ପ୍ରତିବର୍ଷ ମାର୍ଚ୍ଚ ୨୪ ତାରିଖକୁ ‘ବିଶ୍ବ ଯକ୍ଷ୍ମା ଦିବସ’ ଭାବେ ପାଳନ କରାଯାଉଛି। ଯକ୍ଷ୍ମା ବା ଟିବି ରୋଗ ପ୍ରତି ଲୋକଙ୍କୁ ସଚେତନ ତଥା ସତର୍କ କରାଇବା ହେଉଛି ଏହି ଦିବସର ମୂଳ ଉଦ୍ଦେଶ୍ୟ। ବର୍ଲିନ୍ର ଡାକ୍ତର ରବର୍ଟ କୋଚ୍ ଦୀର୍ଘ ଦିନ ଧରି ଗବେଷଣା କରିବା ପରେ ୧୮୮୨ ମସିହା ମାର୍ଚ୍ଚ ୨୪ରେ ଯକ୍ଷ୍ମା ପାଇଁ ଦାୟୀ ବ୍ୟାକ୍ଟେରିଆକୁ ଚିହ୍ନଟ କରିଥିଲେ। ସେହି ଦିନଟିକୁ ସ୍ମରଣ କରିବାକୁ ଯାଇ ବିଶ୍ୱସ୍ତରରେ ‘ଯକ୍ଷ୍ମା ଦିବସ’ ପାଳନ କରାଯାଉଛି।
ମାଇକ୍ରୋବ୍ୟାକ୍ଟେରିୟମ୍ ଟ୍ୟୁବରକ୍ୟୁଲୋସିସ୍ ନାମକ ଜୀବାଣୁ ଯୋଗୁଁ ଯକ୍ଷ୍ମା ରୋଗ ହୋଇଥାଏ। ଏହି ରୋଗ ବାୟୁ ମାଧ୍ୟମରେ ବ୍ୟାପିଥାଏ। କେହି କେହି ଏହାକୁ କ୍ଷୟ ରୋଗ ବୋଲି କହିଥାନ୍ତି। ରୋଗୀଙ୍କ ସମ୍ପର୍କରେ ସୁସ୍ଥ ଲୋକଟିଏ ଆସିଲେ ମଧ୍ୟ ଏହି ରୋଗ ବ୍ୟାପିବାର ଆଶଙ୍କା ଥାଏ। ପ୍ରଥମତଃ ଏହି ରୋଗ ମଣିଷର ଫୁସ୍ଫୁସ୍କୁ ଆକ୍ରାନ୍ତ କରେ। ଯକ୍ଷ୍ମା ରୋଗରେ ଦୀର୍ଘଦିନ ଧରି କାଶ ଓ ଜ୍ୱର ଲାଗି ରହିବା , ଦେହରୁ ଝାଳ ବୋହିବା, ଓଜନ ହ୍ରାସ ପାଇବା , ଭୋକ ନ ହେବା ଏବଂ ଛାତିରେ ଯନ୍ତ୍ରଣା ହେବା ଆଦି ଲକ୍ଷଣ ଦେଖାଦେଇଥାଏ। ଏହି ରୋଗରେ ରୋଗୀକୁ ବର୍ଷ ବର୍ଷ ଧରି ଔଷଧ ସେବନ କରିବାକୁ ପଡିଥାଏ।
୨୦୨୦ରେ ଯକ୍ଷ୍ମାରେ ଆକ୍ରାନ୍ତ ହୋଇ ବିଶ୍ବସ୍ତରରେ ୧୫ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଉଦ୍ବେଗର କଥାଟି ହେଉଛି, ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ସବୁଠୁ ଅଧିକ। ତେବେ ଡଟ୍ସ ପରି ସଫଳ ଚିକିତ୍ସା ଯୋଗୁଁ ଏବେ ଟିବି ରୋଗରୁ ଆରୋଗ୍ୟ ସମ୍ଭବ ହୋଇଛି। ସଠିକ୍ ସମୟରେ ଚିକିତ୍ସା କରା ନ ଗଲେ ଯକ୍ଷ୍ମା ସାଂଘାତିକ ହୋଇପାରେ। ତେଣୁ, ଲକ୍ଷଣ ଦେଖାଯିବା ମାତ୍ରେ ପରୀକ୍ଷା କରାଇନିଅନ୍ତୁ। ଯକ୍ଷ୍ମା ବ୍ୟାପିବାକୁ ରୋକିବା ପାଇଁ ପ୍ରଥମେ ଏହାକୁ ଚିହ୍ନଟ କରିବା ଜରୁରି। କାରଣ ଲକ୍ଷଣ ଯେତେ ଶୀଘ୍ର ଚିହ୍ନଟ ହେବ, ରୋଗୀଙ୍କ ଚିକିତ୍ସା ସେତେ ସହଜ ହୋଇପାରିବ। ଚଳିତବର୍ଷ ବିଶ୍ବ ଯକ୍ଷ୍ମା ଦିବସର ବିଷୟବସ୍ତୁ ରହିଛି- ‘‘Yes! We Can End TB: Commit, Invest, Deliver.”