀ ହୋଇ ପଡ଼ିଛି।
ସାଧାରଣତଃ ପ୍ରବଳ ବର୍ଷାରେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ସମସ୍ୟା ଅଧିକ ଦେଖାଯାଏ। ଅଧିକ ଦିନ ଲଗାଣ ବର୍ଷା ବା ଗୋଟିଏ ଦିନରେ ପ୍ରଚଣ୍ଡ ବର୍ଷାର ପ୍ରକୋପ ଅଧିକ ରହିଲେ ପାହାଡ଼ରୁ ମାଡ଼ି ଅତଡ଼ା ସାଙ୍ଗକୁ ପଥରଖଣ୍ଡ ପାଣିରେ ଭାସିଆସେ। ଏହାସହିତ ପାହାଡ଼ ତଳି ଅଞ୍ଚଳରେ ଘର କରିଥିବା ଲୋକଙ୍କ ପାଇଁ ମଧ୍ୟ ବିପଦ ରହିଥାଏ। ଗତ କିଛି ବର୍ଷ ମଧ୍ୟରେ ରାୟଗଡ଼ାରେ ବିଭିନ୍ନ ସମୟରେ ଭୂସ୍ଖଳନ ଯୋଗୁଁ ମାଟି ଅତଡ଼ା ଖସି ରାସ୍ତା ସାଙ୍ଗକୁ ରେଳଟ୍ରାକ୍ ଉପରେ ପଡ଼ୁଥିବା ଦେଖାଯାଉଛି। ଯାହାଫଳରେ ଯାନବାହନ ସମେତ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି।
ଘଟଣା ସମ୍ପର୍କରେ ଭୂ ବିଜ୍ଞାନୀ ତଥା ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି ରାଜ୍ୟର ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲା ଭୂସ୍ଖଳନ ଦୃଷ୍ଟିରୁ ସମ୍ବେଦନଶୀଳ। ତେବେ ଯେଉଁ ପାହାଡ଼ିଆ ଅଞ୍ଚଳ ବା ପାହାଡ଼ରେ ଅଧିକ ମାତ୍ରାରେ ଗଛଲତା ରହିଥାଏ, ସେଠାରେ ଭୂସ୍ଖଳନର ବିପଦ ଅପେକ୍ଷାକୃତ କମ୍ ରହିଥାଏ। ଗଛଲତା ପାହାଡ଼ର ମାଟିକୁ ଜାବୁଡ଼ି ଧରି ରଖିବାରେ ସକ୍ଷମ ହୋଇଥାଏ। ହେଲେ ଲଣ୍ଡା ବା ଟାଙ୍ଗରା ପାହାଡ଼ରେ ବର୍ଷା ଯୋଗୁଁ ପାଣି ସୁଅ ବଢ଼଼ିଲେ ପାହାଡ଼ ଧସିଯାଏ। ସମ୍ବଲପୁର-ବୁର୍ଲା ରାସ୍ତାରେ ମଧ୍ୟ ଅନେକବାର ପାହାଡ଼ରୁ ପଥର ଖସି ଯାନବାହନ ପ୍ରତି ବିପଦ ସୃଷ୍ଟି କରିବାର ଦୃଷ୍ଟାନ୍ତ ରହିଛି। କେରଳରେ ପାହାଡ଼ରୁ ଗଛ କାଟି ଚାଷ ବାସ କରାଯାଉଥିବାରୁ ଏଭଳି ବିପଦ ସୃଷ୍ଟି ହେଉଛି ବୋଲି ଶ୍ରୀ ସାହୁ କହିଛନ୍ତି। ତେଣୁ ରାଜ୍ୟର ଯେଉଁସବୁ ପାହାଡ଼ିଆ ଅଞ୍ଚଳରେ ଗଛର ଅଭାବ ରହିଛି ଓ ପୋଡ଼ୁ ଚାଷ କରାଯାଉଛି ସେଠାରେ ସମ୍ବେଦନଶୀଳତା ରହିଛି ବୋଲି ସେ କହିଛନ୍ତି।
ଅନ୍ୟପଟେ ଭୂସ୍ଖଳନକୁ ଏକ ବିପର୍ଯ୍ୟୟ ମାନ୍ୟତା ଦେବା ସହ ଏହାର ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ‘ଓସ୍ଡମା’ ପକ୍ଷରୁ ‘ଅମ୍ରିତା ବିଶ୍ୱ ବିଦ୍ୟାପୀଠମ୍’ ସହ କାର୍ଯ୍ୟ କରାଯାଉଥିବା ବିଭାଗ ସୂତ୍ରରୁ ସୂଚନା ମିଳିଛି। ଏହି ଶିକ୍ଷାନୁଷ୍ଠାନ ରାଜ୍ୟରେ ଭୂସ୍ଖଳନ ମୁକାବିଲା ପାଇଁ ବୈଷୟିକ ସହାୟତା ଯୋଗାଇଦେବା ସହ ମୁକାବିଲା ପାଇଁ ଦୀର୍ଘ ମିଆଦି ଖସଡ଼ା ପ୍ରସ୍ତୁତିରେ ସହାୟତା କରିବ। ଯଦିଓ ବର୍ତ୍ତମାନ ବାତ୍ୟା ଓ ବନ୍ୟା ସମୟରେ ରାଜ୍ୟ ସରକାର ସବୁ ପ୍ରକାର ଆହ୍ୱାନକୁ ମୁକାବିଲା କରିବା ପାଇଁ ଭିତ୍ତିଭୂମି ପ୍ରସ୍ତୁତି କରି ସାରିଛନ୍ତି, ମାତ୍ର ଦିନକୁ ଦିନ ବିପର୍ଯ୍ୟୟ ତାଲିକାରେ ନୂଆ ନୂଆ ଆହ୍ୱାନ ମାନ ସୃଷ୍ଟି ହେଉଛି। ତେଣୁ ଧୀରେ ଧୀରେ ଏ କ୍ଷେତ୍ରରେ ମଧ୍ୟ କିପରି ଭିତ୍ତିଭୂମି ସୁଦୃଢ଼ କରାଯାଇପାରିବ ଓ ସମ୍ଭାବ୍ୟ ବିପଦର ମୁକାବିଲା କରାଯାଇପାରିବ ସେନେଇ ଗବେଶଣାକୁ ଗୁରୁତ୍ୱ ଦେବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।