ଶିମିଳିପାଳରୁ AI କ୍ୟାମେରାରେ ଧରାପଡ଼ିଲେ ୩୯ ଶିକାରୀ, ୯ ବନ୍ଧୁକ ଜବତ

ବାରିପଦା: ଶିମିଳିପାଳ ଟାଇଗର ରିଜର୍ଭରେ ଗତକାଲି ରାତିରେ ଏକ ବଡ଼ ଶସ୍ତ୍ରଧାରୀ ଶିକାରୀ ଦଳ ପ୍ରବେଶ କରିଥିଲା। କିନ୍ତୁ ବନ ବିଭାଗର ଆଧୁନିକ AI (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) କ୍ୟାମେରା ଦ୍ୱାରା ସେମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇଥିଲା। ରିୟଲ୍-ଟାଇମ୍ ଆଲର୍ଟ୍ ପାଇବା ପରେ ବନ କର୍ମଚାରୀମାନେ ତୁରନ୍ତ ସକ୍ରିୟ ହୋଇ ଏକ ୨୪ ଘଣ୍ଟିଆ ଅଭିଯାନ ଚଳାଇଥିଲେ। ଶିମିଳିପାଳ ଦକ୍ଷିଣ ବିଭାଗର କର୍ମଚାରୀଙ୍କ ଦୃଢ଼ ପ୍ରୟାସ ଓ କାର୍ଯ୍ୟକାରୀ ରଣନୀତି ଫଳରେ ୩୯ ଜଣ ଶିକାରୀ ସ୍ବଇଚ୍ଛାରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ଠାରୁ ୯ଟି ବନ୍ଧୁକ, ବହୁ ପରିମାଣର ବାରୁଦ, ୨୦ରୁ ଅଧିକ ଧନୁକ-ତୀର ଏବଂ ଅନ୍ୟାନ୍ୟ ଶସ୍ତ୍ର ଜବତ କରାଯାଇଛି। ଏହି ସମୟୋଚିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏକ ନିଶ୍ଚିତ ଶିକାର ରୋକାଯାଇପାରିଛି।

ଆତ୍ମସମର୍ପଣ କରିଥିବା ଶିକାରୀମାନେ ଉଦଳା ଥାନା ଅଧୀନରେ ଥିବା ଆମ୍ବିକାଦେଇପୁର, ମହାଲିସାହି, ଲୁକୁଇଡା, ମାଟକମାଟଲା, ଜିତୁସାହି, ଖଲାଡ଼ି ଓ ଲଙ୍ଗାଡ଼ି ଗ୍ରାମର ବାସିନ୍ଦା। ଜେନାବିଲ୍ ଓ୍ବାଇଲ୍ଡଲାଇଫ୍ ରେଞ୍ଜରେ ଏହି ଘଟଣାରେ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଜାରି ରହିଛି। ଆର୍ମସ୍ ଆକ୍ଟ୍ ଉଲ୍ଲଙ୍ଘନ ପାଇଁ ପୋଲିସ୍ ଷ୍ଟେସନରେ ମଧ୍ୟ ଏଫ୍‌ଆଇଆର୍ ଦାଖଲ କରାଯିବ। ଏହି ଅଭିଯାନରେ ୩ ଜଣ ସ୍ପେସିଆଲ୍ ଟାଇଗର ପ୍ରୋଟେକ୍ସନ୍ ଫୋର୍ସ (STPF) ସଦସ୍ୟ ଏବଂ ୩ଟି ରେଞ୍ଜର କର୍ମଚାରୀ ଯୋଗ ଦେଇଥିଲେ।

ରିୟଲ୍-ଟାଇମ୍ ଚିହ୍ନଟ, ସକ୍ରିୟ ଗୁଇନ୍ଦାଗିରି ଏବଂ ସଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଶିକାରୀମାନେ ନତଜାନୁ ହୋଇ ଆତ୍ମସମର୍ପଣ କରିଛନ୍ତି। ଶିମିଳିପାଳରେ ନୂତନ ଯୁଗର ଉନ୍ନତ ସୁରକ୍ଷା ରଣନୀତି ବନ୍ୟଜନ୍ତୁଙ୍କ ପାଇଁ ଅଧିକ ସୁରକ୍ଷା ଏବଂ ସମୃଦ୍ଧି ଆଣିବାରେ ସହାୟକ ହେଉଛି। ଏହା ଶିମିଳିପାଳର ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଏକ ବଡ଼ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି ବୋଲି ଡେପୁଟି ଡାଇରେକ୍ଟର ଡ ସମ୍ରାଟ ଗୌଡା ସୂଚନା ଦେଇଛନ୍ତି ।

About The Author: Madhusudan Das