ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା। ପୁଣି ଖୋଲିଲା ହୀରାକୁଦର ଆଉ ୪ ଗେଟ। ବନ୍ୟା ଜଳ ପ୍ରବେଶ ମାତ୍ରା ବୃଦ୍ଧି ପାଉଥିବାରୁ ପୁଣି ୪ଟି ଗେଟ୍ ଖୋଲିଲେ ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ । ବର୍ତ୍ତମାନ ୧୬ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ବାମ ପାର୍ଶ୍ବରୁ ୧୧ଟି ଓ ଡାହାଣ ପାର୍ଶ୍ବରୁ ୫ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳଭଣ୍ଡାରକୁ ୩ ଲକ୍ଷ ୧୪ ହଜାର ୨୮୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ୨ ଲକ୍ଷ ୯ ହଜାର ୯୨୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଏବେ ଜଳଭଣ୍ଡାରର ଜଳସ୍ତର ରହିଛି ୬୧୪. ୨୩ ଫୁଟ ରହିଛି, ଯାହାକି କ୍ରମାନ୍ବୟ ବୃଦ୍ଧି ପାଇବାରେ ଲାଗିଛି।
କିଛି ଦିନ ହେବ ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଫଳରେ ହୀରାକୁଦରେ ବନ୍ୟା ଜଳ ପ୍ରବେଶ ମାତ୍ରା ବଢ଼ିଚାଲିଥିବା ବେଳେ ହୀରାକୁଦ ସମେତ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ତେବେ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେତୁ ଆଜି ସକାଳୁ ଧୀରେ ଧୀରେ ଫୁଲୁଚି ମହାନଦୀ । ସକାଳ ୯ ସୁଦ୍ଧା ମୁଣ୍ଡଳୀ ଠାରେ ୨ଲକ୍ଷ ୯୧ ହଜାର ୭୫୮ କ୍ୟୁସେକ ବନ୍ୟା ଜଳ ମହାନଦୀ ରେ ପ୍ରବାହିତ ହେଉଥିବା ବେଳେ ମୁଣ୍ଡଳୀ ବ୍ରିଜ ରେ ଉପର ଭାଗରେ ୮୩.୮୦ ଫୁଟ ଥିବାବେଳେ ତଳ ମୁଣ୍ଡରେ ୮୧.୨୦ ଫୁଟ ଜଳସ୍ତର ରହିଛି । ତେବେ ଉପର ମୁଣ୍ଡରେ ଲଗାଣ ବର୍ଷା ସହ ହୀରାକୁଦ ବନ୍ଧ କତ୍ତୃପକ୍ଷ ପର୍ଯ୍ୟାୟ କ୍ରମେ ୧୬ଟି ଗେଟ ଖୋଲିଥିବା ବେଳେ ଆଜି ସକାଳୁ ଫୁଲୁଚି ମହାନଦୀ । ବର୍ଷା ସହ ହୀରାକୁଦ ଗେଟ ଖୋଲିଥିବାରୁ ତଳିଆ ଅଞ୍ଚଳର ଲୋକଙ୍କ ମନରେ ବନ୍ୟା ଛନକା ଦେଖିବାକୁ ମିଳୁଛି ।