ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୋଖରୀକୁ ଖସିଲା ବରଯାତ୍ରୀ ଗାଡ଼ି, ୫ ମୃତ

ଢେଙ୍କାନାଳ: ବରଯାତ୍ରୀ ହେଲା ଶେଷଯାତ୍ରା । ପୋଖରୀକୁ କାର୍ ଖସି ଚାଲିଗଲା ୫ ଜଣଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଛତିଆ ଗାଁ ନିକଟରେ ଘଟିଛି ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିଳମ୍ବିତ ରାତିରେ ଏକ ବରଯାତ୍ରୀ ଗାଡ଼ି ନିୟନ୍ତ୍ରଣ ହରାଇ ଏକ ପୋଖରୀ ଭିତରକୁ ଖସିପଡ଼ିବାରୁ ୫ ଜଣଙ୍କର ପ୍ରାଣହାନି ଘଟିଛି। 

ସୂଚନା ଅନୁଯାୟୀ, ମୋଟଙ୍ଗା ଥାନା ଅନ୍ତର୍ଗତ ବଙ୍ଗୁରସିଂହ ଗାଁର ୭ ଜଣ ସାଙ୍ଗ ଏକ କାର୍‌ରେ ବରଯାତ୍ରୀ ଭାବେ ଇନ୍ଦିପୁର ଗାଁକୁ ଯାଇଥିଲେ। ସେଠାରେ ବିବାହ ଉତ୍ସବରେ ସାମିଲ ହୋଇ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ଛତିଆ ଗାଁ ନିକଟରେ କାର୍‌ଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ପୋଖରୀକୁ ଖସି ପଡ଼ିଥିଲା।

ପୋଖରୀରେ ଗାଡ଼ିଟି ବୁଡ଼ିଯିବା ପରେ କାର୍‌ରେ ଥିବା ବାବଲୁ ଏବଂ ଶିବୁ ନାମକ ଦୁଇ ଜଣ ଯୁବକ କାର୍‌ର କବାଟ ଭାଙ୍ଗି ବାହାରକୁ ଆସିବାରେ ସଫଳ ହୋଇଥିଲେ ଏବଂ ପହଁରି ପହଁରି କୂଳକୁ ଆସି ନିଜର ପ୍ରାଣରକ୍ଷା କରିଥିଲେ। ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ବୁଡ଼ି ରହିଥିବା ଗାଡ଼ିରୁ ଅନ୍ୟ ୫ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ତେବେ ଉଦ୍ଧାର ବେଳକୁ ସେମାନଙ୍କର ମୃତ୍ୟୁ ହୋଇସାରିଥିଲା। ମୃତକମାନେ ହେଲେ ଗାଡ଼ି ଚାଳକ ଚନ୍ଦ୍ରକାନ୍ତ ସ୍ୱାଇଁ, ଅବିନାଶ ସାହୁ, ରାକେଶ ସାହୁ, ଶ୍ରୀରାମ ସାହୁ ଏବଂ ଅଭିଜିତ ସାହୁ।

ସମସ୍ତ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଏହି ଘଟଣା ପରେ ମୃତକଙ୍କ ପରିବାର ତଥା ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅନ୍ୟପଟେ ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣାର ପ୍ରକୃତ କାରଣ ଖୋଜୁଛି।

About The Author: Madhusudan Das