ଦିନକୁ ଦିନ ଦେଶ ତଥା ରାଜ୍ୟରେ ହୃଦ୍ଘାତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏକ ନୀରବ ମହାମାରୀ ଭାବେ ଲୋକଙ୍କ ମୁଣ୍ଡ ନେଇଚାଲିଛି। ରାଜ୍ୟ ସରକାରଙ୍କ ତଥ୍ୟାନୁସାରେ, ପ୍ରତି ଲକ୍ଷେ ଲୋକରେ ୨୮୨ଜଣଙ୍କର ହୃଦ୍ଘାତରେ ମୃତ୍ୟୁ ହେଉଛି। ପୂର୍ବରୁ ଏହା କେବଳ ବୟସ୍କ ଲୋକଙ୍କ ଭିତରେ ସୀମିତ ଥିଲା। ଏବେ ଯୁବବର୍ଗ ତଥା ୧୫ରୁ ୨୦ ବର୍ଷର ପିଲା ମଧ୍ୟ ଏହାର ଶିକାର ହେଉଛନ୍ତି। ଅପମିଶ୍ରିତ ଖାଦ୍ୟ, ମାତ୍ରାଧିକ ନିଶା ଦ୍ରବ୍ୟ ସେବନ ଓ ଚିନ୍ତା ଏହାର ମୁଖ୍ୟ କାରଣ। ଶରୀରରେ କୋଲେଷ୍ଟେରଲ୍ ପରିମାଣ ବଢ଼ିବା ସହ ଲୋକମାନେ ମୋଟାପଣର ଶିକାର ହେଉଛନ୍ତି। ଫଳରେ ଏହା ଉଚ୍ଚ ରକ୍ତଚାପ ଓ ମଧୁମେହକୁ ନିମନ୍ତ୍ରଣ କରିଥାଏ। ଫଳସ୍ୱରୂପ ଲୋକମାନେ ହୃଦ୍ଘାତ ଜନିତ ରୋଗର ଶିକାର ହେଉଛନ୍ତି ବୋଲି ବିଶେଷଜ୍ଞଙ୍କ ମତ।
ଅନ୍ୟପକ୍ଷରେ ହୃଦ୍ରୋଗୀଙ୍କ ମୃତ୍ୟୁସଂଖ୍ୟା ବଢ଼ିବାର କାରଣ ହେଉଛି ଠିକ୍ ଭାବେ ଚିକିତ୍ସା ନ ମିଳିବା। ଡାକ୍ତରମାନେ କେବଳ କଟକ, ଭୁବନେଶ୍ୱର, ସମ୍ୱଲପୁର, ବ୍ରହ୍ମପୁର ଭଳି ସହରାଞ୍ଚଳକୁ ପ୍ରାଧାନ୍ୟ ଦେଉଛନ୍ତି। ଫଳରେ ଗ୍ରାମାଞ୍ଚଳର ଲୋକମାନେ ଠିକ୍ ଭାବେ ସେବା ପାଇପାରୁ ନାହାନ୍ତି। ତେଣୁ ଗତ କିଛି ବର୍ଷ ଭିତରେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ହୃଦ୍ଘାତ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ସରକାର ଏଥିପ୍ରତି ଧ୍ୟାନ ଦେଲେ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା। ଏହାଛଡ଼ା ହୃଦ୍ଘାତଜନିତ ରୋଗରୁ ମୁକ୍ତି ପାଇଁ ପ୍ରତିଦିନ ବ୍ୟାୟାମ କିମ୍ୱା ଯୋଗ କରିବା ଜରୁରୀ। ସେହିପରି ଖାଦ୍ୟରେ ନିୟନ୍ତ୍ରଣ ସହ ନିଶା ଓ ତମାଖୁଠାରୁ ଦୂରରେ ରହିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ନିକଟ ଅତୀତରେ ଅନେକ ହାଇ-ପ୍ରୋଫାଇଲ୍ ସ୍ୱଳ୍ପ ବୟସ୍କରେ ହୃଦ୍ଘାତର ଶିକାର ହୋଇଛନ୍ତି। ଅଭିନେତା ସିଦ୍ଧାନ୍ତ ସୂର୍ଯ୍ୟବଂଶୀ, ଗାୟକ କେକେ, କମେଡିଆନ୍ ରାଜୁ ଶ୍ରୀବାସ୍ତବ ଏବଂ ରିଆଲିଟି ଟିଭି ତାରକା ସିଦ୍ଧାର୍ଥ ଶୁକ୍ଲା ଯୁବାବସ୍ଥାରେ ହୃଦ୍ଘାତରେ ମୃତ୍ୟୁବରଣ କରିଛନ୍ତି।
କାର୍ଡିଓଲୋଜିଷ୍ଟ୍ ଡାକ୍ତର ସୁଶାନ୍ତ କୁମାର ପ୍ରଧାନଙ୍କ କହିବାନୁସାରେ, ହୃଦ୍ରୋଗ ଅନେକ ପ୍ରକାରରେ ହୋଇଥାଏ। ଜିନ୍ଗତ ହୃଦ୍ରୋଗ ଏକ ପ୍ରମୁଖ କାରଣ। ଏଥିସହ ଯେତେବେଳେ ହୃଦୟ ହଠାତ୍ ବନ୍ଦ ହୋଇଯାଏ, ଏହା ହୃଦ୍ଘାତ କିମ୍ବା ଆରିଦ୍ମିଆ ଯୋଗୁ ହୋଇପାରେ। ଛାତିରେ ଯନ୍ତ୍ରଣା, ଝାଳ, ମୁଣ୍ଡବିନ୍ଧା କିମ୍ବା ମୂର୍ଚ୍ଛା ହୋଇଗଲେ, ତୁରନ୍ତ ଡାକ୍ତରଙ୍କୁ ସମ୍ପର୍କ କରିବାକୁ ସେ ପରାମର୍ଶ ଦେଇଛନ୍ତି। କାରଣ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚିଗଲେ, ଜୀବନ ରକ୍ଷା କରାଯାଇପାରିବ ବୋଲି ସେ କହିଛନ୍ତି। ସନ୍ତୁଳିତ ଜୀବନଶୈଳୀ, ନିୟମିତ ବ୍ୟାୟାମ, ମାନସିକ ଚାପ ନିୟନ୍ତ୍ରଣ, ସୁସ୍ଥ ଖାଦ୍ୟପଦାର୍ଥ, ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏଥିରୁ ବଞ୍ଚାଇପାରିବ।
କ୍ୟାପିଟାଲ୍ ହସ୍ପିଟାଲ୍ ବରିଷ୍ଠ ଡାକ୍ତର ପ୍ରତାପ କୁମାର ଦାସ କହିଛନ୍ତି, ହୃଦ୍ଘାତ ପୂର୍ବରୁ ହୃଦୟର ମାଂସପେଶୀକୁ ରକ୍ତ ସଞ୍ଚାଳଣ ଧୀରେ ଧୀରେ ବନ୍ଦ ହୋଇଯାଏ। ସାଧାରଣତ ଉଚ୍ଚ ରକ୍ତଚାପ, ମଧୁମେହ, କିମ୍ବା ଅତ୍ୟଧିକ କୋଲେଷ୍ଟେରଲ୍ ଯୋଗୁଁ ହୋଇଥାଏ। ଏହାଦ୍ୱାରା ହାର୍ଟ ବିକଳାଙ୍ଗ ଅବସ୍ଥାକୁ ଚାଲି ଆସେ। ପରବର୍ତ୍ତୀ ସମୟରେ ହାର୍ଟକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିଦିଏ। ଏହାଦ୍ୱାରା ଶ୍ୱାସପ୍ରଶ୍ୱାସ ବନ୍ଦ ହୋଇଯାଏ। କାର୍ଡିଓଲୋଜିଷ୍ଟ ଡାକ୍ତର ଦିବ୍ୟ ରଞ୍ଜନ ବେହେରା କହିଛନ୍ତି, କରୋନାରୀ ଆର୍ଟେରୀ ରୋଗ ହେଉଛି ପ୍ରାପ୍ତବୟସ୍କମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ ଓ ବିପଜ୍ଜନକ ହୃଦ୍ରୋଗ। ଧୂମ୍ରପାନ, ଦୁର୍ବଳ ଜୀବନଶୈଲୀ, ମାନସିକ ଚାପ ଏବଂ ଅସୁସ୍ଥ ଖାଦ୍ୟପଦାର୍ଥ ଯୋଗୁଁ ଅନେକ ଯୁବକଙ୍କୁ ଏହା ପ୍ରଭାବିତ କରୁଛି। ବର୍ତ୍ତମାନ ସମୟରେ ମାତ୍ରାଧିକ ଫାଷ୍ଟ୍ଫୁଡ୍ ସେବନ ଯୋଗୁଁ ମଧ୍ୟ ହୃଦ୍ରୋଗ ହେଉଥିବା ସେ କହିଛନ୍ତି।