ମୁମ୍ବାଇ : ବଲିଉଡ୍ର ଆଗଧାଡ଼ିର ନିର୍ଦ୍ଦେଶକ କରନ୍ ଜୋହର୍ ଅଭିନେତା କାର୍ତ୍ତିକ୍ ଆର୍ୟନ୍ଙ୍କ ସହ ମିଶି ଦୁଇଟି ବଡ଼ ପ୍ରୋଜେକ୍ଟରେ କାମ କରୁଛନ୍ତି। କରନ୍ଙ୍କ ଫିଲ୍ମ ‘ତୁ ମେରି ମେ ତେରା ମେ ତେରା ତୁ ମେରି’ ଓ ‘ନାଗ୍ଜିଲା’ରେ କାର୍ତ୍ତିକ୍ ଲିଡ୍ ରୋଲରେ ନଜର ଆସିବେ। ଇତିମଧ୍ୟରେ କରନ୍ ‘ଦୋସ୍ତାନା’ ଫିଲ୍ମର ସିକ୍ବେଲ ଆଣିବାକୁ ଯାଉଛନ୍ତି। ଏହି ଫିଲ୍ମକୁ କରନ୍ ଥିଏଟର୍ ବଦଳରେ ଓଟିଟିରେ ରିଲିଜ୍ କରିବେ ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ଏଥିରେ କାର୍ତ୍ତିକ୍ ଆର୍ୟନ୍ ଓ ଜାହ୍ନବୀ କପୁର ଲିଡ୍ ରୋଲରେ ନଜର ଆସିଥାନ୍ତେ ବୋଲି ଫାଇନାଲ ହୋଇଥିଲା। କିନ୍ତୁ କରନ୍ ଏବେ ଏହାର କଳାକାରରେ ପରିବର୍ତ୍ତନ କରିଛନ୍ତି।
ଏବେ ଏଥିରେ କାର୍ତ୍ତିକ୍ ଆର୍ୟନ୍ଙ୍କ ବଦଳରେ ବିକ୍ରାନ୍ତ ମେସି ଦେଖାଯିବେ। ଫିଲ୍ମକୁ ନେଇ ଆଉ ଏକ ଖବର ମଧ୍ୟ ଆସିଛି। ଏଥିରେ ଜାହ୍ନବୀ କପୁରଙ୍କ ପରିବର୍ତ୍ତେ ଶ୍ରୀଲୀଲା ଦେଖାଯିବେ। ଅବଶ୍ୟ ଏନେଇ କରନ୍ କିମ୍ବା ଧର୍ମା ପ୍ରଡକ୍ସନ ପକ୍ଷରୁ ବିଧିବଦ୍ଧ ଭାବେ କୁହାଯାଇନାହିଁ। ଏଠାରେ ପ୍ରକାଶ ଥାଉ କି, କରନ୍ଙ୍କ ପ୍ରଯୋଜିତ ‘ଦୋସ୍ତାନା’ ୨୦୦୮ରେ ଆସିଥିଲା। ଏଥିରେ ଅଭିଷେକ ବଚ୍ଚନ, ଜନ୍ ଆବ୍ରାହମ୍ ଓ ପ୍ରିୟଙ୍କା ଚୋପ୍ରା ଲିଡ୍ ରୋଲରେ ନଜର ଆସିଥିଲେ।