ସାଧାରଣତଃ ଶିଶୁଙ୍କ କ୍ଷେତ୍ରରେ ଦାନ୍ତବିନ୍ଧା ସମସ୍ୟା ଅଧିକ ଦେଖାଯାଏ। ଦାନ୍ତକ୍ଷୟ ବା ଥଣ୍ଡାଜନିତ କିଛି ସମସ୍ୟା ଥିଲେ ଦାନ୍ତବିନ୍ଧା ଅଧିକ ଅନୁଭୂତ ହୁଏ। ଏହା ମାଢ଼ିକୁ ସଂକ୍ରମିତ କରି ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରିବ । ଅନେକ କ୍ଷେତ୍ରରେ ଅସ୍ତ୍ରୋପଚାରର ଆବଶ୍ୟକତା ମଧ୍ୟ ପଡ଼ିଥାଏ, ଯାହାକି ବେଶ୍ କଷ୍ଟଦାୟକ। ତେଣୁ ପ୍ରଥମ ପର୍ଯ୍ୟାୟରେ ଏହାର ଉପଚାର କରାଇନେବା ଆବଶ୍ୟକ । ତିନୋଟି ଉପାୟରେ ଦାନ୍ତବିନ୍ଧାର ଉପଚାର ସମ୍ଭବ।
ଯଥା –
ଏଲୋପାଥି: ମାଢ଼ି ସଂକ୍ରମଣ ହେଲେ ଦାନ୍ତମୂଳ ଦୁର୍ବଳ ହୁଏ ଏବଂ ଦାନ୍ତକ୍ଷୟ ହୋଇଥାଏ । ଦାନ୍ତ ଭିତରେ ଖାଦ୍ୟ ଜମିରହେ ଏବଂ ଏହା ମାଢ଼ି ସଂକ୍ରମଣକୁ ବଢ଼ାଏ । ଏହା ଯୋଗୁଁ ଦାନ୍ତ ବିନ୍ଧିଥାଏ | ପିଲାଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଯାଏ । ଅଧିକ ଥଣ୍ଡାପାଗ ହେଲେ ମଧ୍ୟ ଅନେକଙ୍କ କ୍ଷେତ୍ରରେ ଦାନ୍ତବିନ୍ଧା ହୁଏ । ପ୍ରଥମ ପର୍ଯ୍ୟାୟରେ ହିଁ ଏହାର ଉପଚାର କରନ୍ତୁ। ନଚେତ୍ ଅପରେସନ୍ ମଧ୍ୟ ଆବଶ୍ୟକ ହୁଏ। ଦିନକୁ ଦୁଇଥର ଭଲ ଭାବେ ବ୍ରସ୍ କରିବା ଏବଂ ପ୍ରତ୍ୟେକଥର ଖାଦ୍ୟ ଖାଇବା ପରେ ଭଲ ଭାବେ କୁଳି କରିବା ଦ୍ବାରା ମାଢ଼ି ସଂକ୍ରମଣ ହେବନାହିଁ । ତେବେ ଦାନ୍ତବିନ୍ଧା ନହେବା ପାଇଁ ଡକ୍ସି ସାଇକିଲିନ୍, କ୍ରୋସିନ୍ ଓ ପେନ୍କିଲର୍ ଖାଇପାରିବେ। କିନ୍ତୁ ଦନ୍ତ ଚିକିତ୍ସକଙ୍କ ବିନା ପରାମର୍ଶରେ କୌଣସି ଔଷଧ ସେବନ କରନ୍ତୁ ନାହିଁ ।
ଆୟୁର୍ବେଦ: ଦାନ୍ତବିନ୍ଧା ସମସ୍ୟା ଦୂର କରିବା ପାଇଁ ଗୋଟିଏ ଲବଙ୍ଗକୁ ଦାନ୍ତ ମୂଳରେ ରଖନ୍ତୁ । ଲବଙ୍ଗ ବଦଳରେ ଳବଙ୍ଗ ତେଲକୁ ମଧ୍ୟ ବ୍ୟବହାର କରିପାରିବେ । ଗୋଟିଏ ତୁଳାକୁ ଲବଙ୍ଗ ତେଲରେ ବୁଡ଼ାଇ ଦାନ୍ତମୂଳରେ ରଖନ୍ତୁ। ଦ୍ବିତୀୟରେ ବଉଳଗଛର ଛାଲିର ଉଷୁମ କରି ଦିନକୁ ୨-୩ ଥର କୁଳି କଲେ ସମସ୍ତ ପ୍ରକାର ଦାନ୍ତ ରୋଗ ଦୂର ହୁଏ। ମାଢ଼ି ମଜବୁତ୍ ରହେ ଏବଂ ଦାନ୍ତକ୍ଷୟ ହୋଇନଥାଏ। ତୃତୀୟ ଉପାୟଟି ହେଉଛି ଅଙ୍କରାନ୍ତି ମଞ୍ଜିକୁ କାଗଜରେ ମୋଡ଼ି (ବିଡି ଭଳି) ତାହାର ଧୂଆଁକୁ ପାଟି ଭିତରେ ରଖ୍ ଛାଡ଼ିଦିଅନ୍ତୁ । ଏହା ଦାନ୍ତକ୍ଷୟ ରୋକିଥାଏ । ଉଭୟ ପିଲାମାନେ ଓ ବଡ଼ମାନେ ଏହି ଉପାୟକୁ କରିପାରିବେ ।
ହୋମିଓପାଥି: ମାଢ଼ି ସଂକ୍ରମଣ ହେଲେ ଦାନ୍ତ ବିନ୍ଧା ଅନୁଭୂତ ହୁଏ। ଏହା ବ୍ୟତୀତ ଅନେକ ଜଣଙ୍କ କ୍ଷେତ୍ରରେ ଥଣ୍ଡାଜନିତ ସମସ୍ୟା ଯୋଗୁଁ ଦାନ୍ତବିନ୍ଧା ଦେଖାଯାଏ। ଦାନ୍ତବିନ୍ଧା ଦୂର କରିବା ପାଇଁ ହୋମିଓପାଥିରେ ଆର୍ନିକା ମୋଣ୍ଟାନା ଭଳି ଅନେକ ଔଷଧ ଅଛି । ହୋମିଓପାଥିରେ ରୋଗୀର ଲକ୍ଷଣ ଅନୁଯାୟୀ ଔଷଧ ଦିଅ ଯାଏ। ଥଣ୍ଡା ପରିବେଶକୁ ଦୂରେଇବା ପାଇଁ ମଫଲର୍ ବ୍ୟବହାର କରିବା ସହ ଗରମ ପାଣି ପିଇବା ଓ ଗରମ ପାଣି ଗାଧୋଇବା ପ୍ରତି ଧ୍ୟାନ ଦିଅନ୍ତୁ।