ଭୁବନେଶ୍ବର: ଖରିଆର ବନଖଣ୍ଡ ଅଧିନ ବାଙ୍କାପୁର ଛକରୁ ମଙ୍ଗଳବାର ପୂର୍ବାହ୍ଣରେ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି। ଏଥି ସହିତ ଏସ୍ଟିଏଫ୍ ଜଣେ ଚାଲାଣକାରୀକୁ ଗିରଫ କରିଛି। ଅଭିଯୁକ୍ତ ହେଲା ରଞ୍ଜନ କୁମାର ସାହୁ।
ସୂଚନା ଅନୁଯାୟୀ, ରଞ୍ଜନ କୁମାର ଏକ ଜୀବନ୍ତ ବଜ୍ରକାପ୍ତା ଚାଲାଣ କରିବା ଉଦ୍ଦେଶ୍ୟରେ ରଖିଥିବା ନେଇ ଏସ୍ଟିଏଫ୍କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ଏସ୍ଟିଏଫ୍ ଯୋଜନା ମୁତାବକ ନୂଆପଡ଼ା ଜିଲ୍ଲା ଖରିଆର ପୁଲିସ ଥାନା ଅଧୀନ ବାଙ୍କାପୁର ଛକରେ ଆଜି ପୂର୍ବାହ୍ନରେ ପହଞ୍ଚି ଥିଲା। ଏସ୍ଟିଏଫ୍ ରଞ୍ଜନ କୁମାର ସାହୁଙ୍କ ଚାରିଚକିଆ ଯାନ ଭିତରେ ଜୀବନ୍ତ ବଜ୍ରକାପ୍ତାକୁ ଠାବ କରିଥିଲା। ଏସ୍ଟିଏଫ୍ ଏନେଇ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତ ରଞ୍ଜନକୁ ଗିରଫ କରିବା ସହିତ ଜୀବନ୍ତ ବଜ୍ରକାପ୍ତାକୁ ଖରିଆର ଡିଏଫ୍ଓଙ୍କୁ ହସ୍ତାନ୍ତର କରିଛି।