ଭୁବନେଶ୍ୱର: ରାଜନୈତିକ ଦୃଷ୍ଟିକୋଣରୁ ବିଦାୟୀ ୨୦୨୪ ବର୍ଷ ରାଜ୍ୟର ରାଜନୈତିକ ଦଳଗୁଡ଼ିକ ପାଇଁ ଉଭୟ ତିକ୍ତ-ମଧୁର ଅନୁଭୂତି ଦେଇଥିବା ବେଳେ ୨୦୨୫ ତିନି ପ୍ରମୁଖ ରାଜନୈତିକ ଦଳ ପାଇଁ ଆହ୍ବାନ, ସଂଘର୍ଷ ଓ ସମ୍ମାନର ବର୍ଷ ହେବ। ବିଦାୟୀ ବର୍ଷରେ ପ୍ରଥମଥର ପାଇଁ ବିଜେପି ରାଜ୍ୟରେ ସରକାର ଗଠନ କରିବା ଦିନଠାରୁ ଯେପରି ପାରସ୍ପରିକ ବିରୋଧାଭାସ ଦେଖାଦେଇଛି, ତାହା ଉଭୟ ସରକାର ଓ ଦଳ ପାଇଁ ଆହ୍ୱାନ ପାଲଟିଛି। ନିର୍ବାଚନ ଘୋଷଣା ପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଏବଂ ଗଳାବାଟ ଖୋଜା ସରକାରଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି। ଏପରିସ୍ଥଳେ ନିଜ ଲୋକପ୍ରିୟତାକୁ ବଜାୟ ରଖିବା ବିଜେପି ପାଇଁ ସମ୍ମାନର ପ୍ରଶ୍ନ ଭାବେ ଉଭା ହୋଇଛି।
ଅପରପକ୍ଷେ ଦୀର୍ଘ ୨୪ ବର୍ଷ କ୍ଷମତାରେ ରହିବା ପରେ ପ୍ରଥମଥର ପାଇଁ ବିରୋଧୀ ଆସନରେ ବସିଥିବା ବିଜେଡି ୨୦୨୪ରୁ ଏକ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଛି । ନିର୍ବାଚନ ଗ୍ଳାନିରୁ ପରାଜୟର ବିମର୍ଷତାରୁ ବାହାରି ବିଜେଡିର ନେତା ଓ କର୍ମୀମାନେ କ୍ରମଶଃ ସକ୍ରିୟ ହେଉଛନ୍ତି ଓ ଦଳର ସଭାପତି ନବୀନ ପଟ୍ଟନାୟକ ନିଜେ ବିଭିନ୍ନ ଅଞ୍ଚଳ ବୁଲିବା ପରେ ଦଳୀୟ ନେତା ଓ କର୍ମୀ ଅଧିକ ତତ୍ପର ହୋଇଛନ୍ତି। ଅନ୍ୟପକ୍ଷରେ ବିରୋଧୀ କଂଗ୍ରେସରେ ଏବେ ମଧ୍ୟ ଗୋଷ୍ଠୀକନ୍ଦଳ ଲାଗି ରହିଥିବା ବେଳେ ଦଳ ରାଜ୍ୟରେ ଭଲ କରିବାକୁ ନିଜର ସଂଘର୍ଷ ଜାରି ରଖିଛି। ନୂଅାବର୍ଷ ପ୍ରାରମ୍ଭରୁ ଦଳକୁ ନୂଆ ସଭାପତି ମିଳିବାକୁ ଯାଉଥବା ବେଳେ ଲୋକଙ୍କ ମଧ୍ୟରେ ନିଜର ଉପସ୍ଥିତିକୁ ସୁଦୃଢ଼ କରିବା ପାଇଁ ଦଳକୁ ଅନେକ ସଂଘର୍ଷ କରିବାକୁ ପଡ଼ିବ ବୋଲି ମତ ଦେଇଛନ୍ତି ରାଜନୈତିକ ବିଶେଷଜ୍ଞ।
ରାଜ୍ୟରେ ଅଦିନିଆ ବର୍ଷାରେ ଚାଷୀଙ୍କ ଫସଲ ନଷ୍ଟ ହୋଇଥିବା ବେଳେ ନବୀନ ବିଭିନ୍ନ ଜିଲ୍ଲାରେ କ୍ଷେତ ମୁଣ୍ଡରେ ଚାଷୀଙ୍କ ସହ ଠିଆ ହେବା ଓ ସେମାନଙ୍କ କାନ୍ଧରେ ହାତ ରଖି ଆଶ୍ୱାସନା ଦେବା ରାଜ୍ୟ ରାଜନୀତିକୁ ଆକସ୍ମିକ ଉଷ୍ମ କରିଛି। ନିର୍ବାଚନ ପରାଜୟରେ ବିମର୍ଷ କର୍ମୀଙ୍କୁ ପ୍ରତିଦିନ ନବୀନ ଭେଟିବା ସହ ଦମ୍ଭ ଦେଉଛନ୍ତି; ଯାହା କର୍ମୀଙ୍କ ମହଲରେ ଏକ ନୂଆ ଉତ୍ସାହ ସୃଷ୍ଟି କରିଛି। ୨୪ ବର୍ଷର କ୍ଷମତା ଗଲାପରେ ମଧ୍ୟ ନବୀନଙ୍କ ଈର୍ଷଣୀୟ ଲୋକପ୍ରିୟତା ଦେଖି ଆଚମ୍ବିତ ହେଉଛନ୍ତି ତାଙ୍କର ରାଜନୈତିକ ପ୍ରତିପକ୍ଷ ଓ ରାଜ୍ୟର ରାଜନୈତିକ ବିଶେଷଜ୍ଞ। ନିର୍ବାଚନ ପରେ ନବୀନ ଯେତିକି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି, ସବୁଠି ଅସମ୍ଭବ ଭିଡ଼ ପରିଲିକ୍ଷିତ ହୋଇଛି। ନବୀନଙ୍କ ପ୍ରତି ଅତୁଟ ବିଶ୍ୱାସ ଏବଂ ଭଲ ପାଇବାର ପ୍ରତିଫଳନ ବିଜେଡିକୁ ଉତ୍ସାହିତ କରିଛି। ନିର୍ବାଚନ ପରାଜୟ ପରେ ପ୍ରାୟ ପ୍ରତିଦିନ ନବୀନ ବିଭିନ୍ନ ନିର୍ବାଚନମଣ୍ଡଳୀର ଦଳୀୟ ନେତା ଓ କର୍ମୀଙ୍କୁ ଭେଟୁଛନ୍ତି। ଲୋକଙ୍କ ସହ ଯୋଡ଼ି ହୋଇ ସେମାନଙ୍କ ସୁଖଦୁଃଖରେ ସାମିଲ ହେବାକୁ ସିଧାସଳଖ ସାମିଲ ହେବାକୁ ପରାମର୍ଶ ଦେଉଛନ୍ତି। ବିରୋଧୀ ଦଳ ଭାବେ ଦଳର ୭ ରାଜ୍ୟସଭା ସାଂସଦ ଦିଲ୍ଲୀରେ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗ ଉଠାଇ କମ୍ପନ ସୃଷ୍ଟି କରିଥିବା ବେଳେ ରାଜ୍ୟ ବିଧାନସଭାରେ ମଧ୍ୟ ବିଜେଡି ଶାସକ ବିଜେପିକୁ ଘେରିବାରେ ସମର୍ଥ ହୋଇପାରିଛି। ଅତଏବ, ଏହି ଲୋକପ୍ରିୟତାକୁ ଅଧିକୁର ଅଧିକ କରିବା ଓ ସଶକ୍ତ ବିରୋଧୀର ଭୂମିକା ନିର୍ବାହ କରିବା ନିମନ୍ତେ ଯେଉଁ ସୁଯୋଗ ସୃଷ୍ଟିି ହୋଇଛି, ତାହାର ସଦୁପଯୋଗ କରିବା ବିଜେଡି ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।
ଅନ୍ୟପକ୍ଷରେ ଗତ ସାଧାରଣ ନିର୍ବାଚନରେ ଅପ୍ରତ୍ୟାଶିତ ବିଜୟ ପାଇଥିବା ବିଜେପି ପାଇଁ ୨୦୨୫ ଉଭୟ ସମ୍ମାନ ଓ ଆହ୍ୱାନର ବର୍ଷ ହେବ। ବିଶେଷକରି ସରକାର ଗଠନ ପରେ ବିଜେପି ୨୦୨୪ ବିଭିନ୍ନ ପ୍ରସଙ୍ଗରେ ଅନେକ ସମାଲୋଚନାର ଶିକାର ହୋଇଛି ଓ ମନ୍ତ୍ରୀମାନେ ଲୋକମାନଙ୍କର ଆସ୍ଥାଭାଜନ ହୋଇ ପାରିନାହାନ୍ତି। ଦରଦାମ ବୃଦ୍ଧିଠାରୁ ଆରମ୍ଭ କରି ଆଇନଶୃଙ୍ଖଳା ସର୍ବୋପରି ଯୋଜନା କାର୍ଯ୍ୟକାରିତାରେ ଗଳାବାଟ ଦଳ ପାଇଁ ସାଧାରଣରେ ନକରାତ୍ମକ ମାହୋଲ ସୃଷ୍ଟି କରିଛି। ମନ୍ତ୍ରୀମାନଙ୍କ ବୟାନବାଜି, ଦଳୀୟ ନେତାଙ୍କ ମଧ୍ୟରେ ଛକାପଞ୍ଝା, ଉନ୍ନୟନମୂଳକ କାମ ବନ୍ଦ ପାଇଁ ସାଧାରଣରେ ଭୁଲ ବାର୍ତ୍ତା ଯାଇଥିବା ବେଳେ ଦଳର ଲୋକପ୍ରିୟତା ବଜାୟ ରଖିବା ଏବେ ଦଳ ପାଇଁ ସମ୍ମାନର ପ୍ରଶ୍ନ ବୋଲି କୁହାଯାଉଛି। ସେହିପରି ଜାନୁଆରୀ ମାସରେ ଦଳର ନୂଆ ସଭାପତି ନିର୍ବାଚନ ହେବାର ଥିବାରୁ ଭାରସାମ୍ୟ ରକ୍ଷା ନିମନ୍ତେ ସମସ୍ତଙ୍କ ପାଇଁ ଗ୍ରହଣୀୟ ସଭାପତି ବାଛିବା ଦଳ ପାଇଁ ଆହ୍ୱାନ ହେବ ।
ଅପରପକ୍ଷେ କଂଗ୍ରେସ ଏପର୍ଯ୍ୟନ୍ତ ଏକ ସଠିକ୍ ନେତୃତ୍ୱ ଖୋଜୁଥିବା ବେଳେ ନୂଆବର୍ଷରେ ଦଳ ନୂଆ ସଭାପତି ଦେଖିବ। ସମ୍ପ୍ରତି କଂଗ୍ରେସ ଭୋଟବ୍ୟାଙ୍କର ସିଂହଭାଗ ଗତ ନିର୍ବାଚନରେ ଉଭୟ ବିଜେଡି ଓ ବିଜେପିକୁ ପାଖକୁ ଯାଇଛି। ବିଶେଷ ଭାବରେ କଂଗ୍ରେସ ଭୋଟ ଅଧିକ ପରିମାଣରେ ବିଜେପିକୁ ଲାଭାନ୍ୱିତ କରିଛି। ତେଣୁ ନିଜ ଲୋକଙ୍କୁ ନିଜ ପାଖକୁ ଫେରାଇ ଆଣିବା, ସଂଗଠନକୁ ମଜଭୁତ୍ କରିବା ସର୍ବୋପରି ଗୋଷ୍ଠୀବିବାଦରୁ ମୁକୁଳିବା ପାଇଁ କଂଗ୍ରେସକୁ ଅନେକ ସଂଘର୍ଷ କରିବାକୁ ପଡ଼ିବ। ରାଜନୈତିକ ଦୃଷ୍ଟିକୋଣରୁ ୨୦୨୫ ରାଜ୍ୟ ରାଜନୀତିରେ ଅନେକ ନୂଆ ପଟ୍ଟକଥା ଲେଖିପାରେ। ଏହାର ଇଙ୍ଗିତ ୨୦୨୪ ମସିହାରେ ବିଭିନ୍ନ ରାଜନୈତିକ ଘଟଣାବଳୀରୁ ଅଳ୍ପବହୁତେ ମିଳିସାରିଛି। ଅତଏବ ଉପରୋକ୍ତ ୩ ଦଳର ନିଷ୍ଠା, ଚେଷ୍ଟା ଓ ପ୍ରଚେଷ୍ଟା ଆଗାମୀ ବର୍ଷରେ ସେମାନଙ୍କ ଗତିପଥକୁ ନିର୍ଣ୍ଣୟ କରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।