‘ଭୁଲଭୁଲୈୟା-୨’ ହିଟ୍ ହେବା ପରେ ବଲିଉଡ୍ ଅଭିନେତା କାର୍ତ୍ତିକ୍ ଆର୍ୟନ୍ଙ୍କୁ ଅନେକ ବଡ଼ ପ୍ରୋଜେକ୍ଟରୁ ଅଫର୍ ଆସିଛି। କାର୍ତ୍ତିକ୍ ଏବେ ଯେଉଁ ଫିଲ୍ମକୁ ନେଇ ଅଧିକ ଚର୍ଚ୍ଚିତ ତାହା ହେଉଛି କରନ୍ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ ଦ୍ବାରା ନିର୍ମିତ ଫିଲ୍ମ ‘ତୁ ମେରି ମେ ତେରା ମେ ତେରା ତୁ ମେରି’। ଏଥିରେ କାର୍ତ୍ତିକ୍ଙ୍କ ବିପକ୍ଷରେ କିଏ ନାୟିକା ହେବେ ସେନେଇ ଅନେକ ଦିନକୁ କଳ୍ପନାଜଳ୍ପନା ଲାଗି ରହିଥିଲା। କିନ୍ତୁ ନିକଟରେ କାର୍ତ୍ତିକ୍ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରୁ ଫିଲ୍ମର ମୁକ୍ତିଲାଭ ଦିନ ସହ ନାୟିକାଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି।
ଏଥିରେ ତାଙ୍କ ବିପକ୍ଷରେ ଅନନ୍ୟା ପାଣ୍ଡେ ନଜର ଆସିବେ। ଏହା ଆସନ୍ତା ବର୍ଷ ଭାଲେଣ୍ଟାଇନ୍ ଡେ’ ପୂର୍ବଦିନ ଅର୍ଥାତ୍ ୧୩ ଫେବୃଆରୀ, ୨୦୨୬ରେ ରିଲିଜ୍ ହେବ। ଏହା ଏକ ରୋମାଣ୍ଟିକ୍ ଫିଲ୍ମ ହେବ। ପୂର୍ବରୁ କାର୍ତ୍ତିକ୍ ଓ ଅନନ୍ୟା ‘ପତି ପତ୍ନୀ ଔର୍ ୱ’ ଫିଲ୍ମରେ ଏକାଠି ଅଭିନୟ କରିଥିଲେ। ବକ୍ସ ଅଫିସ୍ରେ ଏହି ଫିଲ୍ମଟି ହିଟ୍ ସାବ୍ୟସ୍ତ ହୋଇଥିଲା। ଅନନ୍ୟା ଶେଷ ଥର ପାଇଁ ‘କେସରୀ ଚାପ୍ଟର-୨’ରେ ନଜର ଆସିଥିଲେ। ଏବେ ସେ କାର୍ତ୍ତିକ୍ଙ୍କ ସହ ଏହି ଫିଲ୍ମରେ କାମ କରିବେ। ସେହିଭଳି କାର୍ତ୍ତିକ୍ ‘ନାଗଜିଲା’, ‘ଆଶିକୀ-୩’, ‘ପତି ପତ୍ନୀ ଔର୍ ୱ-୨’ ଆଦି ଫିଲ୍ମଗୁଡ଼ିକରେ ନଜର ଆସିବେ।