ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ହିମାଚଳ ପ୍ରଦେଶମଣ୍ଡି ଲୋକସଭା ଆସନର ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ସରକାରୀ ଅଧିକାରୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଶନିବାର ମଣ୍ଡିଠାରେ ଆୟୋଜିତ ଜିଲ୍ଲା ବିକାଶ ସମନ୍ୱୟ ଏବଂ ମନିଟରିଂ କମିଟି (DISHA - ଦିଶା) ର ଏକ ସମୀକ୍ଷା ବୈଠକରେ ଏମ୍‌ପି ଲୋକାଲ ଏରିଆ ଡେଭଲପମେଣ୍ଟ ସ୍କିମ୍ (MPLADS) ପାଣ୍ଠିର ଅବ୍ୟବସ୍ଥା ଏବଂ ଧୀର ବିନିଯୋଗକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

୧୧ କୋଟିରୁ ଖର୍ଚ୍ଚ ହୋଇଛି କେବଳ ୫୦ ଲକ୍ଷ

ଭାଇରାଲ୍ ଭିଡିଓରେ ସାଂସଦ କଙ୍ଗନା ବିରକ୍ତି ପ୍ରକାଶ କରି କହିଛନ୍ତି ଯେ ତାଙ୍କ ସାଂସଦ ପାଣ୍ଠିରେ ପ୍ରାୟ ୧୧ କୋଟି ଟଙ୍କା ଉପଲବ୍ଧ ଥିବାବେଳେ ଅଧିକାରୀମାନେ ଏପର୍ଯ୍ୟନ୍ତ କେବଳ ୫୦ ଲକ୍ଷ ଟଙ୍କା ଆଖପାଖରେ ଖର୍ଚ୍ଚ କରିଛନ୍ତି। ସେ ବିଡିଓ (BDO) ସ୍ତରର ଅଧିକାରୀମାନଙ୍କୁ ପାଣ୍ଠି ଖର୍ଚ୍ଚରେ ହେଉଥିବା ବିଳମ୍ବକୁ ନେଇ କଡ଼ା ପ୍ରଶ୍ନ କରିବା ସହ ତୁରନ୍ତ ଖର୍ଚ୍ଚର ପ୍ରଦର୍ଶନ ରିପୋର୍ଟ ମାଗିଛନ୍ତି।

"ମୋତେ ମିଛ ପ୍ରତିଶ୍ରୁତି ଦିଅନ୍ତୁ ନାହିଁ"

ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ କଙ୍ଗନା ଚେତାବନୀ ଦେଇ କହିଥିଲେ, “ମୋତେ ମିଛ ବାହାନା ବା ପ୍ରତିଶ୍ରୁତି ଦିଅନ୍ତୁ ନାହିଁ। ପ୍ରତ୍ୟେକ ‘ଦିଶା’ କମିଟି ବୈଠକରେ ମୋତେ ଏହି ସମାନ କଥା ଶୁଣିବାକୁ ମିଳୁଛି।" ପୂର୍ବ ବୈଠକଗୁଡ଼ିକରେ ଅଧିକାରୀମାନେ ପ୍ରାୟ ୯୦ ପ୍ରତିଶତ ପାଣ୍ଠି ଖର୍ଚ୍ଚ ହୋଇସାରିଛି ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ବାସ୍ତବିକ ଖର୍ଚ୍ଚ ତାଲିକା ସହ ଏହା ମେଳ ଖାଉନଥିବା ସେ ଅଭିଯୋଗ କରିଛନ୍ତି।

ଅଭିନେତ୍ରୀଙ୍କଠାରୁ ଅଧିକାରୀଙ୍କ ଆକ୍ଟିଂ ବେଶୀ!

ସାଂସଦ କଙ୍ଗନା କହିଛନ୍ତି ଯେ ତାଙ୍କ କାମକୁ ନେଇ ଜାତୀୟ ଗଣମାଧ୍ୟମରେ ମଜାକ ଉଡ଼ାଯାଉଛି। ସେ ଅଧିକାରୀମାନଙ୍କ ଉପରେ କଟାକ୍ଷ କରି କହିଛନ୍ତି ଯେ, "ଆପଣମାନେ ତ ମୋଠାରୁ ମଧ୍ୟ ଭଲ ଆକ୍ଟିଂ କରୁଛନ୍ତି"। ଏହାସହ ଏମ୍‌ପି ଲାଡ୍ସ (MPLADS) ପାଣ୍ଠିର ୩୦ ରୁ ୪୦ ପ୍ରତିଶତ ଅର୍ଥ ଜାଲ୍ ଲୋକଙ୍କୁ ବଣ୍ଟାଯାଇଛି ଏବଂ କୌଣସି କାର୍ଯ୍ୟ ଆରମ୍ଭ ନକରି ଲୋକେ ଟଙ୍କା ହଡ଼ପ କରିଛନ୍ତି ବୋଲି କଙ୍ଗନା ଅଭିଯୋଗ କରିଛନ୍ତି। ଅଧିକାରୀମାନେ ଏହି ଟଙ୍କା ଆଦାୟ କରିବାରେ ବିଫଳ ହୋଇଥିବା ସେ କହିଛନ୍ତି। ଖିଲାପକାରୀଙ୍କୁ ବ୍ଲାକଲିଷ୍ଟ କରିବା ସହ ବିକାଶମୂଳକ ପ୍ରକଳ୍ପ ଗୁଡିକରେ ବିଳମ୍ବ ନକରି ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସେ ପ୍ରଶାସନିକ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

About The Author: Suryakanta