ଭୁବନେଶ୍ବର: ଯାଆଁଳା ଫାଣ୍ଡିରେ ଜବତ ଗାଡିରୁ ମିଳିଥିବା ନରକଙ୍କାଳକୁ ନେଇ ବଢୁଛି ସସପେନ୍ସ । ମିଳିଥିବା ନରକଙ୍କାଳ ଜଣେ ମହିଳାଙ୍କର ଜଣାପଡିବା ପରେ ତାଙ୍କ ପରିଚୟ କଣ ସେନେଇ ଖୋଳତାଡ ଚାଲିଥିବା ବେଳେ ଘଟଣାସ୍ଥଳରୁ ଏକ ଲଭ ଲେଟର ମିଳିବା ଘଟଣା ଘଟଣାକୁ ଭିନ୍ନ ମୋଡ ଦେବାରେ ଲାଗିଛି । ୨୦୧୫ ମସିହାର ଏକ ଡାଏରୀ ଫର୍ଦ୍ଦରେ ଇଂରାଜୀରେ ଏହି ଚିଠି ଲେଖାଯାଇଛି। ଚିଠିର ଶିରୋନାମା ଲାଇଫ୍ ଲାଇନ୍ ରହିଛି। ଏଥିରେ ଜଣଙ୍କର ପ୍ରେମର ଭାବନା ବ୍ୟକ୍ତ କରାଯାଇଛି। ଏହି ଚିଠି କିଏ, କାହିଁକି, କାହା ଉଦ୍ଦେଶ୍ୟରେ ଲେଖିଛି ତାହା ଜଣାପଡିନାହିଁ। ଚିଠିଟି ମଝିରୁ ଚିରାଯାଇଛି। ତେବେ ଏହା ପଛରେ ପ୍ରେମ କାହାଣୀ ଥିବା ଅନୁମାନ କରାଯାଉଥିବା ବେଳ ମହିଳାଙ୍କ ମୃତ୍ୟୁ ସହ ଏହି ଚିଠିର କିଛି ସମ୍ପର୍କ ରହିଛି କି? ନାହିଁ ଏଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି।
ସେପଟେ କିଏ ସେହି ମହିଳା, ତାହା ଜାଣିବାକୁ ହାଇଦ୍ରାବାଦକୁ କଙ୍କାଳର ନମୁନା ପଠାଯାଇଛି। ଏଥିସହ ମୃତକଙ୍କ ପରିଚୟ ଜାଣିବା ପାଇଁ ସ୍କେଚ୍ ତିଆରି ହେବ ବୋଲି ପୁଲିସ ସୂଚନା ଦେଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଏହା ଏକ ସମ୍ବେଦନଶୀଳ ଘଟଣା। ଫେବ୍ରୁଆରୀ ୧୨ରେ ଘଟଣା ଜଣାପଡ଼ିବା ପରେ ପଦକ୍ଷେପ ନେଇଛୁ। ଏହି ଘଟଣାର ତଦନ୍ତ ଭାର ମହିଳା ଥାନାଧିକାରୀଣୀ ବନିତା ମହାରଣାଙ୍କୁ ଦିଆଯାଇଛି। ଏମ୍ସ ଦେଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଯକ୍ଷ୍ମାରେ ମହିଳା ଜଣକଙ୍କ ସ୍ୱାଭାବିକ ମୃତ୍ୟୁ ହୋଇଥିବା ଜଣାପଡିଛି ବୋଲି ପୁଲିସ କମିଶନର ପ୍ରେମମିଟ୍ କରି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ୨୦୧୯ରେ ବେଆଇନ୍ ଗଞ୍ଜେଇ ଚାଲାଣ ମାମଲାରେ ଗଞ୍ଜାମ ପୋଲିସ ମହିନ୍ଦ୍ରା ଗାଡିଟିକୁ ସିଜ୍ କରିଥିଲା। ସେବେଠୁ ଗାଡ଼ିଟି ଯାଁଳା ଫାଣ୍ଡି ଆଗରେ ପଡ଼ି ରହିଥିଲା। ପରିତ୍ୟକ୍ତ ଅବସ୍ଥାରେ ଥିବା ମହିନ୍ଦ୍ରା ଏକ୍ସୟୁଭି ଗାଡି ଭିତରୁ ଏହି କଙ୍କାଳ ଉଦ୍ଧାର ହୋଇଥିଲା। ପରେ ପୁଲିସର ସାଇଣ୍ଟିଫିକ୍ ଟିମ୍ କଙ୍କାଳକୁ ଉଦ୍ଧାର କରି ଏମ୍ସକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।