ନିତେଶ ତିୱାରୀଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାମାୟଣ’ରେ ମାତା ସୀତାଙ୍କ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ଏକ ମନ୍ତବ୍ୟକୁ ନେଇ ଏବେ ସୋସିଆଲ ମିଡିଆରେ ତର୍କବିତର୍କ ଜୋର ଧରିଛି। ରାବଣଙ୍କୁ ସମ୍ପୂର୍ଣ୍ଣ ଦୁଷ୍ଟ ଭାବେ ବିବେଚନା ନକରି ନିଜ ଭିତରେ ଥିବା ଖରାପ ଗୁଣକୁ ଚିହ୍ନିବା ଉପରେ ସେ ଗୁରୁତ୍ୱ ଦେଇଥିବା ବେଳେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି।
ଅକ୍ଟୋବର ୨୭ ତାରିଖରେ ଆମେରିକାରେ ‘ରାମାୟଣ’ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସାଇ ପଲ୍ଲବୀ କହିଥିଲେ ଯେ ଧାର୍ମିକ ଗ୍ରନ୍ଥରେ ବିଶ୍ୱାସ ରଖୁଥିବା ବ୍ୟକ୍ତି ନିଜର ଆତ୍ମନିରୀକ୍ଷଣ କରିବା ଉଚିତ। ରାବଣଙ୍କୁ କେବଳ ବାହ୍ୟ ଶତ୍ରୁ ଭାବେ ନଦେଖି ନିଜ ଭିତରେ ଥିବା ଭଲ ଓ ଖରାପ ଗୁଣକୁ ଚିହ୍ନିବା ସହ ଖରାପ ଗୁଣରେ ସୁଧାର ଆଣିବା ଆବଶ୍ୟକ। ସେ ରାବଣଙ୍କୁ ସମ୍ପୂର୍ଣ୍ଣ ଦୁଷ୍ଟ ମାନିବାକୁ ମନା କରି ନିଜ ଭିତରେ ଥିବା ଦୁର୍ଗୁଣକୁ ଚିହ୍ନି ପରିବର୍ତ୍ତନ ହେବାକୁ ପରାମର୍ଶ ଦେଇଥିଲେ।
ସାଇଙ୍କ ଏହି ବୟାନ ପରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। କେତେକ ତାଙ୍କୁ ସମାଲୋଚନା କରି କହିଛନ୍ତି ଯେ ଜଣେ ମହିଳା ହୋଇ ସେ ଅପହରଣକାରୀଙ୍କ ପ୍ରଶଂସା କରୁଛନ୍ତି। ଅନ୍ୟପଟେ ସାଇଙ୍କ ସମର୍ଥକମାନେ ଯୁକ୍ତି କରିଛନ୍ତି ଯେ ତାଙ୍କ କଥାର ଉଦ୍ଦେଶ୍ୟ କେବଳ ମାନବିକ ଦୁର୍ଗୁଣକୁ ସଂଶୋଧନ କରିବା ଥିଲା ଏବଂ ଏହାକୁ ଅଯଥା ବିବାଦକୁ ଟାଣିବା ଅନୁଚିତ।
ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଦୁଇଟି ଭାଗରେ ମୁକ୍ତିଲାଭ କରିବ, ଯେଉଁଥିରେ ରଣବୀର କପୁର ଶ୍ରୀରାମଙ୍କ ଭୂମିକାରେ ଏବଂ ୟଶ ରାବଣଙ୍କ ଭୂମିକାରେ ନଜର ଆସିବେ। ଏହି ବିଗ୍ ବଜେଟ୍ ସିନେମାରେ ସନି ଦେଓଲ, ରକୁଲ ପ୍ରୀତ ସିଂହ ଏବଂ ଅରୁଣ ଗୋଭିଲଙ୍କ ଭଳି ତାରକାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଫିଲ୍ମର ମୁକ୍ତିଲାଭ ପୂର୍ବରୁ ସାଇ ପଲ୍ଲବୀଙ୍କ ଏହି ବୟାନ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ାଇ ଦେଇଛି।