ଭୁବନେଶ୍ୱର: କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ବ୍ୟାପକ ବନ୍ଦୋବସ୍ତ କରିଛନ୍ତି; ପର୍ଯ୍ୟପ୍ତ ଶଯ୍ୟା ରହିଛି। ଫଳରେ ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ଶଯ୍ୟାଭାବ ସମସ୍ୟାକୁ ଏଡାଇ ଦିଆଯାଇଥିଲା। ମାତ୍ର ଯଦି ନୀତି ଆୟୋଗଙ୍କ ପୂର୍ବାନୁମାନ ସତ୍ୟ ହୁଏ ତା ହେଲେ ତୃତୀୟ ଲହରରେ କ୍ଷମତାଠାରୁ ଦୁଇ ଗୁଣା ଅଧିକ ଶଯ୍ୟା ଆବଶ୍ୟକ ହେବ। ନୀତି ଆୟୋଗଙ୍କ ପୂର୍ବନୁମାନ ଅନୁସାରେ ସେପ୍ଟେମ୍ବର ମାସରେ ତୃତୀୟ ଲହର କାୟା ବିସ୍ତାର ଆରମ୍ଭ କରିବ ଆଉ ଏହି ସମୟରେ ପ୍ରତି ଶହେ ରୋଗୀଙ୍କ ମଧ୍ୟରୁ ୨୩ ଜଣ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇ ପାରନ୍ତି। ସାଧାରଣ ଶଯ୍ୟା ଠାରୁ ଆରମ୍ଭ କରି ଆଇସିୟୁ, ଏଚ୍ଡିୟୁ, ଏସ୍ଏନ୍ଏସିୟୁ ଆବଶ୍ୟକ ପଡ଼ିବ। ସେହିପରି ଇକ୍ମୋ ଚିକିତ୍ସା ପାଇଁ ମଧ୍ୟ ରୋଗୀଙ୍କ ସଂଖ୍ୟା କିଛି କମ୍ ରହିବନି। ତେବେ ସମ୍ଭାବ୍ୟ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ତୃତୀୟ ଲହର ପରିପ୍ରେକ୍ଷୀରେ ଜିଲ୍ଲାସ୍ତରୀୟ ରିପୋର୍ଟ ପ୍ରସ୍ତୁତ କରି ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଓଡ଼ିଶାରେ ଆଜି ସୁଦ୍ଧା ୧୦ ଲକ୍ଷ ଲୋକ କୋଭିଡ୍ ଆକ୍ରାନ୍ତ ହୋଇଥିବା ବେଳେ ୭୩୫୮ ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟମାନେ ସୁସ୍ଥ ହୋଇସାରିଛନ୍ତି। ଜୁଲାଇ ମାସରୁ ସଂକ୍ରମଣ ହାର ଦ୍ରୁତ ଗତିରେ ହ୍ରାସ ପାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଏବେ ବି ରେଡ୍ ଜୋନ୍ ମଧ୍ୟରେ ଅଛି। ଏଠାରେ ଦୈନିକ ସଂକ୍ରମଣ କମୁଥିଲେ ସୁଦ୍ଧା ସକ୍ରିୟ ମାମଲା ପୂର୍ବାପେକ୍ଷା ଅଧିକ ରହିଛି। ସେହିପରି ଉପକୂଳରେ ସଂକ୍ରମଣ ହାରରେ ସ୍ଥିରତା ଆସୁ ନାହିଁ। କେତେବେଳେ ବଢ଼଼଼଼ୁଛି ତ ଆଉ କେତେବେଳେ କମ୍ ରହୁଛି। ରାଜ୍ୟରେ ଏବେ ୮ ହଜାର ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଅପରପକ୍ଷେ ରାଜ୍ୟରେ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା କମୁନାହିଁ। ପ୍ରତି ଦିନ ଶହେରୁ ଅଧିକ ପିଲା ପଜିଟିଭ୍ ଥିବା ଜଣାପଡ଼ୁଛି। ଦୈନିକ ୮ ଶହରୁ ହଜାରେ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ରବିବାର ସକାଳ ସୁଦ୍ଧା ଆଉ ୮୫୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରେ ଶହେ ଜଣ ପିଲା ଅଛନ୍ତି। ଆଜି ସଂଧ୍ୟାରେ ଆଉ ୧୦୭୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସେହିପରି କଟକ ଓ ଭୁବନେଶ୍ୱରରେ ପ୍ରାୟ ୫୫ ପ୍ରତିଶତ ସକ୍ରିୟ ମାମଲା ରହିଛି। ରାଜ୍ୟରେ ସର୍ବାଧିକ ଦୈନିକ ସଂକ୍ରମଣ ୧୨ ହଜାର ଥିବା ବେଳେ ତୃତୀୟ ଲହରରେ ଏହା ରେକର୍ଡ ସ୍ତରରେ ପହଞ୍ଚିବା ଆଶଙ୍କା ରହିଛି।
ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁସାରେ ସେପ୍ଟେମ୍ବର ମାସରେ ତୃତୀୟ ଲହର ଆରମ୍ଭ ହେବା ସମ୍ଭାବନା ଥିବା ବେଳେ ଆଇସିୟୁ, ଏଚ୍ଡିୟୁରେ ରୋଗୀଙ୍କ ସଂଖ୍ୟା ବଢ଼଼଼଼ିବ। ପ୍ରଥମ ଲହର ପରେ ଦ୍ୱିତୀୟ ଲହର ସମୟରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଥିଲା। ରାଜ୍ୟର ୬୬ଟି କୋଭିଡ୍ ହସ୍ପିଟାଲରେ ୮୧୧୬ ସାଧାରଣ ଶଯ୍ୟା ଏବଂ ୨୭୦୭ ଆଇସିୟୁ ଶଯ୍ୟା ବ୍ୟବହାର ହେଉଥିଲା। ସେହିପରି ୮୦ଟି କୋଭିଡ୍ କେୟାର ସେଣ୍ଟରେ ୧୨,୧୩୧ ଶଯ୍ୟା ଥିଲା। ତେବେ ଦ୍ୱିତୀୟ ଲହର ପ୍ରଭାବହୀନ ହେବାରୁ ଅଧିକାଂଶ କୋଭିଡ୍ ହସ୍ପିଟାଲ ଏବଂ ସମସ୍ତ କୋଭିଡ୍ କେୟାର ସେଣ୍ଟର ଏବେ ବନ୍ଦ ରଖାଯାଇଛି। ଏବେ ପ୍ରାୟ ୧୦ ପ୍ରତିଶତ ଆଇସିୟୁ/ଏଚ୍ଡିୟୁ ଶଯ୍ୟାରେ ରୋଗୀ ଅଛନ୍ତି। ଆବଶ୍ୟକ ହେଲେ ତୁରନ୍ତ ବନ୍ଦ ହୋଇଥିବା କୋଭିଡ୍ ହସ୍ପିଟାଲ ଏବଂ କୋଭିଡ୍ କେୟାର ସେଣ୍ଟର ଖୋଲା ଯାଇପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଦାବି କରିଛି। କିନ୍ତୁ ନୀତି ଆୟୋଗଙ୍କ ପୂର୍ବାନୁମାନ ଅନୁସାରେ ଯଦି ମାସେ ଭିତରେ ସଂକ୍ରମଣ ହାର ବଢ଼େ ତା ହେଲେ ଶଯ୍ୟା ଅଭାବ ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ।
ଏ ସମ୍ପର୍କରେ ରାଜ୍ୟ ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ଏବେ ରୋଗୀ ନଥିବାରୁ କୋଭିଡ୍ ହସ୍ପିଟାଲ ବନ୍ଦ କରାଯାଇଛି। କିନ୍ତୁ ସେଗୁଡିକ ପୁନର୍ବାର କାର୍ଯ୍ୟକ୍ଷମ କରିବାରେ ସମସ୍ୟା ନାହିଁ। ତୃତୀୟ ଲହରରେ ଏତେ ସଂଖ୍ୟକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼଼଼଼ିବ ବୋଲି ପୂର୍ବରୁ କେବେ କୁହାଯାଇ ନଥିଲା। ଯଦି ଏହା ସତ୍ୟରେ ପରିଣତ ହୁଏ ତା ହେଲେ ପୁରୁଣା ହସ୍ପିଟାଲ କୋଭିଡ୍ ରୋଗୀଙ୍କ ପାଇଁ ଖୋଲାଯିବା ସହ ନୂଆ କୋଭିଡ୍ ହସ୍ପିଟାଲ ଖୋଲାଯାଇ ପାରିବ। ତୃତୀୟ ଲହର ପାଖେଇ ଆସୁଥିବାରୁ ନୂଆ କୋଭିଡ୍ ହସ୍ପିଟାଲ ସ୍ଥାପନ ପାଇଁ ଅନୁଷ୍ଠାନ ଚିହ୍ନଟ କରିବା ପାଇଁ ଜିଲ୍ଲା ଓ ମହାନଗର ନିଗମ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ସଂକ୍ରମଣ ହାର ଉପରେ ନଜର ରଖିବା ସହ ସର୍ଭିଲାନ୍ସ, ଟେଷ୍ଟିଂ ଓ ଟ୍ରାକିଂ ତ୍ୱରାନ୍ୱିତ କରିବା ପାଇଁ କୁହାଯାଇଛି।