ଶୋଇଥିବା ବେଳେ ଅଭିନେତ୍ରୀଙ୍କ ମୃତ୍ୟୁ: ମାତ୍ର ୨୭ ବର୍ଷ ବୟସରେ ଆରପାରିରେ ଅନନ୍ୟା ରାଜ

ମନୋରଞ୍ଜନ ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ବଲିଉଡ୍ ତଥା ଆଞ୍ଚଳିକ ସିନେମାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଅନନ୍ୟା ରାଜଙ୍କର ମାତ୍ର ୨୭ ବର୍ଷ ବୟସରେ ପରଲୋକ ଘଟିଛି। ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି, ଯାହାକି ସିନେ ଜଗତ ଏବଂ ତାଙ୍କ ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଛି।

ପରିବାର ପକ୍ଷରୁ ସୂଚନା

ଗତ ଜୁଲାଇ ୧୫ ତାରିଖରେ ଅନନ୍ୟାଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ପରିବାର ପକ୍ଷରୁ ପ୍ରାୟ ଏକ ମାସ ପରେ ଏହି ଖବର ସାର୍ବଜନୀନ କରାଯାଇଛି। ଅନନ୍ୟାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭାବପୂର୍ଣ୍ଣ ପୋଷ୍ଟ ଶେୟାର କରି ତାଙ୍କ ପରିବାର ଏହି ଦୁଃଖଦ ସୂଚନା ଦେଇଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତ ଏକ ବର୍ଷ ଧରି ସେ ଶାରୀରିକ ଏବଂ ମାନସିକ ସ୍ତରରେ ବହୁତ କଷ୍ଟ ଭୋଗୁଥିଲେ। ତଥାପି ସେ ଜଣେ ଯୋଦ୍ଧା ଭଳି ଏହି ପରିସ୍ଥିତିର ମୁକାବିଲା କରୁଥିଲେ। ତେବେ ଜୁଲାଇ ୧୫ ତାରିଖ ବିଳମ୍ବିତ ରାତିରେ ଶୋଇଥିବା ବେଳେ ଶାନ୍ତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ପରିବାର ପକ୍ଷରୁ ଏହି କଠିନ ସମୟରେ ସମସ୍ତଙ୍କୁ ଗୋପନୀୟତା ରକ୍ଷା କରିବାକୁ ଅନୁରୋଧ କରାଯାଇଛି।

ବଲିଉଡ୍ ଓ ଆଞ୍ଚଳିକ ସିନେମାରେ ଅଭିନୟ

ମୁମ୍ବାଇରେ ବଡ଼ ହୋଇଥିବା ଅନନ୍ୟା ନିଜ କ୍ୟାରିୟର ମଡେଲିଂ ଏବଂ ମ୍ୟୁଜିକ୍ ଭିଡିଓରୁ ଆରମ୍ଭ କରିଥିଲେ। ପରେ ୨୦୧୬ ମସିହାରେ ବଲିଉଡ୍ ଫିଲ୍ମ '୭ ଆୱାର୍ସ ଟୁ ଗୋ' (7 Hours to Go) ଜରିଆରେ ସେ ହିନ୍ଦୀ ସିନେମା ଜଗତରେ ପାଦ ଥାପିଥିଲେ। ଏହା ପରେ ସେ 'ଦି ଫାଇନାଲ୍ ଏକ୍ସିଟ୍' (୨୦୧୭) ଏବଂ ହରର୍ ଫିଲ୍ମ 'ଘୋଷ୍ଟ' (୨୦୧୯)ରେ ନିଜର ଅଭିନୟର ଯାଦୁ ଦେଖାଇଥିଲେ। ହିନ୍ଦୀ ସିନେମା ବ୍ୟତୀତ ସେ ଆଞ୍ଚଳିକ ଭାଷାରେ ମଧ୍ୟ ଅଭିନୟ କରିଥିଲେ। ବିଶେଷକରି ତେଲୁଗୁ ସସପେନ୍ସ ଥ୍ରୀଲର୍ ଫିଲ୍ମ 'ଥଗ୍ଗେଡେ ଲେ' (Thaggede Le) ଏବଂ ବହୁଭାଷୀ ପ୍ରୋଜେକ୍ଟ 'ମାଡ୍ରାସୀ ଗ୍ୟାଙ୍ଗ୍'ରେ ତାଙ୍କର ଭୂମିକା ବେଶ୍ ପ୍ରଶଂସନୀୟ ଥିଲା।

ଶୋକ ପ୍ରକାଶ କଲା ଏଆଇସିଡବ୍ଲୁଏ (AICWA)

ଅନନ୍ୟାଙ୍କ ଏଭଳି ଅକାଳ ବିୟୋଗରେ ଅଲ୍ ଇଣ୍ଡିଆନ୍ ସିନେ ୱାର୍କର୍ସ ଆସୋସିଏସନ୍ (AICWA) ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଆସୋସିଏସନ୍ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ଅନନ୍ୟା ଜଣେ ସାହସୀ ଝିଅ ଥିଲେ ଏବଂ ସେ ଜଣେ 'ରାଣୀ'ଙ୍କ ଭଳି ନିଜ ଜୀବନ ବଞ୍ଚୁଥିଲେ। ତାଙ୍କ ଭଳି ଜଣେ ପ୍ରତିଭାବାନ ଯୁବ କଳାକାରଙ୍କୁ ହରାଇବା ସିନେମା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।

About The Author: Suryakanta