"ମୁଁ ସମ୍ପୂର୍ଣ୍ଣ ଲଣ୍ଡା, ଏହା ଏକ ୱିଗ୍": ବାଇପୋଲାର୍ ଡିଜଅର୍ଡର ଔଷଧ ଯୋଗୁଁ କେଶ ହରାଇବା ନେଇ ୟୋ ୟୋ ହନି ସିଂହଙ୍କ ଖୁଲାସା

ଜଣାଶୁଣା ସିଙ୍ଗର୍ ତଥା ରାପର୍ ୟୋ ୟୋ ହନି ସିଂହ ନିଜ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ପୂର୍ବରୁ ଅନେକ ଥର ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ନିଜର ବାଇପୋଲାର୍ ଡିଜଅର୍ଡର ବା ଦ୍ୱିମୁଖୀ ଅବସାଦ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଏହି ରୋଗର ଚିକିତ୍ସା ଏବଂ ଔଷଧର ପାର୍ଶ୍ୱପ୍ରତିକ୍ରିୟା ଯୋଗୁଁ ସେ ନିଜର ସବୁ କେଶ ହରାଇଛନ୍ତି।

ଚିକିତ୍ସାର ପ୍ରଭାବ ଏବଂ କେଶହାନି

ଏବିଟକ୍ସ (ABtalks) ପଡକାଷ୍ଟରେ ଆଲୋଚନା କରିବା ବେଳେ ହନି ସିଂହ ସ୍ୱୀକାର କରିଛନ୍ତି ଯେ, "ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ଲଣ୍ଡା ହୋଇଯାଇଛି ଏବଂ ଏବେ ଏକ ୱିଗ୍ ବ୍ୟବହାର କରୁଛି।" ବାଇପୋଲାର୍ ଡିଜଅର୍ଡରର ଚିକିତ୍ସା ତାଙ୍କୁ କେବଳ ମାନସିକ ସ୍ତରରେ ନୁହେଁ, ବରଂ ଶାରୀରିକ ସ୍ତରରେ ମଧ୍ୟ ଗଭୀର ଭାବେ ପ୍ରଭାବିତ କରିଥିଲା। ଏହି କାରଣରୁ ତାଙ୍କର ଓଜନ ବୃଦ୍ଧି ହେବା ସହ ଦ୍ରୁତଗତିରେ କେଶ ଝଡ଼ିବା ଆରମ୍ଭ ହୋଇଥିଲା।

କିପରି ଆରମ୍ଭ ହେଲା ସମସ୍ୟା?

ସେ ନିଜର ପୁରୁଣା ଦିନଗୁଡ଼ିକୁ ମନେ ପକାଇ କହିଛନ୍ତି ଯେ, ଅଭିନେତା ଶାହରୁଖ ଖାନ୍ଙ୍କ ସହ ଆମେରିକା ଗସ୍ତରେ ଥିବା ବେଳେ ଏବଂ ଏକ ମ୍ୟୁଜିକ୍ ରିଆଲିଟି ସୋ'ର ବିଚାରପତି ଥିବା ବେଳେ ତାଙ୍କ ଠାରେ ପ୍ରଥମେ ଏହି ରୋଗର ଲକ୍ଷଣ ଦେଖାଯାଇଥିଲା। ସେହି ସମୟରେ ତାଙ୍କୁ ଲାଗୁଥିଲା ଯେମିତି ସେ ମରିଯିବେ। ଷ୍ଟେଜ୍ ଉପରେ ପରଫର୍ମ କରିବାକୁ ସେ ଏତେ ଭୟଭୀତ ଥିଲେ ଯେ, ଏଥିରୁ ବର୍ତ୍ତିବା ପାଇଁ ସେ ନିଜର ଅଧା ମୁଣ୍ଡ ଲଣ୍ଡା କରିଦେଇଥିଲେ। ତଥାପି ଆୟୋଜକମାନେ ତାଙ୍କୁ ଏକ ଟୋପି ପିନ୍ଧାଇ ଷ୍ଟେଜ୍କୁ ପଠାଇଥିଲେ।

୭ ବର୍ଷ ଧରି ଘରେ ବନ୍ଦୀ

ନିଜର ଏହି ମାନସିକ ସ୍ଥିତି ଯୋଗୁଁ ସେ ଥରେ ଅଧାରୁ ଷ୍ଟେଜ୍ ପରଫର୍ମାନ୍ସ ଛାଡ଼ି ପଳାଇ ଆସିଥିଲେ। ଏହାପରେ ତାଙ୍କର ଲମ୍ବା ସଂଘର୍ଷ ଆରମ୍ଭ ହୋଇଥିଲା। ପ୍ରାୟ ୭ ବର୍ଷ ଧରି ସେ ନିଜ ଘର ଭିତରେ ନିଜକୁ ଆବଦ୍ଧ କରି ରଖିଥିଲେ। ନିଜର ଖରାପ ସ୍ଥିତି ପ୍ରଶଂସକମାନଙ୍କୁ ନଦେଖାଇବା ପାଇଁ ସେ ଫୋନ୍, ଟିଭି, ଇଣ୍ଟରନେଟ୍ ଏବଂ ପିଲାଦିନର ସାଙ୍ଗସାଥୀଙ୍କ ଠାରୁ ମଧ୍ୟ ସମ୍ପୂର୍ଣ୍ଣ ଦୂରେଇ ରହିଥିଲେ। ହନି ସିଂହଙ୍କ କହିବା ଅନୁଯାୟୀ, "ବାଇପୋଲାର୍ ଡିଜଅର୍ଡର ଆପଣଙ୍କୁ ଏପରି ବିନାଶକାରୀ ଚିନ୍ତାଧାରା ଆଡ଼କୁ ନେଇଯାଏ ଯାହା ବାସ୍ତବରେ ଘଟୁନଥାଏ, କିନ୍ତୁ ଆପଣଙ୍କୁ ତାହା ସତ ଲାଗେ।"

About The Author: Suryakanta