ଭୁବନେଶ୍ୱର: ହକି ବିଶ୍ୱକପ୍ ପୂର୍ବରୁ ଗିରଫ ହେବେ ପେସାଦାର ଅପରାଧୀ। କାରଣ ରାଜଧାନୀରୁ ବିଭିନ୍ନ ଦେଶର ଖେଳାଳି ଏବଂ ଦର୍ଶକ ଆସିବ। ସେମାନେ ରାଜଧାନୀରେ ରହିବା ସହ ସହର ବୁଲିବେ। ତେଣୁ ସେମାନଙ୍କୁ ଅପରାଧୀ ଟାର୍ଗେଟ୍ କରି ଯେପରି ଲୁଟ୍ପାଟ ନକରନ୍ତି ସେଥିପ୍ରତି ସଜାଗ ହୋଇଛି କମିଶନରେଟ ପୁଲିସ। କାରଣ ବିଦେଶୀ ଖେଳାଳି କିମ୍ବା ଦର୍ଶକ ଅପରାଧର ଶିକାର ହେଲେ ସହର ବଦନାମ ହେବ। ତେଣୁ ଯେପରି କିଛି ଅଘଟଣ ନହୁଏ ତେବେ ସବୁ ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପୁଲିସ। ତେଣୁ ଯେଉଁମାନେ ସହରର ପେସାଦାର ଲୁଟେରା ଏବଂ ଅପରାଧୀ ସେମାନଙ୍କୁ ଗିରଫ କରିବା ପାଇଁ ଡିସିପି କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ସେମାନଙ୍କୁ ରାତି ଅଧରେ ଘରୁ ଉଠାଇବାକୁ କୁହାଯାଇଛି। ସେମାନେ ଯେଉଁଠି ବି ଲୁଚିଲେ ସେମାନଙ୍କୁ ଗିରଫ କରିବାକୁ ଡିସିପି ପ୍ରତୀକ ସିଂ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଥାନା ଅଧିକାରୀ ଏବଂ ପିଓପିଡି ଟିମ୍କୁ ଡିସିପି କଡା ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ଥାନା ଅଞ୍ଚଳରେ ରହୁଥିବା ଲୁଟେରାଙ୍କୁ ଗିରଫ କରିବା ପୂର୍ବରୁ ସେମାନଙ୍କ ଏକ ତାଲିକା କରିବାକୁ କହିଛନ୍ତି। ସେହି ତାଲିକା ଅନୁସାରେ ତାଙ୍କୁ ଧରିବାକୁ କୁହାଯାଇଛି। ରାତି ସମୟରେ ଲୁଟେରାମାନେ ଘରେ ଶୋଇ ରହିଥିଲେ, ବିଶେଷ କରି ନୂଆ ବର୍ଷରେ ସେମାନେ ସହରର ବିଭିନ୍ନ ଖଟି ଏବଂ କ୍ଲବ୍ରେ ପାର୍ଟି କରୁଥିବେ। ତେଣୁ ଏହି ମଉକାରେ ସେମାନଙ୍କୁ ଗିରଫ କରିବାକୁ କୁହାଯାଇଛି। ଯେଉଁ ଅପରାଧୀଙ୍କ ନାମରେ ୧୦ରୁ ଊର୍ଦ୍ଧ୍ବ ସଂଗୀନ ମାମଲା ରହିଛି। ସେମାନଙ୍କୁ ସିଆରପିସି ୧୧୦ରେ ବୁକ୍ କରିବାକୁ କୁହାଯାଇଛି। ସେମାନେ ଯେପରି ମାସେ ପର୍ଯ୍ୟନ୍ତ ଜେଲ୍ରୁ ବାହାରି ପାରିବେ ନାହିଁ ସେଥିଲାଗି କଡ଼ା ନିର୍ଦ୍ଦେଶ ଦିଆଯାଇଛି। କେବଳ ଲୁଟେରା ଏବଂ ପେଶାଦାର ଅପରାଧୀ ନୁହେଁ, ନିଶା ମାଫିଆଙ୍କୁ ସାବାଡ଼ କରିବାକୁ କୁହାଯାଇଛି। ଗଞ୍ଜେଇ, ବ୍ରାଉନ୍ସୁଗର ଏବଂ ଚୋରା ମଦ ବିକ୍ରି କରୁଥିବା ମାଫିଆମାନଙ୍କୁ ଧରିବାକୁ କୁହାଯାଇଛି। ରାତିରେ ପାଟ୍ରୋଲିଂ କଡ଼ାକଡ଼ି କରି ସେମାନଙ୍କୁ ଧର। ଆବଶ୍ୟକ ପଡ଼ିଲେ ପୁଲିସ ସାଧା ପୋଷାକରେ ମଦ ମାଫିଆଙ୍କ ଆଡ୍ଡାରେ ଲୁଚି ରହି ଧରିବାକୁ କୁହାଯାଇଛି। ଏପରିକି ସମସ୍ତଙ୍କୁ ଲୁଟେରାଙ୍କୁ ଗିରଫ କରିବା ପାଇଁ ଦିଆଯାଇଥିବା ତାଲିକା ଅନୁସାରେ କାର୍ଯ୍ୟ ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କଡା ସଙ୍କେତ ଦେଇଛନ୍ତି।