ପଞ୍ଜାବର ତରନତାରନ ଜିଲ୍ଲାରେ ସୋମବାର ସକାଳେ ଏକ ଅଭାବନୀୟ ତଥା ହୃଦୟବିଦାରକ ଘଟଣା ଘଟିଯାଇଛି। ଜଣେ ଆଇନ (Law) ଛାତ୍ର କ୍ଲାସ୍ରୁମ୍ ଭିତରେ ନିଜ ସହପାଠୀ ଛାତ୍ରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ସେହି ବନ୍ଧୁକରେ ନିଜକୁ ମଧ୍ୟ ଗୁଳି କରିଛନ୍ତି। ଘଟଣାସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅଭିଯୁକ୍ତ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ସମସ୍ତ ଘଟଣା କଲେଜର ସିସିଟିଭି କ୍ୟାମେରାରେ କଏଦ ହୋଇଛି।
ମୃତ ଛାତ୍ରୀଙ୍କ ନାମ ସନ୍ଦୀପ କୌର ଏବଂ ତାଙ୍କ ଘର ନୌଶେହରା ପନ୍ନୁଆନ୍ ଅଞ୍ଚଳରେ ବୋଲି ଜଣାପଡିଛି। ସେହିପରି ଅଭିଯୁକ୍ତ ଛାତ୍ର ଜଣକ ହେଲେ ପ୍ରିନ୍ସ ରାଜ ଏବଂ ସେ ଜଲନ୍ଧର ଜିଲ୍ଲା ମାଲିଆନ୍ ଗାଁର ବାସିନ୍ଦା। ଉଭୟ ତରନତାରନର ଉସ୍ମା ଗାଁରେ ଅବସ୍ଥିତ ଏକ ଆଇନ ମହାବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଥିଲେ।
ସିସିଟିଭିରେ କଏଦ ହେଲା ଭୟଙ୍କର ଦୃଶ୍ୟ
ସିସିଟିଭି ଫୁଟେଜ୍ ଅନୁଯାୟୀ, ସକାଳ ପ୍ରାୟ ୯.୧୫ ସମୟରେ ପ୍ରିନ୍ସ ରାଜ ଶ୍ରେଣୀ ଗୃହରେ ପ୍ରବେଶ କରିଥିଲେ। ସେଠାରେ ସନ୍ଦୀପ କୌର ଏବଂ ଅନ୍ୟ ଜଣେ ଛାତ୍ରୀଙ୍କ ସହ ତାଙ୍କର କିଛି କଥାବାର୍ତ୍ତା ହୋଇଥିଲା। ଏହା ପରେ ସେମାନେ ଶ୍ରେଣୀ ଗୃହର ପଛ ବେଞ୍ଚ ଆଡକୁ ଯାଇଥିଲେ। ସନ୍ଦୀପ କୌର ପଛ ବେଞ୍ଚରେ ବସିଥିବା ବେଳେ ପ୍ରିନ୍ସ ତାଙ୍କ ସାମ୍ନାରେ ବସିଥିଲେ। ହଠାତ୍ ପ୍ରିନ୍ସ ଉଠି ତାଙ୍କ ବ୍ୟାଗରୁ ଏକ ପିସ୍ତଲ କାଢି ପଛକୁ ବୁଲି ସନ୍ଦୀପ କୌରଙ୍କ ମୁଣ୍ଡକୁ ଗୁଳି କରିଥିଲେ। ଏହା ପରେ ସେ ମାତ୍ର ତିନି ପାଦ ଆଗକୁ ଯାଇ ନିଜ ମୁଣ୍ଡକୁ ମଧ୍ୟ ଗୁଳି କରିଥିଲେ।
ଗୁଳି ଶବ୍ଦ ଶୁଣି କ୍ଲାସ୍ରୁମ୍ରେ ଥିବା ଅନ୍ୟ ଜଣେ ଛାତ୍ରୀ ଭୟଭୀତ ହୋଇଯାଇଥିଲେ ଏବଂ ପରେ ଅନ୍ୟ ସହପାଠୀମାନଙ୍କ ସହ ସେଠାରୁ ଦୌଡି ପଳାଇଥିଲେ। ପୋଲିସ କହିଛି ଯେ ପ୍ରିନ୍ସ ରାଜ କାହିଁକି ସନ୍ଦୀପ କୌରଙ୍କୁ ହତ୍ୟା କଲେ, ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।