ଭୁବନେଶ୍ବର ଏମ୍‌‌ସରେ ୧୩୮୪ ପଦ ଖାଲି, ଚିକିତ୍ସା ଆଶାରେ ଆସୁଥିବା ରୋଗୀଙ୍କୁ ହେବାକୁ ପଡ଼ୁଛି ନିରାଶ

ଭୁବନେଶ୍ୱର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌‌ସ) ଭୁବନେଶ୍ୱରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ହେଲେ ଏଠାରେ ଆବଶ୍ୟକ ଡାକ୍ତର, କର୍ମଚାରୀ ଓ ଚିକିତ୍ସା ଉପକରଣ ନ ମିଳିବାରୁ ଉତ୍ତମ ଚିକିତ୍ସା ଆଶାରେ ଆସୁଥିବା ରୋଗୀମାନଙ୍କୁ ନିରାଶ ହେବାକୁ ପଡ଼ୁଛି। ଫ୍ୟାକଲ୍ଟି ଓ ନନ୍‌‌ ଫ୍ୟାକଲ୍ଟି ମିଶାଇ ଭୁବନେଶ୍ୱର ଏମ୍‌‌ସରେ ୧୩୮୪ ପଦବୀ ଖାଲି ପଡ଼ିଛି। ଖୋଦ କେନ୍ଦ୍ର ସରକାର ଏହାକୁ ସ୍ୱୀକାର କରିଛନ୍ତି। ରାଜ୍ୟସଭା ସାଂସଦ […]

ଭୁବନେଶ୍ୱର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌‌ସ) ଭୁବନେଶ୍ୱରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ହେଲେ ଏଠାରେ ଆବଶ୍ୟକ ଡାକ୍ତର, କର୍ମଚାରୀ ଓ ଚିକିତ୍ସା ଉପକରଣ ନ ମିଳିବାରୁ ଉତ୍ତମ ଚିକିତ୍ସା ଆଶାରେ ଆସୁଥିବା ରୋଗୀମାନଙ୍କୁ ନିରାଶ ହେବାକୁ ପଡ଼ୁଛି। ଫ୍ୟାକଲ୍ଟି ଓ ନନ୍‌‌ ଫ୍ୟାକଲ୍ଟି ମିଶାଇ ଭୁବନେଶ୍ୱର ଏମ୍‌‌ସରେ ୧୩୮୪ ପଦବୀ ଖାଲି ପଡ଼ିଛି। ଖୋଦ କେନ୍ଦ୍ର ସରକାର ଏହାକୁ ସ୍ୱୀକାର କରିଛନ୍ତି। ରାଜ୍ୟସଭା ସାଂସଦ ରାମଜୀ ଲାଲ୍‌‌ ସୁମନଙ୍କ ପ୍ରଶ୍ନରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଭୁବନେଶ୍ୱର ଏମ୍ସରେ କର୍ମଚାରୀ ଓ ଡାକ୍ତରଙ୍କ ଅଭାବ ଥିବା ରାଜ୍ୟସଭାରେ ସୂଚନା ଦେଇଛନ୍ତି।

କେବଳ ସେତିକି ନୁହେଁ; ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୩୭ ଜଣ ଡାକ୍ତର ଏମ୍ସ ଭୁବନେଶ୍ୱର ଛାଡ଼ିଥିବା ମଧ୍ୟ ସେ କହିଛନ୍ତି। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌‌ସ) ଭୁବନେଶ୍ୱର ପୂର୍ବ ଭାରତର ଏକ ପ୍ରମୁଖ ଡାକ୍ତରଖାନା ହୋଇଥିବାବେଳେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼଼, ଆନ୍ଧ୍ର, ତେଲେଙ୍ଗାନା ଆଦି ରାଜ୍ୟର ଲୋକମାନେ ଏହା ଉପରେ ନିର୍ଭର କରୁଛନ୍ତି। ପ୍ରତ୍ୟେକ ଦିନ ଏମ୍‌‌ସ ଓପିଡ଼ିକୁ ପ୍ରାୟ ୩୫୦୦ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି।

ଏମ୍‌‌ସରେ ପ୍ରାୟ ୯୮୩ଟି ଶଯ୍ୟାର ବ୍ୟବସ୍ଥା ରହିଛି। ବର୍ହିବିଭାଗରେ ଡାକ୍ତରମାନେ ସୀମିତ ସଂଖ୍ୟକ ରୋଗୀ ଦେଖୁଥିବାରୁ ପ୍ରତ୍ୟେକ ଦିନ ଅନେକ ରୋଗୀ ଡାକ୍ତରଙ୍କ ପରାମର୍ଶ ପାଇବାରୁ ବଞ୍ଚିତ ହେଉଛନ୍ତି। ଡାକ୍ତର ଓ ଅଣ ଡାକ୍ତର ପଦବୀ ଖାଲି ପଡ଼ିବା ଏସବୁ ପଛର ବଡ଼ କାରଣ ହୋଇ ଛିଡ଼ା ହୋଇଛି। ଭୁବନେଶ୍ୱର ଏମ୍ସରେ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍‌‌ ପ୍ରଫେସର, ଅତିରିକ୍ତ ପ୍ରଫେସର ଓ ପ୍ରଫେସରଙ୍କୁ ମିଶାଇ ମୋଟ ମଞ୍ଜୁର ପଦ ସଂଖ୍ୟା ୩୧୫।

ମାତ୍ର ଏହାମଧ୍ୟରୁ ୭୨ ଟି ଫ୍ୟାକଲ୍ଟି ପଦ ଖାଲି ପଡ଼ିଛି। ସେହିପରି ଫାର୍ମାସିଷ୍ଟ, ଷ୍ଟାଫ୍‌‌ ନର୍ସ, ଓଟି ଟେକ୍ନିସିଆନ, ପ୍ରଶାସନିକ ପଦବୀ, ରେସିଡେଣ୍ଟ ଡାକ୍ତରଙ୍କୁ ମୋଟ ୩୯୦୪ ନନ୍‌‌ ଫ୍ୟାକଲ୍ଟି ପଦବୀ ମଞ୍ଜୁର ହୋଇଛି, ହେଲେ ମାତ୍ର ୨୫୯୨ ନନ୍‌‌ ଫ୍ୟାକଲ୍ଟି ପଦବୀ ପୂରଣ ହୋଇଛି। ଆହୁରି ୧୩୧୨ ନନ୍‌‌ ଫ୍ୟାକଲ୍ଟି ପଦ ଖାଲି ରହିଛି। ଯେଉଁ ସଂଖ୍ୟାରେ ଭୁବନେଶ୍ୱର ଏମ୍ସକୁ ରୋଗୀ ଆସୁଛନ୍ତି ସେହି ଅନୁପାତରେ ସାଧାରଣ ୱାର୍ଡ, ଆଇସିୟୁ ଓ କ୍ୟାବିନରେ ଶଯ୍ୟା ନଥିବାରୁ ବଡ ସମସ୍ୟା ସୃଷ୍ଟି ହେଉଛି।

About The Author: The Sakala