ଦେଶର ଲୋକପ୍ରିୟ ସଙ୍ଗୀତ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ବିଜେତା ହୋଇ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରିର କନ୍ୟା ଜ୍ୟୋତିର୍ମୟୀ ନାୟକ। ନିଜର ସୁମଧୁର କଣ୍ଠରେ କୋଟି କୋଟି ଦର୍ଶକ ଏବଂ ବିଚାରକମାନଙ୍କ ହୃଦୟ ଜିତି ସେ ପ୍ରଥମ ଓଡ଼ିଆ ଝିଅ ଭାବେ ଏହି ସମ୍ମାନଜନକ ମୁକୁଟ ହାତେଇ ଏକ ନୂଆ ଇତିହାସ ରଚିଛନ୍ତି।
ଗ୍ରାଣ୍ଡ ଫାଇନାଲ୍ରେ ୨୪ ବର୍ଷୀୟା ଜ୍ୟୋତିର୍ମୟୀଙ୍କୁ ବିଜେତା ଘୋଷଣା କରାଯିବା ସହ ଏକ ଆକର୍ଷଣୀୟ ଟ୍ରଫି ଏବଂ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ସେହିପରି ଜବଲପୁରର ତନିଷ୍କ ଶୁକ୍ଲା ଏହି ସିଜନ୍ର ପ୍ରଥମ ରନର୍ସଅପ୍ ହୋଇଛନ୍ତି।
କର୍କଟ ରୋଗୀଙ୍କୁ ବିଜୟ ଉତ୍ସର୍ଗ
କମ୍ପ୍ୟୁଟର ସାଇନ୍ସରେ ବିଟେକ୍ କରିଥିବା ଜ୍ୟୋତିର୍ମୟୀ ମ୍ୟୁଜିକ୍ ଥେରାପି ଉପରେ ମଧ୍ୟ ଅଧ୍ୟୟନ କରିଛନ୍ତି। ବିଶେଷ ଭାବରେ ସେ ସମ୍ ଅଲ୍ଟିମେଟ୍ରେ ରୋଗୀମାନଙ୍କୁ ମ୍ୟୁଜିକ୍ ଥେରାପି ପ୍ରଦାନ କରିଆସୁଥିଲେ। ସେ ନିଜର ଏହି ଐତିହାସିକ ବିଜୟର ଶ୍ରେୟ ସେହି କର୍କଟ ପୀଡ଼ିତମାନଙ୍କୁ ଦେଇଛନ୍ତି ଯେଉଁମାନେ ତାଙ୍କ ସଙ୍ଗୀତ ଚିକିତ୍ସା ମାଧ୍ୟମରେ ସୁସ୍ଥ ହୋଇଛନ୍ତି। ନିଜର ୧୦ ମାସର ଇଣ୍ଡିଆନ୍ ଆଇଡଲ୍ ଯାତ୍ରା ସମ୍ପର୍କରେ ସେ କହିଛନ୍ତି ଯେ, ସେ କେବେ ପୁରସ୍କାର ରାଶି ଜିତିବା ନେଇ ଭାବି ନଥିଲେ, କେବଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେଇଥିଲେ।
ମଞ୍ଚରେ ଦିଗ୍ଗଜଙ୍କ ଉପସ୍ଥିତି ଓ ସଙ୍ଗୀତ ଯାତ୍ରା
ଏହି ଗ୍ରାଣ୍ଡ ଫାଇନାଲ୍ ଉତ୍ସବରେ ଶୋ’ର ମୁଖ୍ୟ ବିଚାରକ ଶ୍ରେୟା ଘୋଷାଲ ଏବଂ ବାଦଶାହଙ୍କ ସମେତ ସଙ୍ଗୀତ ଜଗତର ଦିଗ୍ଗଜ ଉଷା ଉଥୁପ, ଉଦିତ୍ ନାରାୟଣ, ପାପନ, କୁମାର ସାନୁ ଏବଂ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଓ ଶେହନାଜ ଗିଲ୍ ଉପସ୍ଥିତ ଥିଲେ। ମାତ୍ର ୮ ବର୍ଷ ବୟସରୁ ସଙ୍ଗୀତ ପ୍ରତି ଆକୃଷ୍ଟ ହୋଇଥିବା ଜ୍ୟୋତିର୍ମୟୀ ଅନେକ ଓଡ଼ିଆ ଚଳଚ୍ଚିତ୍ର ତଥା ଆଲବମ୍ରେ କଣ୍ଠଦାନ କରିଛନ୍ତି। ବିଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ଗାଇବାକୁ ସେ ବେଶ୍ ପସନ୍ଦ କରନ୍ତି। ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍ ବାଉଁଶନାଳ ଗାଁର ଏହି ଝିଅଙ୍କର ବିଶାଳ ସଫଳତାରେ ସମଗ୍ର ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି।