୫ଟି ସଚିବଙ୍କ ବାଲେଶ୍ବର ଗସ୍ତର ୨ୟ ଦିନ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଚାଲିଛି ସମୀକ୍ଷା

ବାଲେଶ୍ବର: ଆଜି ୫ଟି ସଚିବଙ୍କ ବାଲେଶ୍ବର ଗସ୍ତର ଦ୍ବିତୀୟ ଦିନ। ରାଜ୍ୟରେ ଜାରି ରହିଥିବା ସାମଗ୍ରିକ ବିକାଶ ଏବଂ ନବ ରୂପାନ୍ତରଣ ପର୍ବରେ ସାମିଲ ହେବାକୁ ଯାଉଛି ବାଲେଶ୍ୱର ଜିଲ୍ଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ‘୫-ଟି’ ସଚିବ ଭି. କେ. ପାଣ୍ଡିଆନ୍‌‌ ଦୁଇଦିନିଆ ବାଲେଶ୍ୱର ଗସ୍ତରେ ଯାଇ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଜଳସେଚନ ସବୁକ୍ଷେତ୍ରରେ ବାଲେଶ୍ୱର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିକାଶ ନକ୍ସାକୁ ଲୋକଙ୍କ ସାମ୍ନାରେ […]

ବାଲେଶ୍ବର: ଆଜି ୫ଟି ସଚିବଙ୍କ ବାଲେଶ୍ବର ଗସ୍ତର ଦ୍ବିତୀୟ ଦିନ। ରାଜ୍ୟରେ ଜାରି ରହିଥିବା ସାମଗ୍ରିକ ବିକାଶ ଏବଂ ନବ ରୂପାନ୍ତରଣ ପର୍ବରେ ସାମିଲ ହେବାକୁ ଯାଉଛି ବାଲେଶ୍ୱର ଜିଲ୍ଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ‘୫-ଟି’ ସଚିବ ଭି. କେ. ପାଣ୍ଡିଆନ୍‌‌ ଦୁଇଦିନିଆ ବାଲେଶ୍ୱର ଗସ୍ତରେ ଯାଇ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଜଳସେଚନ ସବୁକ୍ଷେତ୍ରରେ ବାଲେଶ୍ୱର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିକାଶ ନକ୍ସାକୁ ଲୋକଙ୍କ ସାମ୍ନାରେ ଉପସ୍ଥାପିତ କରିଛନ୍ତି।

୨ୟ ଦିନରେ ୫ଟି ସଚିବ ଭିକେ ପାଣ୍ଡିଆନ୍ ଶାନ୍ତିକାନନରେ ପହଞ୍ଚି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହାସହ ଲୋକଙ୍କଠାରୁ ଦାବିପତ୍ର ଗ୍ରହଣ କରିଛନ୍ତି । ଏହାପରେ ବାଲେଶ୍ବର କଲେକ୍ଟରେଟରେ ଥିବା ମିଶନ ଶକ୍ତି ବଜାର ବୁଲି ଦେଖିଥିଲେ  ଏବଂ ସକାଳ ଜଳଖିଆ କରିଛନ୍ତି ।

ସେଠାରୁ ସହଦେବଖୁଣ୍ଟା ବସଷ୍ଟାଣ୍ଡ ଯାଇ ବସ ଓ ଟ୍ରକ ମାଲିକ ସଂଘ ସହିତ ଆଲୋଚନା କରିବେ । ପରେ ଉତ୍କଳ ବାଳାଶ୍ରମରେ ସାଧାରଣ ଲୋକ ଓ ମିଶନ ଶକ୍ତି ମାଆଙ୍କ ସହିତ ଆଲୋଚନା କରିବେ । ପରେ ଚାନ୍ଦିପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ବଳରାମଗଡି ଜେଟିକୁ ଯାଇ ମତ୍ସ୍ୟଜୀବୀଙ୍କ ସହିତ ଆଲୋଚନା କରିବେ ୫ଟି ସଚିବ । ଭୋଗରାଇ ବ୍ଲକ ଗସ୍ତ କରି ଚନ୍ଦନେଶ୍ବର ମନ୍ଦିରର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିବେ ୫ଟି ସଚିବ।ସେଠାରୁ ଶଙ୍ଖାରୀରେ ମନୋଜ ଦାସ ମେମୋରିଆଲ ପରିଦର୍ଶନ କରିବେ । ପରେ ସାଧାରଣ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବେ । ସେଠାରୁ ଉଦୟପୁର ଗସ୍ତ କରି ଜଳସେଚନ ଓ ଅନ୍ୟାନ୍ୟ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବେ । ପରେ ଦିନତମାମ ବାଲେଶ୍ବରର ବିକାଶ ପାଇଁ ସମୀକ୍ଷା କରିବେ ୫ଟି ସଚିବ ଭିକେ ପାଣ୍ଡିଆନ ।

ଗସ୍ତର ପ୍ରଥମ ଦିନରେ, ବାହାନଗାକୁ ଦେଶର ମଡେଲ ପଞ୍ଚାୟତରେ ପରିଣତ କରାଯିବ ଏବଂ ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ଓ କ୍ଷୀରଚୋରା ଗୋପୀନାଥ ମନ୍ଦିରର ରୂପକଳ୍ପ ବଦଳିବ ବୋଲି ଘୋଷଣା କରିଛନ୍ତି ‘୫-ଟି’ ସଚିବ। ଅନ୍ୟପକ୍ଷରେ ବାହାନଗା ରେଳ ଦୁର୍ଘଟଣା ସମୟରେ ସ୍ଥାନୀୟ ଜନସାଧାରଣ ଯେପରି ସ୍ୱଇଚ୍ଛାରେ ଉଦ୍ଧାର କାର୍ଯ୍ୟଠାରୁ ଆରମ୍ଭ କରି ରକ୍ତଦାନ ପାଇଁ ଆଗେଇ ଆସିଛନ୍ତି, ତାହାକୁ ଉଚ୍ଚ ପ୍ରଶଂସା କରିବା ସହ ଦେଶ ପାଇଁ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିପାରିଛନ୍ତି ବୋଲି କହିଥିଲେ ‘୫-ଟି’ ସଚିବ ଭି.କେ. ପାଣ୍ଡିଆନ।

ବାଲେଶ୍ୱର ଜିଲ୍ଲା ଗସ୍ତର ପ୍ରଥମ ଦିନରେ ‘୫-ଟି’ ସଚିବ ପ୍ରଥମେ ବାହାନଗା ଯାଇ ସ୍ଥାନୀୟ ହାଇସ୍କୁଲଠାରେ ସାଧାରଣ ଲୋକ, ଅଭିଭାବକ, ଶିକ୍ଷକ ଓ ସ୍କୁଲ କମିଟିର ସଦସ୍ୟମାନଙ୍କୁ ଭେଟିଥିଲେ। ଟ୍ରେନ୍‌‌ ଦୁର୍ଘଟଣା ସମୟରେ ସେଦିନର କାଳରାତ୍ରିର ମର୍ମନ୍ତୁଦ ଘଟଣା ସ୍ମରଣ କରି ସ୍ଥାନୀୟ ଲୋକମାନଙ୍କର ନିଃସ୍ୱାର୍ଥପର ସେବା ଓ ଉଦ୍ଧାର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ସ୍ଥାନୀୟ ଜନସାଧାରଣ ଯେପରି ସ୍ୱତଃସ୍ଫୂର୍ତ୍ତ ଭାବରେ ଯେଭଳି ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଗେଇ ଆସିଥିଲେ, ଜୀବନ ବଞ୍ଚାଇବାକୁ ରକ୍ତଦାନ ପାଇଁ ଧାଡ଼ି ଲଗାଇଥିଲେ, ତା’ର ତୁଳନା ନାହିଁ। ବାହାନଗାର ଜନସାଧାଣ ମାନବିକତାର ଚରମ ନିଦର୍ଶନ ଦେଖାଇ ସାରା ଦେଶରେ ଓଡ଼ିଶା ପାଇଁ ପ୍ରଶଂସା ଆଣିଛନ୍ତି ବୋଲି ଉଲ୍ଲେଖ କରି ଆପଣମାନଙ୍କ ନିକଟରେ ସାରା ରାଜ୍ୟ ଚିର ଋଣୀ ବୋଲି କହିଥିଲେ ‘୫-ଟି’ସଚିବ। ଏହି ପରିପ୍ରେକ୍ଷୀରେ ବାହାନଗା ପଞ୍ଚାୟତକୁ ଦେଶର ଏକ ମଡେଲ ପଞ୍ଚାୟତ ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ଏବଂ ସପ୍ତାହକ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳବାସୀଙ୍କୁ ଖୁସି ଖବର ଦେବେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲାରେ ଥିବା ୧୨୮ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ କଲେଜର ରୂପାନ୍ତର ପାଇଁ ‘୫-ଟି’ ଉପକ୍ରମରେ ମୁଖ୍ୟମନ୍ତ୍ରୀ ୧୨୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ‘୫-ଟି’ ସଚିବ ସ୍ଥାନୀୟ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିଥିଲେ। ପରେ ରେମୁଣାରେ ଫକୀର ମୋହନ ମେଡିକାଲ କଲେଜ ଠାରେ ଶ୍ରୀ ପାଣ୍ଡିଆନ କଲେଜର କର୍ମଚାରୀ ଓ ଦୁର୍ଘଟଣା ସମୟରେ ରକ୍ତଦାନ କରିଥିବା ଯୁବକମାନଙ୍କୁ ଭେଟି ସେମାନଙ୍କ ନିଃସ୍ୱାର୍ଥପର ସେବା କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ।

ବାଲେଶ୍ୱରର ଔପଦା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ଓ ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ପରିଦର୍ଶନ କରି ଏହାର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ସମ୍ପର୍କରେ ଶ୍ରୀ ପାଣ୍ଡିଆନ ମନ୍ଦିର କମିଟି, ସ୍ଥାନୀୟ ଲୋକ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏଥିପାଇଁ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଔପଦା ବ୍ଲକରେ ସାଳନ୍ଦୀ-ଆମ୍ବହତା ବାମ କେନାଲର ନିର୍ମାଣ କାମ ପରିଦର୍ଶନ କରି ଏହି କାମର ବିଭିନ୍ନ ଦିଗ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଚଳିତ ବର୍ଷ ଡିସେମ୍ୱର ସୁଦ୍ଧା କେନାଲ ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସିମୁଳିଆ ବ୍ଲକର ଜାମୁଝାଡ଼ି ଓ ଔପଦା ବ୍ଲକର ବଉଳଗଡ଼ିଆ ପଞ୍ଚାୟତ ପରିଦର୍ଶନ କରି ‘୫-ଟି’ ସଚିବ ସେଠାରେ ‘ଏକ ପଞ୍ଚାୟତ, ଏକ ଉତ୍ପାଦ’ ପ୍ରୋତ୍ସୋହାନ କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କ ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ। ଜାମୁଝାଡ଼ିରେ ମିଶନ ଶକ୍ତି ସଦସ୍ୟା ମାନଙ୍କ ଦ୍ୱାରା ବାଉଁଶରୁ ନିର୍ମିତ ବିଭିନ୍ନ ଉତ୍ପାଦର ଉଚ୍ଚ ପ୍ରଶଂସା କରିଥିଲେ। ବଉଳଗଡ଼ିଆର ବାବା ରଘୁନାଥ ଜିଉ ପଥର ଖୋଦେଇ କେନ୍ଦ୍ର ପରିଦର୍ଶନ କରି ସେଠାରେ ହସ୍ତଶିଳ୍ପୀମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ କୌଶଳ ଓ କାର୍ଯ୍ୟଦକ୍ଷତା ଓଡ଼ିଶାର ଗୌରବ ବୋଲି ପ୍ରକାଶ କରି ଏହାର ମାର୍କେଟିଂ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସୁବିଧା ଯୋଗାଇ ଦେବେ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ସାମିଲ ହସ୍ତଶିଳ୍ପୀମାନଙ୍କୁ ବଜାର ସୁବିଧା ଯୋଗାଇଦେବା ପାଇଁଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ସୋର ଉପେନ୍ଦ୍ର ନାଥ କଲେଜ, ଖଇରା ବ୍ଲକରେ କୁପାରୀ ପଞ୍ଚାୟତ ପଡ଼ିଆ, ପଞ୍ଚଲିଙ୍ଗେଶ୍ୱର ମନ୍ଦିର, ଫକୀର ମୋହନ ମେଡିକାର କଲେଜ, ରେମୁଣାର ବାମପଦାସ୍ଥିତ ‘ନୋସି’ଠାରେ ସ୍ଥାନୀୟ ଲୋକ, ମିଶନ ଶକ୍ତି ସଦସ୍ୟା ଓ ବିଭିନ୍ନ ସଂଗଠନମାନଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଶୁଣିଥିଲେ। ଜିଲ୍ଲା ସ୍ତରରେ ଯେଉଁ ସବୁ ସମସ୍ୟାର ସମାଧାନ ହୋଇପାରିବ ତା’ର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ସହିତ ବାକି ସବୁ ବିଷୟଗୁଡିକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଇବାକୁ ପରାମର୍ଶ ଦେଇଥିଲେ। ସୋରର ସମସ୍ତ ସ୍କୁଲ ଓ କଲେଜ ‘୫-ଟି’ ଉପକ୍ରମରେ ରୂପାନ୍ତରିତ ହେବ ବୋଲି ସେ କହିଥିଲେ। ସେହିପରି ସୋରର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ‘୫-ଟି’ ସଚିବ ସେଠାରେ ‘ଆମ ହସ୍‌‌ପିଟାଲ’ କାର୍ଯ୍ୟକ୍ରମ ବୁଲି ଦେଖିବା ସହ ରୋଗୀ ଓ ସେମାନଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ। ଅଧିକାରୀମାନଙ୍କୁ ଆମ ହସ୍‌‌ପିଟାଲ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଲୋକଙ୍କୁ ଆହୁରି ଉନ୍ନତ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ। ପଞ୍ଚଲିଙ୍ଗେଶ୍ୱରଠାରେ ଏକ ମିଶନ ଶକ୍ତି କାଫେ ପରିଦର୍ଶନ କରି ଏହାର ପରିଚାଳନା, ଖାଦ୍ୟ ଓ ଅନ୍ୟାନ୍ୟ ବିଷୟ ସମ୍ପର୍କରେ ‘୫-ଟି’ ସଚିବ ବୁଝିଥିଲେ। ଲୋକଙ୍କ ଚାହିଦା ଅନୁଯାୟୀ ଖାଦ୍ୟ ପ୍ରସ୍ତୁତ କରି ବ୍ୟବସାୟକୁ ଆଗକୁ ନେବା ପାଇଁ ସେ ପରାମର୍ଶ ଦେଇଥିଲେ।

About The Author: The Sakala