ଭୁବନେଶ୍ୱର: ରାଜଧାନୀରେ ବଦଳୁଛି ଅନୈତିକ କାରବାରର ଧାରା। ଅନୈତିକ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲାଗି ପୁଲିସର କଡ଼ା ପଦକ୍ଷେପ ଯୋଗୁଁ ଏଥିରେ କିଛି ମାତ୍ରାରେ ଅଙ୍କୁଶ ଲାଗିଛି। ଏଣୁ ଅନ୍ଲାଇନରେ ଏବେ ଅନୈତିକ କାରବାର ବା ସେକ୍ସ ରାକେଟ୍ ଚାଲୁଛି। ଅନ୍ଲାଇନ୍କୁ ଆଧାର କରି ରୂପଜୀବୀ ଗ୍ରାହକ ଯୋଗାଡ଼ କରୁଛନ୍ତି। ଦଲାଲଙ୍କ ନମ୍ବର ମଧ୍ୟ ୱେବ୍ସାଇଟ୍ରେ ରହିଛି। ଦଲାଲ ସହ ଗ୍ରାହକ ଯୋଗାଯୋଗ କରିବା ପରେ ହ୍ୱାଟ୍ସଆପ୍ରେ ଫଟୋ ଆସିଯାଉଛି। ଗ୍ରାହକ ରୂପଜୀବୀକୁ ପସନ୍ଦ କରିବା ପରେ ମୂଲଚାଲ ହେଉଛି। ଦାମ୍ ଠିକ୍ ହେବାପରେ ଜାଗା ଓ ସମୟ ଫାଇନାଲ୍ ହେବା ସହ ନିର୍ଦ୍ଧାରିତ ସ୍ଥାନରେ ଗ୍ରାହକ ପହଞ୍ଚିଯାଉଛି। ପୂର୍ବରୁ ସ୍ପା, ଲଜ୍, ହୋଟେଲରେ ସେକ୍ସ ରାକେଟ୍ ଚାଲୁଥିଲା। କିନ୍ତୁ ପୁଲିସର ଚଢ଼ଉ ଓ କାର୍ଯ୍ୟାନୁଷ୍ଠାନ ଭୟରେ ବନ୍ଦ ହୋଇଯାଇଛି। ଏଥିରେ ଦଲାଲ୍ ସାଜୁଛନ୍ତି ମାଙ୍ଗୁଆଳ। ଫୋନ୍ କଲ୍ ପହଞ୍ଚିବା ପରେ ଦଲାଲ୍ ଯୁବତୀଙ୍କୁ ଠିକଣା ସ୍ଥାନରେ ପହଞ୍ଚାଇ ଦେଉଛନ୍ତି। ସେହିପରି କମିସନରେଟ୍ ପୁଲିସ ଓ କ୍ରାଇମ୍ବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ(ଏସ୍ଟିଏଫ୍) ବାରମ୍ବାର ଚଢ଼ଉ କରିବା ସହ ଏଭଳି ନେଟ୍ୱର୍କ ଚଲାଉଥିବା ମାଷ୍ଟରମାଇଣ୍ଡ୍ ଉପରେ ସ୍ୱତନ୍ତ୍ର ନଜର ରଖିଛି। ତେଣୁ ରାଜ୍ୟ ବାହାରୁ ସେକ୍ସ ର୍ୟାକେଟର ବାଦ୍ଶାହା କୁହାଯାଉଥିବା ସୁନୀଲ ମେହେର କଣ୍ଟ୍ରୋଲ୍ କରୁଛି। ତା’ର କିଛି ଅନୁଗାମୀ ସହାୟତାରେ ଅନ୍ଲାଇନ୍ ଓ ହ୍ୱାଟ୍ସଆପ୍ରେ ଅପରେଟ୍ କରୁଥିବା ଜଣାପଡ଼ିଛି। ସୁନୀଲ କୋଲକାତା କିମ୍ବା ଉତ୍ତର-ପୂର୍ବ ଦିଲ୍ଲୀରେ ରହୁଥିବା ଅନୁମାନ କରାଯାଉଛି। କିଛି ମହିଳା ସହଯୋଗୀ ରାଜଧାନୀରେ ସେକ୍ସ ରାକେଟ୍ ବୁଝୁଥିବା ସୂଚନା ମିଳିଛି। ସେପଟେ ଅନ୍ଲାଇନ୍ରେ ଅନୈତିକ କାରବାର ଚାଲୁଥିବାରୁ ପୁଲିସ କିମ୍ବା ଅନ୍ୟ ତଦନ୍ତକାରୀ ସଂସ୍ଥା ସେକ୍ସ ରାକେଟ୍ ବିଷୟରେ ତଥ୍ୟ ପାଉନି।
ଅବାଧରେ ପଶୁଛନ୍ତି ବାଂଲାଦେଶୀ ରୂପଜୀବୀ
ଓଡ଼ିଶାରେ ବିଶେଷ କରି ରାଜଧାନୀରେ ବହୁଳ ମାତ୍ରାରେ ସେକ୍ସ କାରବାର ଚାଲୁଛି। ଏଥିରେ ଅଧିକ ବାଂଲାଦେଶୀ ଓ ନେପାଳୀ ଯୁବତୀ ଲିପ୍ତ ରହୁଛନ୍ତି। ସେମାନେ ଓଡ଼ିଶାକୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଉ ନ ଥିବାରୁ ଏଠାରେ ସୁରକ୍ଷିତ ଭାବେ ରହୁଛନ୍ତି। ସେମାନଙ୍କୁ ବିଭିନ୍ନ କାର୍ଯ୍ୟରେ ଲଗାଇବାକୁ କହି ଦଲାଲ୍ ଓଡ଼ିଶା ନେଇ ଆସୁଛନ୍ତି। ଏଠାରେ ଚାକିରି କିମ୍ବା କାହା ଘର କାର୍ଯ୍ୟରେ ନ ଲଗାଇ ଦେହ ବ୍ୟବସାୟରେ ଲଗାଉଛନ୍ତି। ଟଙ୍କା ଲୋଭରେ ସେମାନେ ଥରେ ଏହି କାର୍ଯ୍ୟରେ ରହିବା ପରେ ଆଉ ସେଥିରୁ ବାହାରି ପାରୁନାହାନ୍ତି। ସେହିପରି ସେକ୍ସ ରାକେଟରେ ଧରାପଡ଼ିଲେ ବାଂଲାଦେଶୀ ଯୁବତୀଙ୍କୁ ଉଦ୍ଧାର କରାଯାଉଛି। ସେମାନଙ୍କୁ ନିଜ ଦେଶକୁ ଫେରାଇବା ଲାଗି ବାଂଲାଦେଶର ଦୂତାବାସ ସହ ଯୋଗାଯୋଗ କରାଯାଉଛି। ସେଠାରୁ କିଛି ଉତ୍ତର ମିଳୁନି। ବାଂଲାଦେଶ ସରକାର ନିଜର ଲୋକଙ୍କୁ ଫେରାଇବା ଲାଗି ବନ୍ଦୋବସ୍ତ କରୁନାହାନ୍ତି। ସେମାନଙ୍କୁ ନିଜ ଦେଶକୁ ଫେରାଇ ନେବା ଲାଗି ବହୁ ଥର ଚିଠି ଲେଖାଯାଇ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପ୍ରଭାବ ପଡ଼ୁନି। ସେପଟେ କମିସନରେଟ୍ ପୁଲିସ ବାଧ୍ୟ ହୋଇ ସେମାନଙ୍କୁ ସୁଧାରଗୃହର ରଖୁଛି। ପରବର୍ତ୍ତୀ ସମୟରେ ସେମାନେ ସେଠାରୁ ଖସିଯାଇ ପୁଣିଥରେ କାରବାର କରୁଛନ୍ତି। ଗତବର୍ଷ ରାଜଧାନୀ ଉପକଣ୍ଠ ଯାଁଳାର ଏକ ସୁଧାରଗୃହରେ ଥିବା ୬ଜଣ ରୂପଜୀବୀ ଏହିଭଳି ଖସିଯାଇ ପୁଣି ଅନୈତିକ କାରବାରରେ ଲିପ୍ତ ରହିଥିବା ଅଭିଯୋଗ ହୋଇଛି।
ପ୍ରହସନ ପାଲଟିଛି ବେଶ୍ୟାଳୟ ଘୋଷଣା
ରାଜଧାନୀରେ ସେକ୍ସ ରାକେଟ୍ ଚାଲୁଥିବା ଘରଗୁଡ଼ିକୁ ବେଶ୍ୟାଳୟ ଘୋଷଣା କରିବା ଲାଗି ଯୋଜନା କରିଥିଲା କମିସନରେଟ୍ ପୁଲିସ। ପ୍ରଥମ ପର୍ଯ୍ୟାୟରେ ୭ଟି ଘରକୁ ବେଶ୍ୟାଳୟ ଘୋଷଣା କରାଯାଇଥିଲା। କ୍ୟାପିଟାଲ, ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ୨ଟି ଲେଖାଏଁ, ଚନ୍ଦ୍ରଶେଖରପୁର, ସହିଦ ନଗର ଥାନା ଅଞ୍ଚଳରେ ଗୋଟିଏ ଲେଖାଏଁ ଘରକୁ ବେଶ୍ୟାଳୟ ଘୋଷଣା କରାଯାଇଥିଲା। ଏଥିରେ ଅଧିକ ବିୟୁଟି ପାର୍ଲର ଥିଲା। ଏଗୁଡ଼ିକୁ ବର୍ଷେ ପାଇଁ ସିଲ୍ କରିଥିଲା। ଭଡ଼ା ଘରଗୁଡ଼ିକରେ ମଧ୍ୟ ସମାନ କଟକଣା ଲାଗୁ କରାଯାଇଥିଲା। ଏଥିରୁ ସହରର ସମସ୍ତ ଥାନା ଅଞ୍ଚଳର ୫୦ରୁ ଊର୍ଦ୍ଧ୍ବ ଘରକୁ ଚିହ୍ନଟ କରାଯାଇଛି। ସେଗୁଡ଼ିକ ବେଶ୍ୟାଳୟ ଘୋଷଣା କରିବା ଲାଗି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଏହା ଅଧାରେ ଅଟକି ଯାଇଥିଲା। ସେହିଭଳି ୧୨ଟି ସ୍ପା, ହୋଟେଲ୍ ଆଦିକୁ ବେଶ୍ୟାଳୟ ଘୋଷଣା କରିବା ଲାଗି ଯୋଜନା ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍ ରହିଛି।
ଥାଇଲାଣ୍ଡ୍ ପରେ ବଙ୍ଗୀୟ ଯୁବତୀ
ଦିନ ଥିଲା ରାଜଧାନୀରେ ଥାଇଲାଣ୍ଡ ଯୁବତୀଙ୍କୁ ନେଇ ଦେହ କାରବାର ଚାଲୁଥିଲା। ସେମାନଙ୍କୁ ନେଇ ସହରର ଲଜ୍, ହୋଟେଲ୍ ଓ ଭଡ଼ାଘରେ ଚାଲିଥିଲା ଅନୈତିକ କାରବାର। କମିସନରେଟ୍ ପୁଲିସ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୦ ଥାଇଲାଣ୍ଡ ଓ ଋଷୀୟ ଯୁବତୀଙ୍କୁ ଉଦ୍ଧାର କରି ସୁଧାରଗୃହକୁ ପଠାଇଥିଲା। ପରବର୍ତ୍ତୀ ସମୟରେ ତଦନ୍ତ କରାଯାଇ ସେମାନଙ୍କ ଭିସା ରଦ୍ଦ କରାଯିବା ସହ ସେମାନଙ୍କୁ ନିଜ ଦେଶକୁ ଫେରାଇବା ଲାଗି ଦୂତାବାସ ସହ ଯୋଗାଯୋଗ କରାଯାଇଥିଲା। ସେଠାରୁ ସବୁଜ ସଙ୍କେତ ଆସିବା ପରେ ୮ ଜଣଙ୍କୁ ଏକ ବିମାନ ଯୋଗେ ନିଜ ଦେଶକୁ ଫେରାଇ ଦିଆଯାଇଥିଲା। ଥାଇଲାଣ୍ଡ ଯୁବତୀଙ୍କ ପରେ ଏବେ ସହରରେ ବଙ୍ଗୀୟ ଯୁବତୀଙ୍କୁ ନେଇ ଦେହ କାରବାର ଚାଲିଛି।